ଜନ୍ମଦିନରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହେଲେ ଓଟିଡିସି ଅଧ୍ୟକ୍ଷା

Published By : Prameya-News7 Bureau | April 17, 2021 IST

ଭୁବନେଶ୍ୱର, ୧୭/୦୪: ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ସେ ଆଜି କଟକସ୍ଥିତ ‘ସମାଜ’କାର୍ଯ୍ୟାଳୟକୁ ଯାଇ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶରୀର ଓ ଅଙ୍ଗଦାନ ଅଭିଯାନରେ ସାମିଲ ହୋଇଛନ୍ତି ।

ଶ୍ରୀମତୀ ମିଶ୍ର ସମାଜ କାର୍ଯ୍ୟାଳୟ ପରିସରରେ ଥିବା ‘ଶରୀର ଓ ଅଙ୍ଗଦାନ ଅଭିଯାନ’ ସଭାପତି ତଥା ଲୋକସେବକ ମଣ୍ଡଳର ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ ଓ ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତାଙ୍କୁ ଭେଟି ମୃତ୍ୟୁ ପରେ ତାଙ୍କର ଶରୀରକୁ ଅନ୍ୟକୁ ଦାନ କରିବା ନିମନ୍ତେ ଆନୁଷ୍ଠାନିକ ଚୁକ୍ତିବଦ୍ଧ  ଓ ସତ୍ୟପାଠ କରିଛନ୍ତି ।  ଶ୍ରୀମତୀ ମିଶ୍ର ଅଙ୍ଗଦାନ ପାଇଁ ଅଙ୍ଗୀକାରବଦ୍ଧ ହେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସଚେତନତାର ଅଭାବ ହେଉ କି ଅନ୍ଧବିଶ୍ୱାସ ଯୋଗୁ ଭାରତରେ ସେଭଳି ଆଖିଦୃଶିଆ ଅଙ୍ଗଦାନ ହୋଇପାରିନାହିଁ ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ପ୍ରତିବର୍ଷ ପ୍ରାୟ ୫ଲକ୍ଷ ଲୋକଙ୍କର ଶରୀରର ବିଭିନ୍ନ ଅଙ୍ଗ ଅକାମୀ ହୋଇଯାଉଥିବାରୁ ସେମାନଙ୍କର ମୃତ୍ୟୁ ହେଉଛି । ତେଣୁ ଅଙ୍ଗଦାନ କରି ଯଦି ଏଭଳି ଲୋକଙ୍କ ମୁହଁରେ ଓ ସେମାନଙ୍କର ପରିବାର ମୁହଁରେ ଟିକେ ହସ ଫୁଟାଇ ପାରିବା, ତା’ହେଲେ ଏହାଠାରୁ ବଡ଼ ମହତ କାମ ଓ ଆତ୍ମସନ୍ତୋଷ ଆଉ କିଛି ହୋଇନପାରେ । ଅଙ୍ଗଦାନ ସବୁଠୁ ମହତ ଦାନ । ମୃତ୍ୟୁପରେ ସ୍ୱେଚ୍ଛାକୃତ ଅଙ୍ଗଦାନକୁ ପ୍ରୋତ୍ସାହିତ କରାଗଲେ ଅନେକ ମୂଲ୍ୟବାନ ଜୀବନ ବଂଚାଇ ହେବ ।

ନିକଟରେ ଦିଲ୍ଲୀରେ ମାତ୍ର ୨୦ମାସର ଶିଶୁ ବ୍ରେନ୍ ଡେଡ୍ ଅବସ୍ଥାରେ ନିଜର ଅଙ୍ଗଦାନ କରି ୫ଜଣଙ୍କ ଜୀବନକୁ ବଂଚାଇ ପାରିଛି । ତେଣୁ ମୃତ୍ୟୁ ପରେ ମୋ’ର ଶରୀର ଅନ୍ୟ କାହାରି ଜୀବନ ବଂଚାଇବା ସହ ଚିକିତ୍ସା ବିଜ୍ଞାନ ଗବେଷଣା ପାଇଁ ଉପଯୋଗ ହେଉ ବୋଲି ଆଶା ରଖି ଅଙ୍ଗଦାନ ନିମନ୍ତେ ଚୁକ୍ତିବଦ୍ଧ ହୋଇଛି । ମୃତ୍ୟୁ ପରେ ଯଦି ଆମର ଶରୀର ଅନ୍ୟର କାମରେ ଆସିପାରୁଛି ଓ ଅନ୍ୟମାନଙ୍କ ଜୀବନ ବଂଚାଇବାରେ ସହାୟକ ହେଇପାରୁଛି, ତା’ହେଲେ ଏଥିପ୍ରତି ସମସ୍ତେ ଆଗେଇ ଆସିବା ଉଚିତ୍ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.