ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ନୂତନ ଅଧ୍ୟକ୍ଷଙ୍କ ପ୍ରଥମ ୫୦ ଦିନର କାର୍ଯ୍ୟସୂଚୀର ବିବରଣୀକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବିରୋଧୀ

Published By : Prameya-News7 Bureau | November 17, 2019 IST

ଭୁବନେଶ୍ୱର ୧୭।୧୧ - ୧୯୯୮ରେଗଠନ ହୋଇଥିଲାପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ମାତ୍ର ଏହା କେବଳ ଏକ ସାଇନବୋର୍ଡ ସଂଗଠନ ଏବଂ ରାଜନୈତିକ ଥଇଥାନ କେନ୍ଦ୍ର ବୋଲି ବାରମ୍ବାର ସମାଲୋଚନା ହୋଇଛି । ପରିଷଦର ମୁଖ୍ୟାଳୟ ଭୁବନେଶ୍ବରରୁ ପଶ୍ଚିମ ଓଡ଼ିଶାକୁ ସ୍ଥାନାନ୍ତରଣ ନହେବା, ପରିଷଦ ପାଇଁ ଅଧିକ ଅର୍ଥ ବ୍ୟୟବରାଦ ନହେବା ନେଇ ମଧ୍ୟ ହୋଇଛି ଆଲୋଚନା । ଏବେ, ପରିଷଦର ନୂତନ ଅଧ୍ୟକ୍ଷଙ୍କ ପ୍ରଥମ ୫୦ ଦିନର କାର୍ଯ୍ୟସୂଚୀର ବିବରଣୀକୁ ନେଇ ମଧ୍ୟ ବିରୋଧୀ ଅସନ୍ତୋଷ ଜାହିର କରିଛନ୍ତି ।

ଦଶନ୍ଧି ତଳେ ଗଠନ ହୋଇଥିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । କିନ୍ତୁ  ଗଠନର ବାସ୍ତବ ଲକ୍ଷ୍ୟ ହାସଲଠାରୁ ପରିଷଦ ବହୁ ଦୂରରେ ବୋଲି ବାରମ୍ବାର ସମାଲୋଚନା ହେଉଛି । ଏହାର ସଦସ୍ୟ ଏବଂ ଅଧ୍ୟକ୍ଷ ନିଯୁକ୍ତି କେବଳ ରାଜନୈତିକ ଥଇଥାନ ବୋଲି ବିରୋଧୀ ଆକ୍ଷେପ କରୁଛନ୍ତି । ରାଜ୍ୟର ୧୧ଟି ଜିଲ୍ଲା, ଏକ ଚତୁର୍ଥାଂଶ  ଲୋକଙ୍କ ପାଇଁ  ଉଦ୍ଦିଷ୍ଟ ପରିଷଦକୁ ବର୍ଷ ବର୍ଷ ଧରି ଉପେକ୍ଷା କରାଯାଇଛି ବୋଲି ଅଭିଯୋଗ ହେଉଛି । ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ୍ ୧ ଲକ୍ଷ ୪୦ ହଜାର କୋଟି ଥିବାବେଳେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ବ୍ୟୟ ବରାଦ ହୋଇଛି କେବଳ ୧୦୦ କୋଟି । ଏହାକୁ ନେଇ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଚଳିତ ବିଧାନସଭା ଅଧିବେସନରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେହିଭଳି, ଚଳିତ ବର୍ଷ ସେପ୍ଟେମ୍ବର ୧୮ରୁ ପରିଷଦର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ସୁବାସ ଚୌହାନଙ୍କ କାର୍ଯ୍ୟଦିବସର ବିବରଣୀକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଚୌହାନ ତାଙ୍କ  ୫୦ ଦିନିଆ କାର୍ଯ୍ୟକାଳର ବିବରଣୀରେ ବିଜେପୁର ନିର୍ବାଚନ ପ୍ରଚାର, ଦଳୀୟ କାର୍ଯ୍ୟକର୍ତ୍ତା ବୈଠକ ଏବଂ ପଦଯାତ୍ରାରେ ଯୋଗଦେବା ଉଲ୍ଲେଖ କରିବା ଗ୍ରହଣୀୟ ନୁହେଁ ବୋଲି ବିରୋଧୀ କହିଛନ୍ତି ।

ତେବେ ସେ କୌଣସି ଭୁଲ୍ କରିନାହାନ୍ତି ଏବଂ ବିଜେଡି ଶାସନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଠିକ୍ କାମ କରୁଛି ବୋଲି ଏହାର ଅଧ୍ୟକ୍ଷ କହିଛନ୍ତି । କିନ୍ତୁ ପଶ୍ଚମ ଓଡ଼ିଶାର ବିକାଶ ପାଇଁ ପରିଷଦକୁ ଅଧିକ  ଅର୍ଥ ମିଳିବା ଉଚିତ ବୋଲି ସେ ମାନିଛନ୍ତି ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ନେଇ ବିବାଦ ଏବଂ ସମାଲୋଚନା କିଛି ନୂଆ କଥା ନୁହେଁ । ମାତ୍ର, ପଶ୍ଚିମ ଓଡ଼ିଶାର ବିକାଶ ଏବଂ ଆଞ୍ଚଳିକ ବୈଷମ୍ୟ ଦୂର କରିବାରେ ପରିଷଦ ଆଗକୁ  କିଭଳି କାମ କରୁଛି ତାହା ଉପରେ ସବୁ କିଛି ନିର୍ଭର କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.