ଅଧାରୁ ଶୀତ ଅଧିବେଶନ ବନ୍ଦ ହେବା ନେଇ ବିରୋଧୀଙ୍କ ବିରୋଧ – ସରକାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡାଇ ଗଲେ ବୋଲି ଅଭିଯୋଗ
29/11/2019 at 7:52 PM

ଭୁବନେଶ୍ୱର ୨୯।୧୧ – ଅଧାରୁ ସିନା ଶୀତ ଅଧିବେଶନ ବନ୍ଦ ହୋଇଗଲା ହେଲେ ବିରୋଧୀଙ୍କ ମନ ମାନୁନି । ୧୭ ଦିନ ଆଗରୁ ବିଧାନସଭାକୁ ବନ୍ଦ କରି ସରକାର ବହୁ ଗୁରୁତ୍ବପୂର୍ଣ ପ୍ରସଙ୍ଗକୁ ଏଡାଇଗଲେ ବୋଲି ବିରୋଧୀଙ୍କ ଅଭିଯୋଗ । ବିଶେଷକରି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ବିବାଦୀୟ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗରେ ଗୃହ ହୁଲସ୍ତୁଲ ହୋଇଥିଲା ।

ପର୍ଯ୍ୟଟନ ମନ୍ତ୍ରୀ ନିଜେ ଏହାର ଜବାବ ନଦେଇ ସଂସଦୀୟ ମନ୍ତ୍ରୀ ମନ୍ତବ୍ୟ ଦେବା ବିରୋଧୀଙ୍କୁ ହଜମ ହେଉନି । ବିଜେପି ଏପ୍ରସଙ୍ଗରେ ଆଜି ସାମ୍ବାଦିକ ସମ୍ମିଳନୀ ଡାକି କହିଛି ସରକାର ନିଜ କାଳିମାକୁ ଲୁଚାଇବାକୁ ଅଧାରୁ ଗୃହ ବନ୍ଦକରିଦେଲେ ।

ମହିଳାଙ୍କ ପ୍ରତି ଦୁଷ୍କର୍ମ, ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କେରୀ, ଧାନ ବିକ୍ରିପାଇଁ ଚାଷୀଙ୍କ ଟେନସନ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଜମି ହଡପ ଅଭିଯୋଗ ଆଦି ପ୍ରସଙ୍ଗକୁ ସାମ୍ନା ନକରି ସରକାର ଭୟରେ ଆଗୁଆ ବିଧାନସଭା ବନ୍ଦ କରିଦେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ସେହିଭଳି କଂଗ୍ରେସ କହିଛି, ବିଜନସ ଆଡଭାଇଜୋରି କମିଟିରେ ଗୃହ ବନ୍ଦ ସଂପର୍କରେ ଆଲୋଚନା ନ କରି ଆଗୁଆ ବନ୍ଦ କରିଦେବା ଦୁର୍ଭାଗ୍ୟ ଜନକ।

ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ ହୋଇଥିଲା । ଯେଉଁଥିରେ ସରକାର କିଭଳି ଆଳୁ ମିଶନରେ ଫେଲ ହୋଇଥିଲେ ଏବଂ ଶୀତଳ ଭଣ୍ଡାର କରିବା ଘୋଷଣା ଅଧାରେ ଅଟକି ଗଲା ତାର ଖୁଲାସା କରିଥିଲେ ସିଏଜି । ଯାହାକୁ ଏହି ଅଧିବେଶନରେ ଗଣ୍ଠି କରିଥାନ୍ତେ ବିରୋଧୀ । ସେହିଭଳି ଓଡିଶା ମିନେରାଲ ଡେଭଲପମେଣ୍ଟ ଫଣ୍ଡରେ ୧୧ ହଜାର କୋଟି ପଡି ରହିଥିଲେ ବି ଖଣି ଖାଦାନ ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ ହୋଇପାରୁନି ।

ଏସବୁ ପ୍ରସଙ୍ଗ ଉଠାଇବାକୁ ସଜବାଜ ହେଉଥିଲେ ବିରୋଧୀ । ଏବେ ବିଧାନସଭା ବନ୍ଦ ହୋଇଯିବାରୁ ଏସବୁ ପ୍ରସଙ୍ଗରେ ଆଲୋଚନା ହୋଇପାରିବନି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ତେବେ ଶାସକ ଦଳର ଯୁକ୍ତି, ଗୃହରେ ସରକାରୀ କାର୍ଯ୍ୟ ନ ଥିବାରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିବା ଲାଗି ପ୍ରସ୍ତାବ ରଖାଯାଇଥିଲା। ଆଉ ପର୍ଯ୍ୟଟନ ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ସଂପର୍କରେ ବିରୋଧୀ ଯେଉଁ ପ୍ରଶ୍ନ କରୁଛନ୍ତି ତାର ପାଲଟା ଜବାବ ଦେଇ ସରକାରୀ ମୁଖ୍ୟ ସଚେତକ କହିଛନ୍ତି କେହି ନିଜ ସଂପର୍କିୟଙ୍କୁ ନେଇ କେଉଁଠାକୁ ନିଜ ଖର୍ଚ୍ଚରେ ଗଲେ କଣ ବିଜେପିକୁ ପଚାରିକି ଯିବେ କି ।..

ଡିସେମ୍ବର ୧୯ରେ ସରିଥାନ୍ତା ବିଧାନସଭା ଶୀତ ଅଧିବେଶନ । ୧୭ ଦିନ ଆଗରୁ ସାରି ଦିଆଯିବାରୁ ବିରୋଧୀ ସରକାରୀ ଦଳ ବିଜେଡିକୁ ଆକ୍ଷେପ କରୁଛନ୍ତି । ଯାହାକୁ ନେଇ କାଦୁଅ ଫିଙ୍ଗା ଚାଲିଛି ।