ବିଜ୍ଞାନର ଚମତ୍କାରୀତା : ପ୍ରଥମ ଥର ମୃତା ମହିଳାଙ୍କ ଗର୍ଭାଶୟ ବାହାର କରି ଅନ୍ୟ ମହିଳାଙ୍କଠାରେ କରାଗଲା ପ୍ରତିରୋପଣ, ଜନ୍ମହେଲା ସୁସ୍ଥ ଶିଶୁ

Published By : Prameya-News7 Bureau | December 05, 2018 IST

ପ୍ୟାରିସ୍ ୫/୧୨: ଚିକିତ୍ସାବିଜ୍ଞାନ ଇତିହାସରେ ପ୍ରଥମ ଥର ଜଣେ ମୃତା ମହିଳାଙ୍କଠୁ ଗର୍ଭାଶୟ ବାହାର କରି ଅନ୍ୟଜଣେ ମହିଳାଙ୍କଠାରେ ସଫଳ ପ୍ରତିରୋପଣ କରାଯାଇଛି । ଏଥିସହ ମହିଳାଙ୍କ ଗର୍ଭରୁ ସୁସ୍ଥ ସନ୍ତାନ ମଧ୍ୟ ପ୍ରସବ କରାଯାଇଛି । ଏହା ଏକ ଚମତ୍କାର ଛଡ଼ା ଆଉ କିଛି ନୁହେଁ। ଏହି ଅସ୍ତ୍ରୋପଚାର ୨ବର୍ଷ ପୂର୍ବରୁ ବ୍ରାଜିଲରେ ହୋଇଥିଲା। ଡାକ୍ତରଙ୍କ କହିବାନୁସାରେ ଏହା ଦୁନିଆରେ ପ୍ରଥମ ଥର ହୋଇଛି। ଏହା ପୂର୍ବରୁ ମଧ୍ୟ ମୃତା ମହିଳାଙ୍କ ଗର୍ଭାଶୟ ନେଇ ପ୍ରତିରୋପଣ କରିବାକୁ ଉଦ୍ୟମ କରାଯାଇଥିଲା , କିନ୍ତୁ ସେଥିରେ ଡାକ୍ତରଙ୍କୁ ସଫଳତା ମିଳିନଥିଲା। ଏହି ସଫଳ ଅସ୍ତ୍ରୋପଚାର ପରେ ଜଣା ପଡ଼ିଥିଲା ଯେ ଚିକିତ୍ସା ବିଜ୍ଞାନରେ ଏହିପରି ଅସ୍ତ୍ରୋପଚାର ସମ୍ଭବ। ଏହାପରେ  ଗର୍ଭାଶୟ କାରଣରୁ ମାଆ ହୋଇପାରୁନଥିବା ହଜାର ହଜାର ମହିଳାଙ୍କୁ ଏକ ନୂଆ ଆଶା ମିଳିଛି ।  ପ୍ରତିରୋପଣର ଏଭଳି ସଫଳତା ପୂର୍ବରୁ ବନ୍ଧ୍ୟାତ୍ବ ଏବଂ ଗର୍ଭାଶୟ ସମସ୍ୟା  ଥିବା ମହିଳାମାନଙ୍କ ପାଇଁ ମାଆ ହେବା ଲାଗି ୨ଟି ରାସ୍ତା ବାଛିବାକୁ ପଡ଼ୁଥିଲା । ପ୍ରଥମ ହେଉଛି ପୋଷ୍ୟସନ୍ତାନ ଗ୍ରହଣ କରିବା ଏବଂ  ଦ୍ବିତୀୟ ହେଉଛି ସରୋଗେସିର ସାହାଯ୍ୟ ନେବା। ସୂଚନା ଅନୁସାରେ  ଏହି ପ୍ରତିରୋପଣ ସାଓ ପାଓଲୋରେ ୨୦୧୬ମସିହା ସେପ୍ଟେମ୍ବର ମାସରେ କରାଯାଇଥିଲା। ସେହି ସମୟରେ ଛୁଆକୁ ଜନ୍ମ କରୁଥିବା ମହିଳାଙ୍କ ବୟସ ୩୨ବର୍ଷ ଥିଲା। ମୃତା ମହିଳାଙ୍କ ଗର୍ଭାଶୟକୁ ମହିଳାଙ୍କ ଶିରାରେ ଯୋଡ଼ାଯାଇଥିଲା ଏବଂ ଧମନୀ ,ଯୋନୀ ସହ ସଂଯୋଗ କରାଯାଇଥିଲା। ନିଜ ଗର୍ଭାଶୟ ଦାନ କରିଥିବା ମୃତା ମହିଳାଙ୍କ ବୟସ ୪୫ବର୍ଷ ଥିଲା । ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତରଙ୍କ କହିବା ଅନୁସାରେ ଯେଉଁ ମହିଳାଙ୍କଠାରେ ଗର୍ଭାଶୟ ପ୍ରତିରୋପଣ କରାଯାଇଥିଲା ଜନ୍ମରୁ ତାଙ୍କର ଗର୍ଭାଶୟ ହିଁ ନଥିଲା ।ଗର୍ଭାଶୟ ପ୍ରତିରୋପଣ କରିବାର ୫ମାସ ପରେ ମହିଳାଙ୍କ ସ୍ବାସ୍ଥ୍ୟ ସ୍ବାଭାବିକ ଥିଲା। ତାଙ୍କ ଅଲଟ୍ରାସାଉଣ୍ଡରୁ ସବୁ କଥା ସ୍ବାଭାବିକ ଥିବା ଜଣାପଡିଥିଲା । ତାଙ୍କର ଋତୁସ୍ରାବ ମଧ୍ୟ ଠିକ୍ ସମୟରେ ହେଉଥିଲା। ମହିଳା ୩୫ସପ୍ତାହ ପରେ କନ୍ୟାକୁ ଜନ୍ମ ଦେଇଥିଲେ। ଏହା ପୂର୍ବରୁ ଆମେରିକା ଏବଂ ତୁର୍କୀରେ ମଧ୍ୟ ଏହାର ଉଦ୍ୟମ କରାଯାଇଥିଲା। କିନ୍ତୁ ୧୦ଥର ଏହା ଫେଲ୍ ମାରିଥିଲା। ଗର୍ଭାଶୟ ପ୍ରତିରୋପଣ କରିବା ପରେ ପ୍ରଥମ ନବଜାତ ୨୦୧୩ମସିହାରେ ସ୍ବିଡେନରେ ହୋଇଥିଲା। ସୂଚନା ଅନୁସାରେ ଗର୍ଭାଶୟ ପ୍ରତିରୋପଣ ଜରିଆରେ ମହାରାଷ୍ଟ୍ରର ପୁଣେରେ ମଧ୍ୟ ଜଣେ ମହିଳା ଛୁଆକୁ ଜନ୍ମ ଦେଇଥିଲେ। ଖାସ୍ କଥା ଏହା ଥିଲା ଯେ, ଛୁଆଟି ତା ନିଜ ଆଇର ଗର୍ଭାଶୟରୁ ଜନ୍ମ ନେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.