ଅଗ୍ନି ନିରାପତ୍ତା ନିୟମ ମାନୁନାହିଁ ଓଟିଭି, ଚିଠି ଲେଖି ପରିଚାଳକଙ୍କୁ କଡା ତାଗିଦ୍ କଲା ଓଫଡ୍ରା

Published By : Prameya-News7 Bureau | October 28, 2020 IST

ଭୁବନେଶ୍ଵର ୨୮।୧୦: ଅଗ୍ନି ନିରାପତ୍ତା ନିୟମ ମାନୁନାହିଁ ଓଟିଭି। ଓଡିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ଏକାଡେମୀ(ଓଫଡ୍ରା) ରାଜଧାନୀ ଭୁବନେଶ୍ଵର ସ୍ଥିତ ପଟିଆରେ ନିଜର କାର୍ଯ୍ୟାଳୟ ପରିସରରେ ଅଗ୍ନି ନିରାପତ୍ତା ନିୟମ ମାନୁନଥିବାରୁ ଓଡିଶା ଟେଲିଭିଜନ ଲିମିଟେଡ୍(ଓଟିଭି)ର ପରିଚାଳକଙ୍କୁ କଡା ତାଗିଦ୍ କରିଛି।

ଓଫଡ୍ରା ଏହି ଓଡିଆ ନ୍ୟୁଜ୍ ଚ୍ୟାନେଲର ପରିଚାଳକଙ୍କୁ ଚିଠି ପଠାଇ  ଅଗ୍ନି ନିରାପତ୍ତା ମାନଦଣ୍ଡ ପାଳନ  କରିବାକୁ କହିଛି। ଅଫଡ୍ରା ଅକ୍ଟୋବର ୭ରେ ଓଟିଭି କାର୍ଯ୍ୟାଳୟରେ ଅଗ୍ନି ନିରାପତ୍ତା ଯାଞ୍ଚ କରିଛି। ଯାଞ୍ଚ ବେଳେ ଅଧିକାରୀ ଅଗ୍ନି ନିରାପତ୍ତା ମାନଦଣ୍ଡରେ ଅନେକ ତ୍ରୁଟି ପାଇଛନ୍ତି। ନୀରିକ୍ଷଣ ବେଳେ ଏହା ମଧ୍ୟ ଜଣା ପଡିଛି ଯେ, ବିଲିଂକୁ ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) କେବଳ ଅଫିସ୍ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଥିଲା। ହେଲେ କାର୍ଯ୍ୟାଳୟର ତଳ ମହଲାକୁ ଷ୍ଟୁଡିଓ, ଡାଇନିଂ  ହଲ୍ ଓ ମେକଅପ ରୁମ ଭାବେ ବ୍ୟବହାର କରାଯାଉଛି, ଯାହା ବିଡିଏର ନିୟମକୁ ଉଲ୍ଲଂଘନ କରୁଛି। ଏଥିସହ ତଳ ମହଲାକୁ କେବଳ ପାର୍କିଂ ପାଇଁ ଅନୁମତି ଦିଆଯାଇଥିଲା। ହେଲେ ଏହାକୁ ବଦଳାଇ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ଓଫଡ୍ରା ଯାଞ୍ଚରୁ ଜଣା ପଡିଛି।

ଅଧିକାରୀ ଓଟିଭି ପରିଚାଳକଙ୍କୁ ତ୍ରୁଟି ବିଚ୍ୟୁତିକୁ ଶୀଘ୍ର ସଂଶୋଧନ କରିବା ଏବଂ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଜାରି କରିବା ପୂର୍ବରୁ  ଅଧିକ ଯାଞ୍ଚ ପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି।

ଷ୍ଟୁଡିଓରେ ଅନେକ ଅଗ୍ନି ପ୍ରବଣ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ସ ସର୍ଭର କକ୍ଷ ଆଦି ରହିଛି, ଯେଉଁଥିରେ ନିଆଁ ଲାଗିବାର ବିପଦ ରହିଛି। ଅନେକ କର୍ମଚାରୀ ତଳ ମହଲାରେ କାମ କରୁଛନ୍ତି। ଏମିତି ସ୍ଥିତିରେ ଅଗ୍ନିକାଣ୍ଡ ହେଲେ ଅନେକ ଧନ ଜୀବନ ନଷ୍ଟ  ହେବାର ବିପଦ ରହିଛି, କାରଣ ତଳ ମହଲାରେ ଭେଣ୍ଟିଲେସନ ସିଷ୍ଟମ ନଥିବା ଓଡଫ୍ରା ଚିଠିରେ ଉଲ୍ଲେଖ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.