ବିଅର ଫାକ୍ଟ୍ରି ବିବାଦକୁ ନେଇ ଗୃହରେ ଆଗତ ହେଲା ମୁଲତବୀ ପ୍ରସ୍ତାବ; ଶାସକଦଳ ଉପରେ ଗର୍ଜିଲେ ବିରୋଧି

Published By : Prameya-News7 Bureau | November 24, 2018 IST

ଭୁବନେଶ୍ୱର ୨୪/୧୧ : ବଳରାମପୁର ବିଅର ଫାକ୍ଟ୍ରି ବିବାଦକୁ ନେଇ ବିଧାନସଭାରେ ଆସିଲା ମୁଲତବୀ ପ୍ରସ୍ତାବ । ପ୍ରଶାସନ ଓ ପୋଲିସର ମିଳିତ ପ୍ରୋତ୍ସାହନରେ କିଭଳି ଶତାଧିକ ବଡବଡ ଗଛ କଟାଗଲା ସେନେଇ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଘେରିଥିଲେ ବିରୋଧି । ସରକାର ଆରଡିସି ତଦନ୍ତ ବଦଳରେ ବିଚାର ବିଭାଗୀୟ ତଦନ୍ତ କରିବାକୁ ବିରୋଧି ଦାବି କରିଛନ୍ତି। ଢେଙ୍କାନାଳ ଜିଲ୍ଲା ବଳରାମପୁର ବିୟର ଫ୍ୟାକ୍ଟ୍ରି ବିବାଦକୁ ନେଇ ବିଧାନସଭା ଗରମ । ଏପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ଶାସକଦଳ ଉପରେ ଗର୍ଜିଛନ୍ତି ବିରୋଧି । ସିଧା ଅଭିଯୋଗ କରିଛନ୍ତି ଇଡକୋ, ଜଙ୍ଗଲ ବିଭାଗ ଅଧିକାରୀ, ମଦ କଂପାନୀ ଓ କଣ୍ଟ୍ରାକ୍ଟରଙ୍କ ଭିତରେ ଥିବା ମଧୁ ଚନ୍ଦ୍ରିକା ପାଇଁ ଶହଶହ ଗଛ କଟାଯାଇଛି । ସେହି ସ୍ଥାନରେ ଜଙ୍ଗଲ ଅଛି ଜାଣି ବି ରାତାରାତି ଏହାର କିସମ ପରିବର୍ତ୍ତନ କରାଯାଇଛି । ସେହି ସ୍ଥାନ ହାତୀମାନଙ୍କର ଚରାଭୁଇଁ ହୋଇଥିବାରୁ ସେଠାରେ ମଦ ଫ୍ୟାକ୍ଟ୍ରି ନକରିବାକୁ ଜଙ୍ଗଲ ସଚିବ ସ୍ପଷ୍ଟ କହିଥିବା ବେଳେ କିଏ ତାକୁ ଅଣଦେଖା କରିଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧି । ଯେତେବେଳେ ଆରଡିସି ନିଜେ ଏହି ମାମଲାରେ ଦୋଷୀ ସରକାର କିଭଳି ଆରଡିସି ତଦନ୍ତ ଦେଇ ଖସିଯିବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧି । ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ଯେଉଁ ଜମିକୁ ନେଇ ବିବାଦ ଉପୁଜିଛି ତାହା ଜଙ୍ଗଲ ଜମି ନୁହେଁ । ତେଣୁ ସେଠି ମଦ କଂପାନୀ ସ୍ଥାପନ ପାଇଁ ଅନୁମତି ଦିଆଯାଇଥିଲା । ଜଙ୍ଗଲ ଜମି ବ୍ୟତୀତ ଅନ୍ୟ ସ୍ଥାନରୁ ଗଛ କାଟିବାକୁ ଜଙ୍ଗଲ ବିଭାଗର ଅନୁମତି ଦରକାର ନାହିଁ ବୋଲି ମନ୍ତ୍ରୀଙ୍କ ଉତ୍ତରରେ ପ୍ରତିବାଦ କରିଥିଲେ ବିରୋଧି । ଯାହାକୁ ନେଇ ଗୃହରେ ଅଚଳାବସ୍ଥା ହେବାରୁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବଳରାମପୁରରେ ମଦ ଫାକ୍ଟ୍ରି ପାଇଂ ମେକ୍ ଇନ୍ ଓଡିଶା ଦିନ ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେଥିପାଇଁ ସେହି ସ୍ଥାନରେ ଛୋଟ ବଡ ୯୫୬ ଗଛ କାଟିବାକୁ ଚିହ୍ନଟ ହୋଇଥିଲା । କିନ୍ତୁ ଗଛକଟାକୁ ବିରୋଧ କରି ସ୍ଥାନୀୟ ଲୋକେ ଆନ୍ଦୋଳନ କରିବାରୁ ଉକ୍ତ ପ୍ରପକଳ୍ପକୁ ଏବେ ବନ୍ଦ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.