‘କାଳିଆ’ ଯୋଜନାକୁ ସମାଲୋଚନା କଲେ ବିରୋଧୀ; କୃଷି ମନ୍ତ୍ରୀ କହିଲେ ଚାଷୀଙ୍କୁ ଭରସା ‘କାଳିଆ’

Published By : Prameya-News7 Bureau | December 22, 2018 IST

ଭୁବନେସ୍ବର ୨୨|୧୨: ‘କାଳିଆ’ ଯୋଜନା ରାଜନୀତି । କୃଷକଙ୍କ ପାଇଁ ‘କାଳିଆ’ ଯୋଜନା ଘୋଷଣା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ‘କାଳିଆ’ ଯୋଜନା ନାଁରେ କୃଷକଙ୍କ ପାଇଁ ୧୦ ହଜାର କୋଟିର ସହାୟତା ଘୋଷଣା କରିଛନ୍ତି ସରକାର । କିଭଳି ଏବଂ କେଉଁମାନେ ‘କାଳିଆ’ ଯୋଜନାରେ ଉପକୃତ ହେବେ ତାର ସ୍ପଷ୍ଟ ରୂପରେଖ ବି ପ୍ରସ୍ତୁତ ହୋଇଛି ।

ଏପଟେ କିନ୍ତୁ କାଳିଆ ଯୋଜନାକୁ ନେଇ ଟାର୍ଗେଟ୍ କରିଛି ବିଜେପି । ଏହା ରାଜ୍ୟ ସରକାରଙ୍କ ନିର୍ବାଚନୀ ଥୋପ ବୋଲି କହିଛି ବିଜେପି । ସରାକରଙ୍କ ପାଖରେ ପ୍ରକୃତ ଚାଷୀଙ୍କ ହିସାବ ନାହିଁ । ରାଜନୈତିକ ଉଦ୍ଦେଶ୍ୟ ରଖି ଯୋଜନା କରାଯାଇଛି ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ସେହିଭଳି ‘କାଳିଆ’ ନିର୍ବାଚନୀ ଧୂଆଁ ବାଣ ବୋଲି କଂଗ୍ରେସ ସମାଲୋଚନା କରିଛି । ପ୍ରଥମେ ଚାଷୀଙ୍କୁ ଚିହ୍ନଟ କରନ୍ତୁ ସରକାର । ଚାଷୀଙ୍କ ଚିହ୍ନଟ ପରେ ଯୋଜନା କରିବେ ସରକାର । ଆମ ପ୍ୟାକେଜ୍ ତାଙ୍କ ଠାରୁ ବହୁତ ଭଲ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟାରେ କହିଛନ୍ତି । ବିରୋଧୀଙ୍କ ସମାଲୋଚନାର ଜବାବ ରଖିଛନ୍ତି କୃଷୀ ମନ୍ତ୍ରୀ । ଚାଷୀଙ୍କୁ ଭରଷା କାଳିଆ । ଏହି ଯୋଜନାରେ କ୍ଷୁଦ୍ର ଓ ନାମକୁମାତ୍ର ଚାଷୀ ଉପକୃତ ହେବେ । ଏଥିରେ ୩୨ ଲକ୍ଷ ଚାଷୀ ଉପକୃତ ହେବେ ବୋଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଜବାବରେ କହିଛନ୍ତି ।

ସେହିପରି ‘କାଳିଆ’ ଯୋଜନା ଘୋଷଣା କରି ରାଜ୍ୟ ସରକାର ଚାଷୀଙ୍କୁ ଠକିଥିବା ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ରାଜ୍ୟ ସରକାରଙ୍କ ଏହି ଘୋଷଣା ବିରୋଧରେ ପ୍ରତିବାଦ କରି ଶତାଧିକ କୃଷକ ରାଜଭବନ ଆଗରେ ଧାରଣା ଦେଇଛନ୍ତି । ୩ରାଜ୍ୟରେ କଂଗ୍ରେସ ସରକାର କୃଷି ଋଣ ଛାଡ କରିଛି, ସେହିପରି ଓଡିଶାରେ ରାଜ୍ୟ ସରକାର ଚାହିଁଥିଲେ ଚାଷୀଙ୍କ ଋଣ ଛାଡ କରିପାରିଥାନ୍ତେ, ତେବେ ତାହା ନକରି ଚାଷୀଙ୍କୁ ଭୂଆଁ ବୁଲାଇଥିବା ଅଭିଯୋଗ ହୋଇଛି । ଏପରିକି ବିଧାନସବାରେ ପ୍ରସ୍ତାବ ସତ୍ତ୍ବେ ରାଜ୍ୟ ସରାକର ସର୍ବନିମ୍ନ ସହାୟକ ମୂଲ୍ୟ ୨୯ଶହ ଟଙ୍କା କରିପାରିନଥିବା ମଧ୍ୟ ଅଭିଯୋଗ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.