ତାରା ବାହିନୀପତିଙ୍କୁ ଟାର୍ଗେଟ କଲେ ବିରୋଧୀ, ସାଧାରଣ ସଭାରେ କହୁ କହୁ କହି ଦେଲେ…
6/01/2021 at 5:59 PM

ଜୟପୁର୬/୧: ପୁଣି ରୋକଠୋକ କଥା କହି ଚର୍ଚ୍ଚାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଜୟପୁର ପୌରପାଳିକା ଦ୍ବାରା ଆୟୋଜିତ ସର୍ବସାଧାରଣ ସଭାରେ ତାରା କହିଥିବା କଥା ଏବେ ଭାଇରାଲ। ରାଜ୍ୟ ସରକାର ଦୁର୍ନୀତି ପ୍ରସଙ୍ଗରେ ଜିରୋ ଟଲେରାନ୍ସ ନୀତି ଆପଣାଉଥିବା ବେଳେ ତାରାଙ୍କ ଓଲଟା ବୟାନ ଏବେ ତାଙ୍କ ପାଇଁ ମୁଣ୍ଡ ବଥା ପାଲଟିଛି। ଜୟପୁର ପୌରପାଳିକା ତରଫରୁ ଆୟୋଜିତ ଏକ ସର୍ବ ସାଧାରଣ କାର୍ଯ୍ୟକ୍ରମରେ ଦୁର୍ନୀତି ପ୍ରସଙ୍ଗରେ କହୁ କହୁ ଏମିତି କିଛି କହି ଦେଲେ ଯାହାକୁ ଏବେ ବିରୋଧୀ ଗଣ୍ଠି କରିବା ସହ ତାରାଙ୍କୁ ଟାର୍ଗେଟ କରିଛନ୍ତି।
ଦୁର୍ନୀତି ପ୍ରସଙ୍ଗରେ ତାରା କିଛି ଅପ୍ରିୟ ସତ କହିଦେଲେ। ପ୍ରତିଟି ସରକାରୀ ଫାଇଲ ମୁଭ୍ ପାଇଁ ଟଙ୍କା ଖର୍ଚ୍ଚ ହୋଇଥାଏ।ସରକାରୀ କର୍ମଚାରୀମାନେ ବିଭିନ୍ନ ସମୟରେ ଚାନ୍ଦା ଓ ମାମୁଲି ବି ଦେଇଥାନ୍ତି। ତେଣୁ ୮୦ ପ୍ରତିଶତ କାମ କରି ୨୦ ପ୍ରତିଶତ ଖାଇଲେ ତାଙ୍କର କିଛି ଅସୁବିଧା ନାହିଁ ବୋଲି ତାରା ଖୁଲମଖୁଲା କହିଥିଲେ।
ତାହା ବି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ। କେବଳ ଏତିକି ନୁହେଁ ଜୟପୁର ପୌରପାଳିକାର ବିଭିନ୍ନ ଦୁର୍ନୀତିକୁ ପ୍ରସଙ୍ଗକୁ ବିରୋଧ କରି ହୋହଲ୍ଲା କରୁଥିବା ତାରା ପୌରପାଳିକା ସମ୍ପର୍କରେ ନକରାତ୍ମକ କଥା ନ ଲେଖିବାକୁ ସାମ୍ବାଦିକଙ୍କୁ କହିଥିଲେ। ଯାହାକୁ ନେଇ ତାରାଙ୍କ ଉପରେ ବିରୋଧୀ ଏବେ ଖପ୍ପା। ତାରାଙ୍କ ଏପରି ବୟାନ ଦୁର୍ନୀତିଖୋର ଅଧିକାରୀଙ୍କ ମନୋବଳକୁ ସୁଦୃଢ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ବିଜେପି ଓ ବିଜେଡି।