ମଦ ହୋମ୍ ଡେଲିଭରିରେ ଲାଗିବ ୧୦% ସର୍ଭିସ୍‌ ଚାର୍ଜ : ମଧ୍ୟାହ୍ନ ଭିତରେ ଅର୍ଡର, ସନ୍ଧ୍ୟା ପୂର୍ବରୁ ଡେଲିଭରି

Published By : Prameya-News7 Bureau | May 22, 2020 IST

କଟକ ୨୨।୦୫: ଲକ୍‌ଡାଉନ୍‌ ସମୟରେ ଦୋକାନରେ ଭିଡ଼କୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ଏକ ପ୍ରକାର ସ୍ଥିର କରିଛନ୍ତି । ଉଭୟ ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ଓ ଦୋକାନୀମାନେ ପିଲା ରଖି ଘରେ ମଦ ପହଞ୍ଚାଇ ପାରିବେ । ସର୍ବନିମ୍ନ ୫୦୦ ଟଙ୍କାର ମଦ କିଣିଲେ ଏଥିପାଇଁ ୫୦ ଟଙ୍କାର ସର୍ଭିସ୍‌ ଚାର୍ଜ ବା ଡେଲିଭରି ଚାର୍ଜ ଦେବାକୁ ପଡ଼ିବ ବୋଲି ଆପାତତଃ ସ୍ଥିର ହୋଇଛି । ଅନ୍‌ଲାଇନ୍‌ ମଦ ବିକ୍ରିର ରୂପରେଖ ସ୍ଥିର ପାଇଁ ଗଠିତ ଉଚ୍ଚସ୍ତରୀୟ ଅବକାରୀ କମିଟି ଏଭଳି ନିଷ୍ପତ୍ତି ନେଇଛି ।

{"id":273922,"sizeSlug":"large"}

ଲକ୍‌ଡାଉନ୍‌ ବେଳେ ଓ ପରେ ମଦ ଦୋକାନ ଖୋଲିଲେ ଭିଡ଼ ହେବା ଏକ ପ୍ରକାର ନିଶ୍ଚିତ । କରୋନା ଭୂତାଣୁ ସଂକ୍ରମଣ ପାଇଁ ଏହି ଭିଡ଼ ବିପଦ । ତେଣୁ ଦୋକାନ ନଖୋଲି ବେପାରକୁ ଅନ୍‌ଲାଇନ୍‌ ଯୋଗେ ଘରେ ପହଞ୍ଚାଣ କରିବା ଠିକ ହେବ ବୋଲି ଏକ ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ନେଇଛି । ଅବକାରୀ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ପରାମର୍ଶ ଅନୁସାରେ, ଘରେ ଖାଦ୍ୟ ପହଞ୍ଚାଣ କରୁଥିବା ସଂସ୍ଥା ଅବକାରୀ ବିଭାଗଠାରୁ ଉପଯୁକ୍ତ ଫୋରମ୍‌ରେ ଅନୁମତି ନେଇ ମଦ ବିକ୍ରି କରିପାରିବ । ଏଥିପାଇଁ ମଦ ଦୋକାନର ତଥ୍ୟ, ମଦ ବା କମ୍ପାନୀର ନାଁ ଓ ମୂଲ୍ୟ ବିଷୟରେ ତଥ୍ୟ ଓଏସ୍‌ବିସିଏଲ୍‌ (ଓଡ଼ିଶା ଷ୍ଟେଟ୍‌ ବ୍ରିଭରେଜ୍‌ କର୍ପୋରେସନ ଲିମିଟେଡ୍‌) ୱେବ୍‌ସାଇଟ୍‌ରୁ ଖାଦ୍ୟ ଯୋଗାଣକାରୀ ସଂସ୍ଥା ସଂଗ୍ରହ କରିବ । ଡେଲିଭରି ବୟର ସବୁ ତଥ୍ୟ ଅବକାରୀ ବିଭାଗ ପାଖରେ ରହିବ ।

{"id":273924,"sizeSlug":"large"}

ଗ୍ରାହକମାନେ ମଧ୍ୟ ଓଏସ୍‌ବିସିଏଲ୍‌ ୱେବ୍‌ସାଇଟ୍‌ରୁ ତଥ୍ୟ ନେଇ ମଦ କୋକାନୀଙ୍କ ସହ ଫୋନ୍‌ରେ କଥା ହୋଇ ଅର୍ଡର କରିବେ । ଅର୍ଡର ବେଳେ ନିଜର ମୋବାଇଲ୍‌ ନମ୍ୱର, ଆଧାର ନମ୍ୱର କିମ୍ୱା ଭୋଟ୍‌ର ପରିଚୟ ପତ୍ର ନମ୍ୱର ଦେବା ବାଧ୍ୟତାମୂଳକ । ଅର୍ଡର ପାଇ ଗ୍ରାହକଙ୍କ ସବୁ ତଥ୍ୟ ରେଜିଷ୍ଟରରେ ଲେଖି ନିଜ ଦୋକାନର ଡେଲିଭରି ବୟ ଦ୍ୱାରା ଗ୍ରାହକଙ୍କ ପାଖରେ ମଦ ପହଞ୍ଚାଇବେ ।

ଜଣେ ଗ୍ରାହକ ସର୍ବାଧିକ ୫ ଲିଟର ବିୟର ଓ ସର୍ବାଧିକ ଅଢ଼େଇ ଲିଟର ମଦ ପାଇଁ ଅର୍ଡର ଦେଇପାରିବେ । ମଦ ଦୋକାନୀ ଡେଲିଭରି ବୟ ରଖି ମଦ ହୋମ୍‌ ଡେଲିଭରି କରିପାରିବେ । ମଦ ଯୋଗାଣକାରୀ ପିଲା ସାମାଜିକ ଦୂରତ୍ୱକୁ ଭଲ ଭାବେ ପାଳନ କରିବେ । ସକାଳ ୭ଟାରୁ ଦିନ ୧ଟା ମଧ୍ୟରେ ଅନ୍‌ଲାଇନ୍‌ରେ ଅର୍ଡର ନିଆଯିବ । ସନ୍ଧ୍ୟା ୬ଟା ମଧ୍ୟରେ ଡେଲିଭରି କରାଯାଇ ପାରିବ । ଯଦି ଅଧିକ ଡେଲିଭରି ରହିଛି, ପରଦିନ କରାଯାଇପାରିବ । ଅନ୍ୟପଟେ ସର୍ବନିମ୍ନ ୫୦୦ ଟଙ୍କାର ମଦ କିଣିବା ବାଧ୍ୟତାମୂଳକ ।

୫ଶହ ଟଙ୍କା ମୂଲ୍ୟର ମଦ ପାଇଁ ୫୦ ଟଙ୍କା ଡେଲିଭରି ଚାର୍ଜ ପଡ଼ିବ । ୫୦୧ରୁ ହଜାରେ ପାଇଁ ୧୦୦ ଟଙ୍କା । ହଜାରେରୁ ୧୫୦୦ ପାଇଁ ୧୨୫ ଟଙ୍କା । ୧୫୦୧ରୁ ଦୁଇ ହଜାର ପାଇଁ ୧୫୦ ଟଙ୍କା । ୨୦୦୧ରୁ ଅଢ଼େଇ ହଜାର ପାଇଁ ୧୭୫ଟଙ୍କା । ୨୫୦୧ରୁ ୩ହଜାର ପାଇଁ ୨ଶହ ଟଙ୍କା । ୩୦୦୧ରୁ ୩୫ଶହ ପର୍ଯ୍ୟନ୍ତ ୨୨୫ଟଙ୍କା ଓ ୩୫୦୧ରୁ ୪ହଜାର ପର୍ଯ୍ୟନ୍ତ ଏବଂ ତାଠାରୁ ଅଧିକ ପାଇଁ ୨୫୦ ଟଙ୍କା ଡେଲିଭରି ଚାର୍ଜ ପଡ଼ିବ ।ଏଭଳି ଢଙ୍ଗରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ହେବ ବୋଲି ଏଯାବତ ଅବକାରୀ ବିଭାଗ କିମ୍ୱା କମିସନରଙ୍କ କାର୍ଯ୍ୟାଳୟରୁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.