ନିଗମ ଅଧ୍ୟକ୍ଷ ଏବଂ ଉପଦେଷ୍ଟା ନିଯୁକ୍ତିକୁ ନେଇ ଆରମ୍ଭ ହେଲା ବିବାଦ, ବିରୋଧୀ ଉଠାଇଲେଣି ପ୍ରଶ୍ନ

Published By : Prameya-News7 Bureau | August 17, 2019 IST

ଭୁବନେଶ୍ବର ୧୭/୮ : ଭୁବନେଶ୍ବର ନେତାଙ୍କୁ ନିଗମ ପଦରେ ଥଇଥାନକୁ ନେଇ ବିରୋଧୀ କ୍ଷୁବ୍ଧ । ୩୬ ନେତାଙ୍କୁ ନିଗମର ଅଧ୍ୟକ୍ଷ ଏବଂ ବିଭିନ୍ନ ସଂସ୍ଥାର ଉପଦେଷ୍ଟା ନିଯୁକ୍ତି ପରେ ପୁଣି କିଛି ନେତାଙ୍କୁ ସରକାର ଆଉକିଛି ପଦବୀରେ ବସାଇବାକୁ ଯୋଜନା କରୁଛନ୍ତି । ଏତେ ନେତାଙ୍କ ରାଜନୈତିକ ଥଇଥାନ ଉପରେ ଏବେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କହିଛନ୍ତି ଦଳର ଅସନ୍ତୋଷ ଚାପିବାକୁ ସରକାର ରାଜ୍ୟ ରାଜକୋଷ ଉପରେ ଅଯଥା ବୋଝ ଲଦିଛନ୍ତି ।….

{"id":145452}

ବିଭିନ୍ନ ନିଗମର ଅଧ୍ୟକ୍ଷ ପଦରେ ସରକାର ଦଳୀୟ ନେତାଙ୍କୁ ଥଇଥାନ କଲେ । କିନ୍ତୁ ପ୍ରଥମକରି କିଛି ବିଭାଗର ଉପଦେଷ୍ଟା ଭାବେ ବି ଦଳୀୟ ନେତାଙ୍କୁ ଯେଉଁ ପଦବୀ ଦେଇଛନ୍ତି ତାକୁ ନେଇ ଉଠିଲାଣି ପ୍ରଶ୍ନ । ଆଗରୁ ଆଡଭାଇଜର ବା ଉପଦେଷ୍ଟା ପଦବୀ ସାଧାରଣ ଭାବେ ଦିଆଯାଉନଥିଲା । ସରକାର ଏଥର ଅଧିକ ଦଳୀୟ ନେତାଙ୍କୁ ଥାଇଥାନ କରିବାକୁ ଯାଇ ପ୍ରାୟ୧୧ ଜଣଙ୍କୁ ଉପଦେଷ୍ଟା ପଦରେ ବସାଇଛନ୍ତି । ପ୍ରଶ୍ନ ଉଠୁଛି ସଂପୃକ୍ତ ବିଭାଗକୁ କି ଉପଦେଶ ଦେବେ ଏହି ନେତାଏ । କିଛି ବିଭାଗର ସଚିବ ଏତେ ପାଓାରଫୁଲ ଯେ ଉପଦେଷ୍ଟା ହୋଇଥିବା ବିଜେଡି ନେତାଏ ସେମାନଙ୍କୁ ଭେଟି ଦି ପଦ କଥା ହେବା ବି ବଡ ମୁସ୍କିଲ । ତେଣୁ ବିଜେଡିର କିଛି ନେତାଙ୍କୁ ସରକାର ଏଭଳି ନିଯୁକ୍ତି ଦେବା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କହିଛନ୍ତି, ଏଭଳି ପଦରେ ଦଳୀୟ ନେତାଙ୍କୁ ଥଇଥାନ କରି ରାଜ୍ୟ ରାଜକୋଷ ଉପରେ ଅଯଥା ବୋଝ ଲଦିଛନ୍ତି । ଯାହା ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଶୁଭଙ୍କର ନୁହେଁ ।

{"id":145453}

ଦଳରେ ନେତାଙ୍କ ଭିତରେ ଥିବା ଅସନ୍ତୋଷକୁ ଚାପିବାକୁ ସରକାର ଏତେ ନେତାଙ୍କୁ ଥଇଥାନ କରିଥିବା  ରାଜନୈତିକ ମହଲରେ ଚର୍ଚା ଚାଲିଛି। ସରକାରଙ୍କ ଯୁକ୍ତି, କିଭଳି 5-T ବ୍ୟବହାର କରି ବିଭାଗୀୟ କାମକୁ ସ୍ବଛ ଓ ଶିଘ୍ର କରାଯାଇ ପାରିବ ସେଥିପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ହେଲେ ପ୍ରଶ୍ନ ଉଠୁଛି ସରକାର ଆଡଭାଜର ପୋଷ୍ଟରେ ବସାଇଥିବା ନେତାଙ୍କୁ କଣ ସୁବିଧା ସୁଯୋଗ ଦେବେ । ସେମାନଙ୍କ ଦରମା ଓ ଭତ୍ତା କଣ ହେବ, ସେମାନଙ୍କ ଅଫିସ କେଉଁଠି ରହିବ ଓ କେଉଁଠି କାମ କରିବ ତାକୁ ନେଇ ବି ଦ୍ବନ୍ଦ ରହିଛି ।

{"id":145454}

ବିଜେଡି ଟିକେଟରୁ ବଞ୍ଚିତ ଆଶାୟୀ ନେତାଙ୍କୁ ବିଭିନ୍ନ ନିଗମର ଅଧ୍ୟକ୍ଷ ଏବଂ ବିଭିନ୍ନ ସଂସ୍ଥାର ଉପଦେଷ୍ଟା କରି ନବୀନ ସେମାନଙ୍କୁ ଖୁସ କରିବାକୁ ଚେଷ୍ଟା କରିଛନ୍ତି । ହେଲେ ଯେଉଁ ନେତା ବିଧାନସଭା କି ଲୋକସଭା ଟିକେଟ ନେଇ ଜିତି ନାହାଁନ୍ତି ସେମାନଙ୍କୁ କିନ୍ତୁ ନିଗମ ଲଡୁ ମିଳିନି । ଯାହାକି ଭଲ କଥା । ହେଲେ ଚର୍ଚା ହେଉଛି ହାରିଯାଇଥିବା କିଛି ବଡ ନେତା ଯୋଜନା ବୋର୍ଡ ଉପାଧ୍ୟକ୍ଷ, ପଶ୍ମିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଆଦି ଗୁରୁତ୍ବପୂର୍ଣ୍ଣ ପଦବୀ ହାତେଇବାକୁ ପ୍ରାଣମୂର୍ଚ୍ଛା ଲବି କରୁଛନ୍ତି । ଖୁବ୍ ଶିଘ୍ର ଏହିପଦରେ କିଛି ନେତାଙ୍କୁ ବସାଇବାକୁ ବି ନବୀନ ସ୍ଥିର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.