ସୋମବାରଠୁ ଗଡିବ ଓଏସଆରଟିସି ବସ୍, ଆରମ୍ଭରୁ ୬୬ ରୁଟ୍, ଭୁବନେଶ୍ୱରରୁ ୨୨ଟି ସହରକୁ ବସସେବା
6/06/2020 at 7:24 PM

ଭୁବନେଶ୍ୱର, ୦୬|୦୬: ରାଜ୍ୟରେ ସୋମବାରଠାରୁ ସାଧାରଣ ଲୋକଙ୍କ ପାଇଁ ବସ୍ ସେବା ଆରମ୍ଭ କରିବ ଓଏସଆରଟିସି । ତେବେ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ବସ୍ ଯାତ୍ରା କାର୍ଯ୍ୟକାରୀ ହେବ, ଅର୍ଥାତ ମାସ୍କ ଓ ସାମାଜିକ ଦୂରତା ରହିବ । ବସରେ ଛିଡା ହୋଇ କେହି ଯାତ୍ରା କରିବେ ନାହିଁ । ଏପରି ଗାଇଡଲାଇନ୍ ସହ ପ୍ରଥମ ପର୍ଯ୍ୟାୟରେ ୬୬ଟି ରୁଟରେ ସରକାରୀ ବସ୍ ଚଳାଚଳ କରିବ ।
ସୋମବାରଠାରୁ ପ୍ରଥମେ ଓଏସଆରଟିସି ପକ୍ଷରୁ ୬୬ଟି ରୁଟରେ ବସ୍ ଚାଲିବ । ଏନେଇ ସଂସ୍ଥାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସାଧାରଣ ଜନତାଙ୍କ ସୁବିଧାକୁ ଦେଖି ସୋମବାରଠୁ ୯୬ଟି ବସ ଚଳାଚଳ କରିବ । ରାଜଧାନୀ ଭୁବନେଶ୍ୱରରୁ ୨୨ଟି ସହରକୁ ବସ ଗଡିବ । ପରେ ଅଧିକ ରୁଟକୁ ବସ୍ ଚଳାଚଳ ସଂପ୍ରସାରିତ ହେବ।
ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଥିବା ୪୪୦ଟି ସରକାରୀ ବସରୁ ୭୦ ପ୍ରତିଶତ ବସ୍ ପ୍ରବାସୀ ଶ୍ରମିକଙ୍କ ସେବାରେ ନିୟୋଜିତ ଥିଲା । ତେବେ ବସରେ ଯାତ୍ରା କରିବା ପାଇଁ ମାସ୍କ ବାଧ୍ୟତାମୂଳକ । ବିନା ମାସ୍କରେ କାହାରିକୁ ଯାତ୍ରା କରିବା ପାଇଁ ଅନୁମତି ମିଳିବ ନାହିଁ । ସେଭଳି କୌଣସି ଯାତ୍ରୀ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ। ଏହାସହ ଜରୁରୀ କାମ ନଥିଲେ ଯାତ୍ରା ନକରିବା ପାଇଁ ପରାମର୍ଶ ଦିଆଯିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ମଧ୍ୟ କୁହାଯାଇଛି ।