ବିବାଦ ପରେ ବିବାଦରେ ଛନ୍ଦି ହେଉଛି ଓଟିଭି : ସାରୁଅ ଜମି ମାମଲାରେ ବାଘମାରୀ ଥାନାରେ ୩ କର୍ମଚାରୀଙ୍କୁ ୯ ଘଣ୍ଟା ଜେରା, ଚନ୍ଦ୍ରଶେଖରପୁର ଅଫିସ ନିର୍ମାଣରେ ସର୍ତ୍ତ ଖିଲାପକୁ ନେଇ ତନାଘନା

Published By : Prameya-News7 Bureau | October 10, 2020 IST

ଖୋର୍ଦ୍ଧା,୧୦|୧୦:   ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀକୁ ନେଇ ବଢ଼ୁଛି ଓଟିଭି କର୍ତ୍ତୃପକ୍ଷଙ୍କ ଅଡ଼ୁଆ । ପୋଲିସର ନୋଟିସ ଅନୁସାରେ ଆଜି ବାଘମାରୀ ଥାନାରେ ହାଜର ହୋଇଥିଲେ ଓଟିଭିର ୩ଜଣ କର୍ମଚାରୀ । ଜମି ବିବାଦ ଘଟଣାରେ ଦଳିତ ଚାଷୀଙ୍କୁ ଓଟିଭି କର୍ତ୍ତୃପକ୍ଷଙ୍କ ଜାତିଆଣ ଆକ୍ଷେପ ଓ ଗାଳିଗୁଲଜ ଅଭିଯୋଗର ତଦନ୍ତ କରୁଛି ଖୋର୍ଦ୍ଧା ପୋଲିସ । ସେପଟେ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥିବା ଓଟିଭି ଅଫିସ ନିର୍ମାଣରେ ବିଡିଏ ବିଲଡିଂ ରେଗୁଲେସନ ସର୍ତ୍ତାବଳୀ ଖିଲାପକୁ ନେଇ ଆରମ୍ଭ ହୋଇଛି ତନାଘନା ।

{"id":342011,"sizeSlug":"large"}

ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀକୁ ନେଇ ବଢ଼ୁଛି ଓଟିଭି କର୍ତ୍ତୃପକ୍ଷଙ୍କ ଅଡ଼ୁଆ । ପୋଲିସ ନୋଟିସ ଅନୁସାରେ ଶନିବାର ବାଘମାରୀ ଥାନାରେ ହାଜର ହୋଇଥିଲେ ଓଟିଭିର ୩ କର୍ମଚାରୀ । ଯେଉଁଥିରେ ଓଟିଭିର ସାରୁଅ ପ୍ରୋଜେକ୍ଟ ହେଡ୍‌ ଅନିରୁଦ୍ଧ ପଣ୍ଡା, ଓଟିଭି ଫାଇନାନ୍ସ ଅଧିକାରୀ ମନୋରଂଜନ ଷଡ଼ଙ୍ଗୀ ଏବଂ ଅନ୍ୟ ଜଣେ ପୂର୍ବତନ କର୍ମଚାରୀ ସାମିଲ ଥିଲେ । ଘଣ୍ଟା ଘଣ୍ଟା ଧରି ଓଟିଭିର ଏହି କର୍ମଚାରୀମାନଙ୍କୁ ପଚରା ଉଚରା କରିଥିଲା ଖୋର୍ଦ୍ଧା ପୋଲିସର ୬ଜଣିଆ ଟିମ୍‌ । ଯେଉଁଥିରେ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ, ଏସଡିପିଓ ସୁଶୀଲ ମିଶ୍ର, ବାଘମାରୀ ଥାନା ଆଇଆଇସି ମଧ୍ୟ ସାମିଲ୍‌ ଥିଲେ । ଗଲାକାଲି ଓଟିଭି ଅଫିସରେ ଚଢ଼ାଉ କରିବା ସହ ବିଭିନ୍ନ କାଗଜପତ୍ରର ଛାନଭିନ୍‌ କରିଥିଲା ୫ଜଣିଆ ପୋଲିସ ଟିମ୍‌ ।  ସାରୁଅରେ ଓଟିଭିର ଜମି କେଳେଙ୍କାରୀ ସହ ସ୍ଥାନୀୟ ଚାଷୀଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି । ସାରୁଅରେ ଓଟିଭି ସଂସ୍ଥା ପକ୍ଷରୁ ନିର୍ମାଣ କରାଯାଇଥିବା ତରଙ୍ଗ ଷ୍ଟୁଡିଓ ଯୋଗୁଁ ସ୍ଥାନୀୟ ଚାଷୀଙ୍କ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ସେମାନଙ୍କୁ ନିଜ ଜମିକୁ ଯିବାକୁ ରାସ୍ତା ଛାଡ଼ୁ ନାହାନ୍ତି ଓଟିଭି କର୍ତ୍ତୃପକ୍ଷ ।

ଏପରିକି ସର୍ବସାଧାରଣଙ୍କ ପାଇଁ ଥିବା ପୋଖରିକୁ ଯିବାକୁ ରାସ୍ତା ନାହିଁ । ଏହାର ପ୍ରତିବାଦ କରୁଥିବା ଦଳିତ ଚାଷୀଙ୍କୁ ଓଟିଭି କର୍ତ୍ତୃପକ୍ଷ ଜାତିଆଣ ଆକ୍ଷେପ କରିବା ସହ ଗାଳିଗୁଲଜ ଓ ଧମକ ଚମକ ଦେଉଥିବା ଅଭିଯୋଗ ହେବା ପରେ ଖୋର୍ଦ୍ଧା ପୋଲିସର ଏହାର ତଦନ୍ତ କରୁଛି । ସେପଟେ ଜମି କେଳେଙ୍କାରୀକୁ ନେଇ ତଦନ୍ତ କରୁଛି ଖୋର୍ଦ୍ଧା ରାଜସ୍ବ ବିଭାଗ । ପ୍ରାଥମିକ ତଦନ୍ତ ପରେ ଓଟିଭି କର୍ତ୍ତୃପକ୍ଷଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଛି । ସେପଟେ ଓଟିଭିର ଆଉ ଏକ ଅନିୟମିତତାକୁ ଧରିଛି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ, ବିଡିଏ ।  ଚନ୍ଦ୍ରଶେଖରପୁରରେ ଥିବା ଓଟିଭି କାର୍ଯ୍ୟାଳୟ ନିର୍ମାଣରେ ବିଡିଏ ବିଲଡିଂ ରେଗୁଲେସନ ସର୍ତ୍ତାବଳୀ ଖିଲାପ କରାଯାଇଥିବା ବିଡିଏ ନଜରକୁ ଆସିଛି ।

{"id":342013,"sizeSlug":"large"}

କେବଳ ସେତିକି ନୁହେଁ ସେଠାରେ ଓଟିଭି କାର୍ଯ୍ୟାଳୟ ପକ୍ଷରୁ ସରକାରୀ ଜମି ଜବରଦଖଲ କରାଯାଇଥିବା ଜାଣିବାକୁ ପାଇଛି ବିଡିଏ । ଏନେଇ ଖୁବ୍‌ ଶୀଘ୍ର ବିଡିଏର ପ୍ଲାନିଂ ବିଭାଗ ଏବଂ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ଼ ଆକ୍ସନକୁ ଆସିବେ ବୋଲି ଜଣାପଡ଼ିଛି । ଖୋର୍ଦ୍ଧା ସାରୁଅରେ ଜମି କେଳେଙ୍କାରୀ ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ବର ବିଡିଏ ନିୟମ ଉଲଂଘନ ଯାଏଁ ବିଭିନ୍ନ ଅନିୟମିତତା ଏବେ ଓଟିଭି କର୍ତ୍ତୃପକ୍ଷଙ୍କ ପାଇଁ ଅଡ଼ୁଆ ବଢ଼ାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.