ବିରୋଧୀ ଦଳଙ୍କ ବୈଠକ, ସୋନିଆ ଗାନ୍ଧୀ କହିଲେ- ଆର୍ଥିକ ପ୍ୟାକେଜ୍ କେବଳ ଡ୍ରାମା, ଦେଶବାସୀଙ୍କୁ ତୁଚ୍ଛା ଉପହାସ

Published By : Prameya-News7 Bureau | May 22, 2020 IST

ନୂଆଦିଲ୍ଲୀ ୨୨।୦୫: ଦେଶରେ କରୋନା ଭୂତାଣୁ ଓ ବାତ୍ୟା ଅମ୍ଫାନ ସଙ୍କଟ ମଧ୍ୟରେ ଶୁକ୍ରବାର ବିରୋଧୀ ଦଳଗୁଡିକର ବୈଠକ ହୋଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ବୈଠକରେ ବିରୋଧୀ ଦଳ ଅମ୍ଫାନକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ସୋନିଆ ଗାନ୍ଧୀ ବୈଠକର ଆରମ୍ଭ କରିବା ସହିତ କରୋନା ସଙ୍କଟକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ବୈଠକରେ ସୋନିଆ ଗାନ୍ଧୀ କହିଛନ୍ତି, ଅର୍ଥବ୍ୟବସ୍ଥାକୁ ଗୁରୁତର ଝଟକା ଲାଗିଛି। ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ ତତ୍କାଳ ବଡ ଧରଣର ରାଜକୋଷୀୟ ପ୍ରୋତ୍ସାହନ ଦେବା କଥା କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୧୨ରେ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହା ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପାଞ୍ଚ ଦିନ ପର୍ଯ୍ୟନ୍ତ ଏହାର ବିବରଣୀ ପ୍ରଦାନ କରିଛନ୍ତି। ଏହା ଦେଶ ସହିତ କ୍ରୁର ଉପହାସ ବୋଲି ସୋନିଆ କହିଛନ୍ତି।

ସୋନିଆ ଗାନ୍ଧୀ କହିଛନ୍ତି, କରୋନା ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାରମ୍ଭରେ ଆଶା କରିଥିଲେ ଯେ, ୨୧ ଦିନ ଭିତରେ ଏହାକୁ କାବୁ କରି ଦେବେ। କିନ୍ତୁ ତାଙ୍କ ଧାରଣା ଭୁଲ୍ ସାବ୍ୟସ୍ତ ହେଲା। ସରକାର କେବଳ ଲକ୍‌ଡାଉନ୍ ମାନଦଣ୍ଡକୁ ନେଇ ନିଶ୍ଚିତ ନଥିଲେ ବରଂ ଏଥିରୁ ବାହାରିବା ନେଇ ମଧ୍ୟ କୌଣସି ରଣନୀତି ନଥିଲା। ଫଳରେ ପର୍ଯ୍ୟାୟ କ୍ରମେ ଲାଗୁ ଲକ୍‌ଡାଉନ୍‌ର ଖାସ୍ ପ୍ରଭାବ ଦେଖିବାକୁ ମିଳିଲା ନାହିଁ।

ସୋନିଆ ଗାନ୍ଧୀ କହିଛନ୍ତି, କରୋନା ଟେଷ୍ଟ ଓ ଟେଷ୍ଟିଂ କିଟ୍‌ର ଆମଦାନୀ ଉପରେ ମଧ୍ୟ ସରକାରଙ୍କୁ ଝଟକା ଲାଗିଛି। ଲକ୍‌ଡାଉନ୍‌ କାରଣରୁ ଉପୁଜିଥିବା ସ୍ଥିତିରେ ଗରିବଙ୍କୁ ନଗଦ ଅର୍ଥ ଦିଆଯିବାର ଥିଲା। ସମସ୍ତ ପରିବାରଙ୍କୁ ମାଗଣାରେ ଖାଦ୍ୟଶସ୍ୟ ବିତରଣ କରିବା ଉଚିତ୍। ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କର ଘରକୁ ପଠାଇବା ପାଇଁ ବସ୍‌ ଓ ଟ୍ରେନ୍‌ର ବ୍ୟବସ୍ଥା କରାଯିବା ଉଚିତ୍ ବୋଲି ସୋନିଆ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ସୁରକ୍ଷା ନିମନ୍ତେ ବେତନ ସହାୟତା ଓ ଶ୍ରମିକ ସଂରକ୍ଷଣ ନୀତି ସ୍ଥାପନ କରାଯିବା ଉଚିତ୍। ଏହା ବ୍ୟତୀତ ସୋନିଆ ପିଏସୟୁ ବିକ୍ରି କରିବାକୁ ସବୁଜ ସଙ୍କେତ ଦେବାକୁ ନିନ୍ଦା କରିଛନ୍ତି ଏବଂ ଶ୍ରମ ଆଇନ୍‌ କାର୍ଯ୍ୟକାରୀ କରିବାକୁ ଅପିଲ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.