ବହାରିନ୍‌ରେ ରଥଯାତ୍ରା ପାଳନ କଲେ ଓଡ଼ିଆ ଭକ୍ତ, ମନ୍ଦିର ପ୍ରାଙ୍ଗଣରେ ଭିଡ଼ିଲେ ରଥ

Published By : Prameya-News7 Bureau | July 12, 2021 IST

ଭୁବନେଶ୍ୱର, ୧୨/୦୭: ଜଗନ୍ନାଥଙ୍କ ରଥଯାତ୍ରା ଆଜି ଆରବ ଦେଶର ଦି କିଙ୍ଗଡ଼ମ୍ ଅଫ୍ ବହାରିନ୍ ଠାରେ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ବହାରିନ୍ ଠାରେ ଥିବା ବହାରିନ୍ ଓଡ଼ିଆ ସମାଜ ଓ ବହାରିନ୍ ଇସ୍କନ ମନ୍ଦିର ପକ୍ଷରୁ ମିଳିତ ସହଯୋଗରେ ଏଠାରେ କୋଭିଡ ନିୟମ ପାଳନ କରି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବହାରିନ୍ ସରକାରଙ୍କ ଦ୍ୱାରା ଶେଷ ମୁହୂର୍ତ୍ତରେ ରଥଯାତ୍ରା ପାଇଁ ଅନୁମତି ମିଳିଥିବାରୁ ଏଠାରେ ଥିବା ଓଡ଼ିଆ ମାନଙ୍କ ମନରେ ହସର ଲହରୀ ଖେଳିଯାଇଥିଲା। କିନ୍ତୁ ସରକାରଙ୍କ କୋଭିଡ ନିୟମ ଅନୁସାରେ କେବଳ ଦଶ ଜଣ ଲୋକ ଏକାଥରେ ମନ୍ଦିର ବେଢାରେ ପ୍ରବେଶ କରିବାର ନିୟମ ରଖା ଯାଇଥିଲା।

ମନ୍ଦିର ପରିସର ମଧ୍ୟରେ ବାହାର ପାଣି ତଥା ଖାଦ୍ୟ ଖାଇବା ପାଇଁ ଅନୁମତି ମିଳିନଥିଲା। ସେଥିରେ ମଧ୍ୟ ଭକ୍ତ ମାନଙ୍କର କିଛି ଅସୁବିଧା ହୋଇନଥିଲା। ବହାରିନ୍ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧକ୍ଷ ଡ ଅରୁଣ କୁମାର ପ୍ରହରାଜ ତାଙ୍କ ସହଯୋଗୀ ମାନଙ୍କ ସହିତ ରଥଯାତ୍ରା ପରିଚାଳନା କରିଥିବାବେଳେ ସେ ନିଜେ ମଧ୍ୟ ଛେରା ପହଁରା କରିଥିଲେ। ପୁରୀ ମନ୍ଦିରର ସମୟ ଓ ନୀତିକାନ୍ତିକୁ ଅନୁସରଣ କରି ବହାରିନରେ ବହୁ ଆଡମ୍ବରରେ ରଥଯାତ୍ରା ପାଳନ ହୋଇ ଯାଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗଜପତି ମହାରାଜଙ୍କର ବାର୍ତ୍ତା ପାଇବା ପରେ ଏଠାରେ ଥିବା ଓଡ଼ିଆମାନେ ବହୁ ଆନନ୍ଦିତ ହୋଇଥିଲେ। ଆଜିର ରଥଯାତ୍ରାକୁ ମଧ୍ୟ ବହାରିନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ପିୟୁସ ଶ୍ରୀବସ୍ତାଵ ଏବଂ ବହାରିନ୍ ଇସ୍କନ ମନ୍ଦିରର ଅଧକ୍ଷ ବର୍ଧରାଜନ ପ୍ରଭୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.