ରାଜ୍ୟସଭା ଉପ ନିର୍ବାଚନ: କେନ୍ଦ୍ରକୁ ଘେରିବାକୁ ଅଣ୍ଟା ଭିଡିଲେ ସମସ୍ତ ବିରୋଧୀ, ଦେବେ ମିଳିତ ପ୍ରାର୍ଥୀ
8/09/2020 at 3:31 PM

ନୂଆଦିଲ୍ଲୀ ୦୮।୦୯: ମୌସୁମି ଅଧିବେଶନର ପ୍ରଥମ ଦିନରେ ହେବାକୁ ଥିବା ରାଜ୍ୟସଭା ଉପାଧ୍ୟକ୍ଷ ପଦରେ ନିର୍ବାଚନ ପାଇଁ କେନ୍ଦ୍ର ସରକାର ବିରୋଧରେ ବିରୋଧୀ ଏକଜୁଟ୍ ହେଉଥିବା ଜଣା ପଡିଛି। ଏହି ନିର୍ବାଚନରେ ବିରୋଧୀ ଦଳ ମିଳିତ ଭାବେ ପ୍ରାର୍ଥୀ ଛିଡା କରାଇବାକୁ ଯୋଜନା କରିଛନ୍ତି। ଏହି ନିଷ୍ପତ୍ତି ମଙ୍ଗଳବାର କଂଗ୍ରେସ ବୈଠକରେ ନିଆଯାଇଥିବା କଂଗ୍ରେସର ଜଣେ ନେତା କହିଛନ୍ତି।
କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନେତୃତ୍ଵରେ ଅନୁଷ୍ଠିତ ବୈଠକରେ ମୌସୁମି ଅଧିବେଶନକୁ ନେଇ ରଣନୀତି ପ୍ରସ୍ତୁତ ହୋଇଛି। ସେପ୍ଟେମ୍ବର ୧୪ରୁ ଆରମ୍ଭ ହେଉଥିବା ଅଧିବେଶନରେ କଂଗ୍ରେସ ସମେତ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଭାରତ-ଚୀନ ପ୍ରସଙ୍ଗରେ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ହରିବଂଶ ନାରାୟଣ ସିଂହଙ୍କ ଉପାଧ୍ୟକ୍ଷ ଭାବେ ପ୍ରଥମ କାର୍ଯ୍ୟାଳୟ ଚଳିତ ବର୍ଷ ଏପ୍ରିଲ ମାସରେ ସମାପ୍ତ ହୋଇ ସାରିଛି। ସେ ଦ୍ଵିତୀୟ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।
କୁହାଯାଉଛି ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଏନଡିଏ ପୁଣି ଥରେ ହରିବଂଶଙ୍କୁ ପ୍ରାର୍ଥୀ କରିପାରେ। ୨୦୧୮ ଅଗଷ୍ଟରେ କଂଗ୍ରେସ ନେତା ପିଜେ କୁରିୟନଙ୍କ କାର୍ଯ୍ୟକାଳ ସମାପ୍ତ ହେବାପରେ ଜେଡିୟୁ ସାଂସଦ ହରିବଂଶଙ୍କୁ ଉପାଧ୍ୟକ୍ଷ କରାଯାଇଥିଲା।
ଏନଡିଏ ପ୍ରାର୍ଥୀ ହରିବଂଶ କଂଗ୍ରେସ ପ୍ରାର୍ଥୀ ବିକେ ହରି ପ୍ରସାଦଙ୍କୁ ପରାସ୍ତ କରିଥିଲେ। ହରିବଂଶଙ୍କୁ ୧୨୫ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ୧୦୫ ଖଣ୍ଡ ଭୋଟ୍ ମିଳିଥିଲା। ଏଥର ଉପାଧ୍ୟକ୍ଷ ପଦରେ ନିର୍ବାଚନ ମୌସୁମି ଅଧିବେଶନର ପ୍ରଥମ ଦିନ ସେପ୍ଟେମ୍ବର ୧୪ରେ ଅନୁଷ୍ଠିତ ହେବ। ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୧ ରହିଛି। ଗତ ଲୋକସଭା ନିର୍ବାଚନ ଫଳାଫଳ ପରଠୁ ନିମ୍ନ ସଦନ କୁହାଯାଉଥିବା ଲୋକସଭାରେ ଉପବାଚସ୍ପତି ପଦ ମଧ୍ୟ ଖାଲି ରହିଛି।
ମୌସୁମି ଅଧିବେଶନ ରଣନୀତି ଉପରେ କଂଗ୍ରେସ ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। କରୋନା ଭାଇରସ୍ ପ୍ରସଙ୍ଗ ବ୍ୟତୀତ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଗୃହରେ ଲକ୍ଡାଉନ୍, ପ୍ରଶ୍ନକାଳ, ଫେସବୁକ ମାମଲା, ଜିଡିପି ହ୍ରାସ, ରାଜ୍ୟକୁ ଜିଏସଟି ଦେବା ଦାବି ସମେତ ଅନେକ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି।
ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାହୁଲ ଗାନ୍ଧୀ, ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦ, ଆନନ୍ଦ ଶର୍ମା, ଅଧିର ରଞ୍ଜନ ଚୌଧୁରୀ, ଗୌରବ ଗୋଗୋଇ, ଜୟରାମ ରମେଶ ସମେତ ଅନେକ କଂଗ୍ରେସୀ ନେତା ସାମିଲ ଥିଲେ। କିଛି ଦିନ ପୂର୍ବେ ହୋଇଥିବା ବୈଠକରେ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଦି ମଧ୍ୟ ସାମିଲ ଥିଲେ।