ନାବାଳିକା ଦୁଷ୍କର୍ମ ମାମଲାରେ ମହିଳା କମିଶନଙ୍କ ପ୍ରୋସିଡିଂକୁ ରଦ୍ଦ ମାମଲାରେ ଓଟିଭି ଏମ୍‌ଡି ଜାଗି ପଣ୍ଡାଙ୍କ ପିଟିସନ୍ ଖାରଜ କଲେ ହାଇକୋର୍ଟ

Published By : Prameya-News7 Bureau | October 01, 2020 IST

କଟକ,୦୧/୧୦: ଭୁବନେଶ୍ୱର ନାବାଳିକା ଗଣବଳାତ୍କାର ମାମଲାରେ ରାଜ୍ୟ ମହିଳା କମିସନ୍‌ଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରୋସିଡିଂକୁ ରଦ୍ଦ କରିବା ଲାଗି ଓଡ଼ିଶା ଟେଲିଭିଜନ୍‌ (ଓଟିଭି)ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଜାଗି ମଙ୍ଗତ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବିଶ୍ୱନାଥ ରଥ ଆଜି ମାମଲାର ପ୍ରାଥମିକ ଶୁଣାଣି କରି ଶ୍ରୀମତୀ ପଣ୍ଡାଙ୍କ ଆବେଦନକୁ ଖାରଜ କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ମାମଲାରେ ଅଦାଲତ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଆଦେଶରେ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟଙ୍କ ଆଦେଶ ଫଳରେ ଶ୍ରୀମତୀ ପଣ୍ଡାଙ୍କୁ ବଡ଼ ଝଟ୍‌କା ଲାଗିଥିବା କୁହାଯାଉଛି ।

ହାଇକୋର୍ଟ କହିଛନ୍ତି, ଇତିମଧ୍ୟରେ ଅଭିଯୋଗ ଆଧାରରେ ପ୍ରୋସିଡିଂ ଆରମ୍ଭ ହୋଇସାରିଛି । ଆବେଦନକାରିଣୀ ତାଙ୍କ ବିରୋଧରେ ହୋଇଥିବା ପ୍ରୋସିଡିଂକୁ ବନ୍ଦ କରିବା ଲାଗି ମହିଳା କମିସନଙ୍କ ନିକଟରେ ପିଟିସନ୍‌ ଫାଇଲ୍‌ କରିଛନ୍ତି, ଯାହା ଏବେ ବିଚାରାଧୀନ ରହିଛି । ଆସନ୍ତା ଅକ୍ଟୋବର ପହିଲା ଅର୍ଥାତ୍‌ ଆସନ୍ତାକାଲି ଏହାର ଶୁଣାଣି ଧାର୍ଯ୍ୟ ହୋଇଛି । ତେଣୁ ଏ କ୍ଷେତ୍ରରେ ହାଇକୋର୍ଟ ହସ୍ତକ୍ଷେପ କରିବେ ନାହିଁ । ବର୍ତ୍ତମାନ ସ୍ଥିତିରେ ଏହି ମାମଲା ଗ୍ରହଣୀୟ ହୋଇନଥିବାରୁ ହାଇକୋର୍ଟ ଏହାର ଅନ୍ତ ଘଟାଇବା ସହ କହିଛନ୍ତି ଯେ, ପ୍ରୋସିଡିଂ ବନ୍ଦ ପାଇଁ ଆବେଦନକାରିଣୀ ଯେଉଁ ପିଟିସନ୍‌ ଦାଖଲ କରିଛନ୍ତି ତାହା ଉପରେ ମହିଳା କମିସନ ଯାହା ପଦକ୍ଷେପ ନେଇପାରିବେ ।

କୋର୍ଟ କହିଛନ୍ତି, ଯେଉଁଦିନ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି ସେଦିନ ଉଭୟପକ୍ଷଙ୍କୁ କମିସନ ଶୁଣାଣିର ସୁଯୋଗ ଦେବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆବଶ୍ୟକ ନିର୍ଦ୍ଦେଶ ଦେବେ । ଏହି ସମୟ ମଧ୍ୟରେ ଯଦି ଆବେଦନକାରିଣୀ ଶ୍ରୀମତୀ ପଣ୍ଡାଙ୍କ ପକ୍ଷରୁ ବ୍ୟକ୍ତିଗତ ହାଜିରା ବାତିଲ୍‌ ସହ ତାଙ୍କ ପାଇଁ ଆଇନଜୀବୀ କିମ୍ବା ତାଙ୍କ ସଂସ୍ଥାର କୌଣସି ପ୍ରତିନିଧିଙ୍କ ଜରିଆରେ ସେ ହାଜର ହେବା ନେଇ ଦରଖାସ୍ତ ଦିଆଯାଏ, ତାହେଲେ ତାହାକୁ ମହିଳା କମିସନ୍‌ ପ୍ରାଧାନ୍ୟ ଦେବାକୁ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଶ୍ରୀମତୀ ପଣ୍ଡାଙ୍କୁ ନୋଟିସ୍‌ ଜାରି କରିବା ପରିପ୍ରେକ୍ଷୀରେ ମହିଳା କମିସନ୍‌ ଯେଉଁ ଢଙ୍ଗରେ କିଛି ଶଦ୍ଦ ବ୍ୟବହାର କରିଛନ୍ତି ତାହାକୁ ହାଇକୋର୍ଟ ମାମଲାର ଶୁଣାଣି ଅବସରରେ ନାପସନ୍ଦ କରିଛନ୍ତି । ହାଇକୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ବେଳେ ଅନୁଷ୍ଠାନ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଅଭିଯୋଗ ହୋଇଛି ।

ପୀଡ଼ିତାଙ୍କ ପରିବାର ପକ୍ଷରୁ ହୋଇଥିବା ଏଭଳି ଅଭିଯୋଗ ଆଧାରରେ ମହିଳା କମିସନ ଶ୍ରୀମତୀ ପଣ୍ଡାଙ୍କୁ ନୋଟିସ୍‌ କରିଛନ୍ତି । ନୋଟିସ୍‌ରୁ ଜଣାପଡୁଛି, କମିସନ ଅଭିଯୋଗ ଆଧାରରେ ପ୍ରୋସିଡିଂ ଆରମ୍ଭ କରିଛନ୍ତି । କିନ୍ତୁ କମିସନ ନୋଟିସ୍‌ରେ ଯେଉଁ ଶଦ୍ଦ ବ୍ୟବହାର କରିଛନ୍ତି ଏଥିରୁ ବୁଝାପଡୁଛି, ଭାଓଲେସନ୍‌ ଅଫ୍‌ ପ୍ରୋଭିଜନ୍‌ ଅଫ୍‌ ଦ’ ଆକ୍ଟ ୨୦୧୩ (କାର୍ଯ୍ୟସ୍ଥଳୀରେ ଯୌନ ନିର୍ଯାତନା ଆଇନ)ର ଉଲ୍ଲଂଘନ ହୋଇସାରିଛି । ଅଭିଯୋଗର ଶୁଣାଣି ପୂର୍ବରୁ କମିସନଙ୍କ ଏଭଳି ମନ୍ତବ୍ୟକୁ ନେଇ ହାଇକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । କମିସନ ଯେତେବେଳେ ଆଗକୁ ଏହିଭଳି ଅଭିଯୋଗ ଉପରେ କୌଣସି ପକ୍ଷଙ୍କୁ ନୋଟିସ୍‌ କରିବେ ସେତେବେଳେ ଏଥିପ୍ରତି ଯତ୍ନବାନ ହେବେ ବୋଲି ହାଇକୋର୍ଟ ଆଶା ବ୍ୟକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.