ଲଘୁଚାପ ବଳୟ ଦୁର୍ବଳ : ୪ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ପରାମର୍ଶ

Published By : Prameya-News7 Bureau | October 26, 2019 IST

ଭୁବନେଶ୍ବର ୨୬।୧୦:  ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପରେ ସୃଷ୍ଟ ଲଘୁଚାପ ବଳୟ ଦୁର୍ବଳ ହୋଇଛି । ଏବେ ଏହା ଏକ ଘୂର୍ଣ୍ଣିବଳୟରେ ପରିଣତ ହୋଇ କେନ୍ଦ୍ରୀୟ ଓଡ଼ିଶା ଉପରେ ରହିଥିବା ବେଳେ ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।

ଏହି ବଳୟଠାରୁ ଏକ ଟ୍ରପ୍-ଲାଇନ୍ ପଶ୍ଚିମବଙ୍ଗ ଦେଇ କେନ୍ଦ୍ରୀୟ ଆସାମ ଯାଏ ବିସ୍ତାରିତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ସୁନ୍ଦରଗଡ଼, କେନ୍ଦୁଝର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ଜଗତ୍ସିଂହପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ବର୍ଷା କମିଲେ ମଧ୍ୟ ୨୮ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ବିଶେଷକରି ଦକ୍ଷିଣ, ପଶ୍ଚିମ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ଗତକାଲି ୮ଟି ଜିଲ୍ଲାରେ ଶହେ ମିଲିମିଟିରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଭଦ୍ରକରେ ଜିଲ୍ଲାରେ ସର୍ବାଧିକ ୧୫୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪ଜଣଙ୍କ ମୃତ୍ୟୁ ହୋଇଛି ।

ସେପଟେ ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଝଡ଼ ‘କାୟର’ ଏବେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରୁଛି । ତେବେ ଏହାର ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.