ସ୍ନାପ ଡିଲରେ ଅର୍ଡର କରିଥିଲେ ଆଇଫୋନ ଆସିଲା ସାବୁନ, ତା ପରେ କ’ଣ ହେଲା ଜାଣନ୍ତୁ
2/08/2019 at 3:44 PM

ଏବେ ଇଣ୍ଟରନେଟ୍ ରେ ସବୁ କାମ ହୋଇଯାଉଛି। ଲୋକଙ୍କୁ ଆଉ ଦୋକାନ ବଜାର ଯିବାକୁ ପଡୁନି। ଘରେ ବସି ମୋବାଇଲ ଆପ୍ ରେ ଟିପ ହଲେଇଲେ କାମ ହୋଇଯାଉଛି। ହେଲେ ସବୁବେଳେ ଲାଭଜନକ ହେଉନି ଅନ-ଲାଇନ ସପିଙ୍ଗ। କେବେ କବେ ‘ କଭି ଖୁସି କଭି ଘମ’ ଭଳି ଅବସ୍ଥା ହେଉଛି ଯେପରି ମୋହାଲିର ଇଞ୍ଜିନିୟର ପ୍ରବୀଣ କୁମାର ଶର୍ମା ଭୋଗିଲେ ।

ପ୍ରବୀଣ ସ୍ନାପ ଡିଲରେ ଆଇଫୋନ-୭ ମଗାଇଥିଲେ। ନିୟମ ଅନୁସାରେ ଡେଲିଭରି ୭ ଦିନ ମଧ୍ୟରେ ହେବା କଥା। ଏଣୁ ପ୍ରବୀଣ ଭାବିଥିଲେ ଫୋନ ଆସିବା ବେଳକୁ ସେ ଫେରିଆସିଥିବେ। ଏଣୁ କାମରେ ବାହାରକୁ ଚାଲିଯାଇଥିଲେ। ତେବେ ପ୍ରବୀଣ ବୁକିଂ କରିବାର ଦ୍ୱିତୀୟ ଦିନ ଡେଲିଭରି ଆସିଯାଇଥିଲା। ସେ ଘରେ ନଥିବାରୁ କେୟାର ଟେକର ପଇସା ଦେଇ ପ୍ୟାକେଟ ରଖି ନେଇଥିଲେ। ପ୍ରବୀଣ ଫେରିବା ପରେ ପ୍ୟାକେଟ୍ ପହଞ୍ଚି ଯାଇଥିବା ଜାଣି ଭାରି ଖୁସି ହୋଇଗଲେ। ହେଲେ ପ୍ୟାକେଟ୍ ଖୋଲିବା ପରେ ତାଙ୍କ ଖୁସି ପାଣିରେ ମିଳେଇ ଯାଇଥିଲା। ଆଇଫୋନ ଜାଗାରେ ପ୍ୟାକେଟ୍ ଭିତରେ ଥିଲା ୪ଟି ସାବୁନ।

ଏ ନେଇ ପ୍ରବୀଣ ତୁରନ୍ତ ସ୍ନାପ ଡିଲ ହେଲ୍ପ ଲାଇନରେ ଫୋନ କରିଥିଲେ। ହେଲେ ଏଥିରେ ଡେଲିଭରି ବୟର କୌଣସି ତ୍ରୁଟି ନଥିବା କହିଥିଲେ ହେଲ୍ପଲାଇନ । ତେବେ ପରାମର୍ଶ ଅନୁସାରେ ଇ-ମେଲ କରିଥିଲେ। ପରେ ପ୍ରବୀଣଙ୍କ ଇ-ମେଲ ଆକାଉଣ୍ଟକୁ କମ୍ପାନୀ କର୍ତ୍ତୃପକ୍ଷ ଡିଲିଟ୍ କରିଦେଇଥିଲେ । ଶେଷରେ ଉପାୟ ନ ପାଇ ପ୍ରବୀଣ କଞ୍ଜ୍ୟୁମର ଫୋରମର ଶରଣ ନେଇଥିଲେ। ୧୯ ଜୁନ ୨୦୧୭ରେ ପ୍ରବୀଣ ସ୍ନାପଡିଲର ଠକେଇ ବାବଦେ କଞ୍ଜ୍ୟୁମର ଫୋରମରେ ଅଭିଯୋଗ କରିଥିବା ବେଳେ ଏବେ ରାୟ ପ୍ରକାଶ ପାଇଛି। ଯେଉଁଥିରେ କଞ୍ଜ୍ୟୁମର ଫୋରମ ସ୍ନାପଡିଲ, ପାୟସ ଫ୍ୟାସନ ଓ ବ୍ଲୁଡାର୍ଟକୁ ଦୋଷୀ ସାବ୍ୟସ୍ତ କରିବା ସହ କ୍ଷତିପୁରଣ ବାବଦେ ୧ ଲକ୍ଷ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯହା କେବଳ ସ୍ନାପ ଡିଲ ନୁହେଁ ଅନଲାଇନ୍ ବ୍ୟବସାୟୀଙ୍କ ପାଇଁ ଏକ ଉଚ୍ଚିତ ଶିକ୍ଷା ହୋଇଛି।