ଅଡୁଆ ଛିଡୁନି-ବିବାଦ ତୁଟୁନି : ଡିଭିଜନାଲ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ହାଜର ହେଲେ ଓଟିଭି ପ୍ରତିନିଧି, ତରଙ୍ଗ ଷ୍ଟୁଡିଓରେ ଠିକା କର୍ମଚାରୀ ମଧ୍ୟ ରଖିଲେ ପକ୍ଷ

Published By : Prameya-News7 Bureau | November 18, 2020 IST

ବାଲେଶ୍ବର ୧୮।୧୧: ଖୋର୍ଦ୍ଧା ସାରୁଅ ସ୍ଥିତ ତରଙ୍ଗ ଷ୍ଟୁଡିଓରେ କାମ କରୁଥିବା ଠିକା କର୍ମଚାରୀଙ୍କ ଧାରଣା ପ୍ରସଙ୍ଗରେ ବୁଧବାର ଡିଭିଜନାଲ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଓଟିଭି କର୍ତ୍ତୃପକ୍ଷଙ୍କ ପ୍ରତିନିଧି । ଅନ୍ୟପଟେ ୮ ଜଣ ଠିକା କର୍ମଚାରୀ ମଧ୍ୟ ଆୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି । ଡିଭିଜନାଲ ଶ୍ରମ ଆୟୁକ୍ତ ଡଃ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ଆଗରେ ଉଭୟ ଶ୍ରମିକ ଏବଂ ଓଟିଭି କର୍ତ୍ତୃପକ୍ଷଙ୍କ ପ୍ରତିନିଧି ହାଜର ହୋଇଛନ୍ତି ।

ଉଭୟ ଶ୍ରମିକ ଏବଂ ଓଟିଭି କର୍ତ୍ତୃପକ୍ଷଙ୍କୁ ଆଲୋଚନା ନେଇ କାର୍ଯ୍ୟାଳୟରେ ହାଜର ହେବାକୁ ଭୁବନେଶ୍ବର ଡିଏଲସି ନୋଟିସ ଜାରି କରିଥିଲେ । ଦୁଇ ମାସ ଅର୍ଥାତ୍ ଅଗଷ୍ଟ ଓ ସେପ୍ଟେମ୍ବର ମାସର ଉପସ୍ଥାନ ଆଣିବାକୁ ତରଙ୍ଗ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଶ୍ରମିକମାନଙ୍କ ଦାବି ଅନୁଯାୟୀ ସ୍ଥାୟୀ ନିଯୁକ୍ତି, ବେତନ ଓ ଜୀବନ ବୀମାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବା ସୂଚନା ମିଳିଛି ।

ଅନ୍ୟପଟେ ସାରୁଅ ସ୍ଥିତ ତରଙ୍ଗ ଷ୍ଟୁଡିଓରେ କାମ କରୁଥିବା ଠିକା କର୍ମଚାରୀଙ୍କ ଧାରଣା ୧୮ ଦିନରେ ପହଞ୍ଚିଛି । ନିଜର ହକ୍ ଯଥା ସ୍ଥାୟୀ ନିଯୁକ୍ତି, ସରକାରଙ୍କ ନିୟମ ଅନୁଯାୟୀ ବେତନ ପ୍ରଦାନ, ଇଏସଆଇ, ଇପିଏଫ, ଲାଇଫ୍ ଇନସ୍ୟୁରାନ୍ସ, ପ୍ରଦାନ ପାଇଁ କର୍ମଚାରୀମାନେ ଦାବି କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଧାରଣାରେ ବସିଥିବା କର୍ମଚାରୀମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଫଳରେ କର୍ମଚାରୀମାନଙ୍କ ଧାରଣା ଜାରି ରହିଛି । ଦାବି ନ ପୁରଣ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କର୍ମଚାରୀମାନେ କହିଛନ୍ତି । ଖୁବ୍ ଶୀଘ୍ର ଶ୍ରମିକଙ୍କୁ ନ୍ୟାୟ ନ ମିଳିଲେ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.