ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭିର ୨ କର୍ମଚାରୀ ଏବଂ ୨ସିକ୍ୟୁରିଟି ଗାର୍ଡ଼ ଗିରଫ: ୬ ମାସ ହେଲା ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | December 14, 2020 IST

ଭୁବନେଶ୍ୱର ୧୪/୧୨ : ଲକଡାଉନ୍‌ ବେଳେ ଭୁବନେଶ୍ବର ଇମ୍ଫୋସିଟି ଅଞ୍ଚଳରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୪ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତଙ୍କ ଭିତରେ ଓଟିଭିର ୨ଜଣ କର୍ମଚାରୀ ଏବଂ ୨ଜଣ ସିକ୍ୟୁରିଟି ଗାର୍ଡ଼ ଅଛନ୍ତି । ଅକ୍ଟୋବର ୬ରୁ ଏହି ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସେପଟେ ଏହି ମାମଲାରେ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହୋଇଛନ୍ତି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ପୀଡ଼ିତା ମାଆଙ୍କ ଅଭିଯୋଗ ଆଧାରରେ ମାମଲାର ଶୁଣାଣି କରୁଛନ୍ତି ଶଶୁ ଅଧିକାର ସୁରକ୍ଷା ଆୟୋଗ ।

{"id":377392,"sizeSlug":"large","linkDestination":"none"}

ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଲକ୍‌ଡାଉନ୍‌ ବେଳେ ଭୁବନେଶ୍ବର ଇମ୍ଫୋସିଟି ଅଚଂଳରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଓଟିଭିର ୨ କର୍ମଚାରୀଙ୍କ ସମେତ ୨ ସିକ୍ୟୁରିଟି ଗାର୍ଡ଼ଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତମାନେ ହେଲେ ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା,  କୃଷ୍ଣ ବେହେରା,  ସିକ୍ୟୁରିଟି ଗାର୍ଡ଼ ​ସାମଲ ଓ ବିଜୟ ରାଉତ । ରବିବାର ରାତିରେ ପୁରୀ ଗୋପ ଅଂଚଳରୁ ଅନିରୁଦ୍ଧଙ୍କୁ ଉଠାଇଛି କ୍ରାଇମବ୍ରାଞ୍ଚ ଟିମ୍‌ । ୧୬ ତାରିଖ ସୁଦ୍ଧା ଏହି ମାମଲା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ ହାଇକୋର୍ଟ । ଏମିତିକି ତଦନ୍ତରେ ଶିଥିଳତାକୁ ନେଇ ମଧ୍ୟ ପୋଲିସ ଭର୍ସନା କରିଥିଲେ ଉଚ୍ଚ ନ୍ୟାୟାଳୟ । ଅକ୍ଟୋବର ୬ରୁ ଏହି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ କୋର୍ଟଙ୍କ କଣ୍ଟ ପୂରିବା ଆଗରୁ ୪ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯିବା ସହ ସେମାନଙ୍କ ବୟାନ ରେକର୍ଡ଼ ହୋଇଛି ।

ଗତ ମାର୍ଚ୍ଚ, ଏପ୍ରିଲ ମାସ ମଧ୍ୟରେ  ଭୁବନେଶ୍ବର ଇମ୍ଫୋସିଟି ଅଂଚଳରେ ଜଣେ ଦଳିତ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ନେଇ ପୀଡ଼ିତାଙ୍କ ମାଆ ଅଗଷ୍ଟ ୩୦ରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ  ଜଣେ ପୋଲିସ ଅଧିକାରୀଙ୍କ ସମେତ ମୋଟ ୭ଜଣଙ୍କ ବିରୋଧରେ ମାମଲା ହୋଇଥିଲା । ଏବେ ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀ ଏବଂ ତାଙ୍କର ୨ ସହଯୋଗୀଙ୍କୁ କାହିଁକି  ଏପର୍ଯ୍ୟନ୍ତ ଗିରଫ କରାଯାଇନି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

{"id":377391,"sizeSlug":"large","linkDestination":"none"}

ସେପଟେ ଏହି ମାମଲାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହୋଇଛନ୍ତି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ଭିଡିଓ କନ୍‌ଫରେନ୍ସିଂରେ ହାଜର ଜଗି ନିଜ ପକ୍ଷ ରଖିଛନ୍ତି । ପୀଡ଼ିତା ମାଆଙ୍କ ଅଭିଯୋଗ ଆଧାରରେ ମାମଲାର ଶୁଣାଣି କରୁଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ତେବେ ଏହି ଗଣଦୁଷ୍କର୍ମ ମାମଲାରେ ଓଟିଭି କର୍ମଚାରୀଙ୍କ ସଂପୃକ୍ତି କଥା ଜାଣିବି କୌଣସି ପଦକ୍ଷେପ ନନେବା, ଘଟଣାକୁ ଚପାଇବାକୁ ଚେଷ୍ଟା କରିବା, ପୀଡ଼ିତାଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ କାହାକୁ ନକହିବା  ପାଇଁ ଧମକ ଦେବା ଆଦି ଅଭିଯୋଗକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଆଗରେ ଅସ୍ବିକାର କରିଛନ୍ତି ଓଟିଭି ଏମଡି । ସେପଟେ ଓଟିଭି ଏମଡି ନିଜ ଦୋଷ ନମାନିବା ସହ ତଦନ୍ତରେ ଅସହଯୋଗ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତା ମାଆଙ୍କ ଓକିଲ । ସେହିଭଳି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହେବ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ।

ଏହି ଘଟଣାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ମାଆ ଓଟିଭିରେ ଜଣେ ପୂର୍ବତନ କର୍ମଚାରୀ । ନିଜ ଝିଅ ପ୍ରତି ହୋଇଥିବା ଏଭଳି ଅମାନୁଷିକ କାଣ୍ଡ ସମ୍ପର୍କରେ ସେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କୁ ଜଣାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଥିଲା । ଏମିତିକି ଘଟଣାକୁ ଚପାଇ ଦେବା ପାଇଁ ପୀଡ଼ିତା ଓ ତାଙ୍କ ମାଆଙ୍କ ଉପରେ ଚାପ ପ୍ରୟୋଗ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ତାଙ୍କ ମାଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.