ଚମକିଲେ ଜଳେଶ୍ୱର ଝିଅ ସୀମିକରଣ, ଦେଶର ସର୍ବକନିଷ୍ଠ ଟପର୍‌

Published By : Prameya-News7 Bureau | August 06, 2020 IST

ଭୁବନେଶ୍ୱର ୦୬।୦୮ : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନମଣ୍ଡଳୀ ସନ୍ତୋଷପୁରର ଝିଅ ସୀମି କରଣ ପ୍ରକାଶ ପାଇଥିବା ୟୁପିଏସ୍‌ସି ପ୍ରାଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୩୧ ର‌୍ୟାଙ୍କ୍‌ ହାସଲ କରିଛନ୍ତି । ସୀମି ଏହି ର‌୍ୟାଙ୍କ୍‌ ହାସଲ କରିବାରେ ସର୍ବକନିଷ୍ଠ । ସେହିପରି ସେ ଛତିଶଗଡ଼ ରାଜ୍ୟର ଟପର୍‌ ହୋଇ ନିଜ ରାଜ୍ୟ ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।

୨୦୧୫ ମସିହା ସିବିଏସ୍‌ଇ ପରୀକ୍ଷାରେ ଛତିଶଗଡ଼ ଟପର୍‌ ହୋଇ ସେ ମୁମ୍ବାଇ ଆଇଆଇଟିରେ ଭର୍ତ୍ତି ହୋଇଥିଲେ । ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂରେ ୨୦୧୯ରେ ସେ ବିଟେକ୍‌ ଫାଇନାଲ୍‌ ପରୀକ୍ଷା ଦେବା ପରେ ମାତ୍ର ୩ ମାସ ମଧ୍ୟରେ ନିଜକୁ ପ୍ରସ୍ତୁତ କରି ପ୍ରଥମ ଥର ପରୀକ୍ଷା ଦେଇ ଏହି କୃତିତ୍ୱ ଲାଭ କରିଛନ୍ତି । ମାତ୍ର ୨୨ ବର୍ଷ ବୟସରେ ସେ ଏହି ବିରଳ ସଫଳତା ପାଇ ପାରିଛନ୍ତି । ସୀମି ଏବେ ଭିଲାଇରେ ରହୁଛନ୍ତି । ତାଙ୍କ ପିତା ଦେବେନ୍ଦ୍ରନାଥ କରଣ ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟ୍‌ (ବିଏସ୍‌ଏଲ୍‌)ର ସାଧାରଣ ପରିଚାଳକ (ବିତ୍ତ) ରୂପେ କାର୍ଯ୍ୟ କରୁଥିବାବେଳେ ମା’ ସୁଜାତା କରଣ ଦୁର୍ଗସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଦୁର୍ଗ ଜିଲ୍ଲାପାଳ ଡ. ସର୍ବେଶ୍ୱର ଭୁରେ, ଏସପି ପ୍ରଶାନ୍ତ ଠାକୁର ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । ସେ ଛତିଶଗଡ଼ ରାଜ୍ୟର ଦୁର୍ଗ ଜିଲ୍ଲାରେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମୁମ୍ବାଇରେ ରହୁଥିବା ବେଳେ ବସ୍ତିପିଲାଙ୍କୁ ସେ ପଢ଼ାଉଥିଲେ ।

ସେହି ସମୟରେ ଗରିବ ପିଲା ଓ ତାଙ୍କ ପରିବାରର ଦୁଃଖ ଦେଖିବା ପରେ ସେ ମନ ପରିବର୍ତ୍ତନ କରି ଇଞ୍ଜିନିୟରିଂରୁ ପ୍ରଶାସକ ହେବା ପାଇଁ ଯାତ୍ରା ଆରମ୍ଭ କରିଥିଲେ। ପ୍ରଶାସକ ହେବା ପରେ ସେ ମହିଳା ସଶକ୍ତିକରଣ ଓ ଝିଅମାନଙ୍କୁ ବିଦ୍ୟାଳୟରେ ପଢ଼ିବା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ତାଙ୍କ ଘର ଜଳେଶ୍ୱର ନିର୍ବାଚନମଣ୍ଡଳୀ ସନ୍ତୋଷପୁର ଗ୍ରାମରେ ହୋଇଥିବାବେଳେ ସେଠାରେ ତାଙ୍କ ବଡ଼ବାପା ସଚ୍ଚୀନ୍ଦ୍ର ନାଥ କରଣ ଏବଂ ଜେଜେମା ମନୋରମା କରଣ ରହୁଛନ୍ତି। ଅଜା ରାଉରକେଲାର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ଡାକ୍ତର ମଧୁସୂଦନ ସାହୁ। ସୀମିଙ୍କର ଏହି ସଫଳତା ପାଇଁ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ, ସୀମି, ବିଧାୟକ ଶ୍ରୀ ପାତ୍ରଙ୍କ ଭାଣିଜୀଙ୍କ କନ୍ୟା । ନାତୁଣୀର ଏହି କୃତିତ୍ୱ ପାଇଁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି । ଓଡ଼ିଆ ଝିଅର ଏହି ସଫଳତା ପାଇଁ ଜଳେଶ୍ୱରର ବହୁ ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଅନ୍ୟ ଜଣେ ଅଜା ଅବସରପ୍ରାପ୍ତ ଭାରତୀୟ ଜଙ୍ଗଲ ସେବା ଅଧିକାରୀ ହୋଇଥିବା ବେଳେ ସୀମିଙ୍କୁ ଭାରତୀୟ ପ୍ରାଶାସନିକ ସେବା ପାଇଁ ପ୍ରସ୍ତୁତ ହେବାକୁ ପ୍ରେରଣା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.