Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ତିତଲୀ ବାତ୍ୟାରେ ପ୍ରାଣ ହରାଇଥିବା କୌଶଲ୍ୟାର ଶବ ଦେହରୁ କିଏ ନେଇଗଲା ସୁନା? ପରିବାରକୁ ନା’ ମିଳୁଛି ସୁନା , ନା’ ମୃତ୍ୟୁ ପାଇଁ ଅନୁକମ୍ପା

13/11/2018 at 4:49 PM

ଭଦ୍ରକ ୧୩/୧୧ : ଘରକୁ ଝିଅର ଶବ ଆସିଲା, ଆଉ ସେତେବେଳେକୁ ଶବ ସଢି ଯାଇଥିଲା । ଏମିତି ଗନ୍ଧ ହେଉଥିଲା ଯେ, ସମସ୍ତେ ନାକରେ ହାତ ଦେଉଥିଲେ । ଆଉ ତା ଦେହରେ ଥିବା ସୁନା ଅଳଙ୍କାର କିଛି ନଥିଲା । ବାପା ମାଆ ଭାବିଥିଲେ ପଛରେ ଆଉ କେହି ଆଣି ସବୁ ଅଳଙ୍କାର ଘରେ ଦେଇଯିବେ । ମାସେ ବିତି ଗଲାଣି , ଝିଅ ସୁନା ଅଳଙ୍କାରର କିଛି ବି ସୁରାକ ମିଳୁନି । ଆମେ କହୁଛୁ ସେହି ୧୭ ବର୍ଷର ନାବାଳିକା ଝିଅ କୌଶଲ୍ୟା ସେଠୀଙ୍କ କଥା । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନାର ମନ୍ଦାରୀ ଗାଁରେ ତାଙ୍କ ଘର । ଗତ ମାସର ତିତିଲୀ ବାତ୍ୟା ତାକୁ ମାରି ଦେଇଥିଲା । ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଗାରାବନ୍ଧ ଥାନାର ଲାବଣ୍ୟ ଗଡ ଗାଁରେ ରହି ସେ କାମ କରୁଥିଲେ ।

ଅକ୍ଟୋବର ୧୦ ତାରିଖ ରାତି, ପବନର ବେଗ ଥିଲା ଘଂଟା ପ୍ରତି ୮୦ କି.ମି.ରୁ ଅଧିକ । ଲାବଣ୍ୟଗଡର ଏକ ମାର୍ବଲ କାରଖାନାରେ କାମ କରୁଥିବା କୌଶଲ୍ୟା, ସେଦିନ ରାତିରେ ଶୋଇଥିଲେ । ରାତି ପ୍ରାୟ ଦୁଇଟା, ଆଉ ସେହି ସମୟରେ ଘରର କାନ୍ଥ ତା ଉପରେ ପଡି ଯାଇଥିଲା । ସେହିଠାରେ କୌଶଲ୍ୟାର ପ୍ରାଣ ଚାଲି ଯାଇଥିଲା । ତିତିଲୀ ବାତ୍ୟା ଗଜପତି ଜିଲ୍ଲାରେ ଏତେ ପ୍ରଳୟଙ୍କାରୀ ଥିଲା ଯେ, ଶବ ପାଖକୁ ଆମ୍ବୁଲାନ୍ସ ଯାଇ ପାରୁ ନଥିଲା । ରାସ୍ତା ଉପରେ ବଡ ବଡ ଗଛ ପଡି ରହିଥିଲା, ଆଉ ବିଦ୍ୟୁତ ଖୁଂଟ ମାଟିରେ ଶୋଇ ଯାଇଥିଲା । ଦୁଇ ଦିନ ପରେ ପୋଲିସ ପହଂଚି ଥିଲା କୌଶଲ୍ୟାର ଶବ ନିକଟରେ । ଆଉ ବ୍ୟଛେଦ ପାଇଁ ଶବ ଅଣାଯାଇଥିଲା ଗଜପତି ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ । ଆଉ ମୃତ୍ୟୁର ପାଂଚ ଦିନ ପରେ କୌଶଲ୍ୟାର ଶବ ପହଂଚିଥିଲା ନିଜ ଗାଁ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ମନ୍ଦାରୀ ଗାଁରେ । ଶବ ସଢି ଯାଇଥିଲା । ଅଳଙ୍କାର ବିଷୟରେ ଶବ ନେଇ ଆସିଥିବା ଆମ୍ବୁଲାନ୍ସ ଡ୍ରାଇଭରକୁ ପଚାରିଲେ କୌଶଲ୍ୟାର ବାପା ବିଦ୍ୟାଧର ସେଠୀ । ତେବେ ଅଳଙ୍କାର ବିଷୟରେ ସେ କିଛି ଜାଣି ନଥିବା ଆମ୍ବୁଲାନ୍ସ ଡ୍ରାଇଭର କହିଥିଲା । ମାସେ ବିତି ଗଲାଣି, ଏଯାଏଁ ଝିଅର ଗହଣା ମିଳିନି । ଆଉ ତିତିଲୀ ବାତ୍ୟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କାର ଅନୁକମ୍ପା ସାହାଯ୍ୟ ରାଶି ଘୋଷଣା କରିଥିଲେ ରାଜ୍ୟ ସରକାର । ଆଉ ଏହି ଟଙ୍କା ସାତ ଦିନ ମଧ୍ୟରେ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତେବେ ମାସେ ବିତି ଗଲାଣି, ସେହି ରାଶି କୌଶଲ୍ୟାର ବାପା ମାଆଙ୍କୁ ମଧ୍ୟ ମିଳିନାହିଁ । ତେବେ ଶବ ଦେହରୁ ସୁନା କିଏ ନେଇଗଲା, ଏମିତି କଣ ବିବେକ ନଥିବା ଲୋକ ଏହି ଦୁନିଆରେ ଅଛନ୍ତି ? ଏବେ ଏହି କଥା କହୁଛନ୍ତି କୌଶଲ୍ୟାର ବାପା ବିଦ୍ୟାଧର ସେଠୀ ।

   Related Posts