ଓପିଜିସି ଏବେ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କର, ୨୩ ବର୍ଷ ପରେ ଫେରିଲା ମାଲିକାନା

Published By : Prameya-News7 Bureau | August 29, 2020 IST

ଝାରସୁଗୁଡା, ୨୯|୦୮:  ଓପିଜିସିରେ ଏଇଏସ୍ ଅଂଶଧନକୁ ଆଦାନୀ କମ୍ପାନୀକୁ ବିକ୍ରି କରିବା ଲାଗି ଚାଲିଥିବା ମୂଲଚାଲ୍‌ରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସରକାର ଶନିବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଓପିଜିସି ହାତରେ ଥିବା ଏଇଏସ୍ ଅଂଶଧନକୁ ନିଜେ କିଣିନେବା ଲାଗି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୧୩୫ ମିଲିୟନ୍ ଆମେରିକୀୟ ଡଲାର ବା ପାଖାପାଖି ୧୦୦୦ କୋଟି ଟଙ୍କା ବିନିଯୋଗରେ ରାଜ୍ୟ ସରକାର ଏହାକୁ କିଣିବେ। ଶକ୍ତି ବିଭାଗ ପକ୍ଷରୁ ଏଇଏସ କମ୍ପାନୀକୁ ଦିଆଯାଇ ଥିବା ଚିଠିରେ ସ୍ପଷ୍ଟ ଭାବେ ସରକାର କହିଛନ୍ତି ଯେ, ଏଇଏସ୍‌କୁ ୧୯୯୭ ମସିହାରେ ଦିଆଯାଇଥିବା ୪୯ ପ୍ରତିଶତ ଅଂଶଧନ ରାଜ୍ୟ ସରକାର ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି।ପୂର୍ବରୁ ଓଡ଼ିଶା ସରକାର ଓ ଏଇଏସ୍ ମଧ୍ୟରେ ହୋଇଥିବା ସେୟାର ହୋଲଡର ଏଗ୍ରିମେଣ୍ଟ ଅନୁସାରେ ଏହାକୁ ନୋଟିସ ବୋଲି ବିବେଚନା କରାଯାଇପାରେ। ଚୁକ୍ତିନାମା ଅନୁସାରେ ରାଜ୍ୟ ସରକାର ଅନ୍ୟ କୌଣସି କମ୍ପାନୀକୁ ନଦେଇ ନିଜ ହାତରେ ରଖିବାକୁ ନିଷ୍ପତ୍ତି ନେବାପରେ ଓପିଜିସି କଂପାନି ଏବେ ଶତ ପ୍ରତିଶତ ରାଜ୍ୟ ସରକାରଙ୍କର ହୋଇ ରହିବ।

ରାଜ୍ୟ ସରକାର ଓପିଜିସି ଓ ଓଏଚପିସିରୁ ୧୦୦୦ କୋଟି ଟଙ୍କା ନେଇ ଏହି କଂପାନିକୁ କିଣିବାକୁ ସ୍ଥିର କରିଛନ୍ତି। ଆକଳନ କରାଯାଇ ଦେଖାଯାଇଛି, ଏହି କଂପାନି ସରକାରଙ୍କ ହାତରେ ରହିଲେ, ଏହା ଲାଭଜନକ ହେବ ବୋଲି  କର୍ମଚାରୀ ସଂଘ ପକ୍ଷରୁ ୭ମାସ ତଳେ ବିଧାୟକ କିଶୋର ମହାନ୍ତି ଓ ସୌମ୍ୟରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରି ଓପିଜିସି ହାତରେ କୋଲ୍ ବ୍ଲକ୍‌ ରହିଥିବାରୁ, ଏହା ଲାଭଜନକ ହୋଇ ପାରିବ ବୋଲି କୁହାଯାଇ ଥିଲା।

ଅନ୍ୟପକ୍ଷରେ ସରକାର ଏଇଏସ୍‌କୁ ଯେଉଁ ଚିଠି ଦେଇଛନ୍ତି, ସେଥିରେ କୁହାଯାଇଛି ୪୯ ପ୍ରତିଶତ ଅଂଶଧନ ବିକ୍ରି ବାବଦରେ ଏଇଏସ୍ ଯେଉଁ ଅର୍ଥ ପାଇବାର ରହିଛି, ତାହା କିଭଳି ଦିଆଯିବ ଓ ଏଥିପାଇଁ କି କି ନୀତି ଅନୁସୃତ ହେବ, ତାହା ଶକ୍ତି ବିଭାଗ ଖୁବ୍ ଶୀଘ୍ର କଂପାନି କର୍ତୃପକ୍ଷଙ୍କ ସହିତ ଆଲୋଚନା କରିବ ।

ଉଲ୍ଲେଖଯୋଗ୍ୟ, ଓପିଜିସିରେ ଏଇଏସ୍ ଅଂଶଧନକୁ ଆଦାନୀ କମ୍ପାନୀକୁ ବିକ୍ରି କରିବା ଲାଗି ଅଭିଯୋଗ ହୋଇଥିଲା। ଆଦାନୀ କର୍ତ୍ତୃପକ୍ଷ ଓଡ଼ିଶା ଆସି ଓପିଜିସି ବୁଲି ଦେଖିଥିଲେ ଓ କଥା ବହୁ ଆଗକୁ ବଢ଼ିଥିଲା। ଏପରିକି ଅଧିକାରୀସ୍ତରୀୟ କଥାବାର୍ତା ଗତ ଅଗଷ୍ଟ ୫ ଓ୬ ତାରିଖରେ ଶେଷ ହୋଇଥିବା କୁହାଯାଇଥିଲା। ଏ ସମ୍ପର୍କିତ ଖବର ପ୍ରଥମେ ନ୍ୟୁଜ 7 ପ୍ରସାରଣ କରିବା ସହ କାରଖାନା କୁ ସମ୍ପୂର୍ଣ୍ଣ ଭାବେ ସରକାର ନିଜ ହାତରେ ରଖନ୍ତୁ ବୋଲି କୁହାଯାଇଥିଲା। ଅଭିଯୋଗ କରିଥିଲେ ଯେ ଓପିଜିସି ହାତରେ କୋଲ୍ ବ୍ଲକ୍‌ ଥିବା କାରଣରୁ ଆଦାନୀ ଏହା ଉପରେ ଆଖି ରଖିଛି ଓ ଏଇଏସ୍‌ଠାରୁ ୪୯ ପ୍ରତିଶତ ଅଂଶଧନ କିଣିବାକୁ ଯୋଜନା ଚଳାଇଛି। କେଉଁ ପରିସ୍ଥିତିରେ ଏଇଏସ୍ ଓହରିଯାଉଛି ଓ ରାଜ୍ୟ ସରକାର କେଉଁ ପରିସ୍ଥିତିରେ ମାତ୍ର ହଜାରେ କୋଟି ଟଙ୍କାରେ ବିକ୍ରି କରିବା ଲାଗି ସମ୍ମତି ଦେଉଛନ୍ତି, ତାହା ଜଣାନ୍ତୁ ବୋଲି ବିରୋଧୀ ଦାବି କରିଥିଲେ। ଏଇଏସ୍ ବିକ୍ରି ସଂପର୍କରେ ପ୍ରଥମେ ‘ସମ୍ବାଦ’ରେ ଗତ ଜାନୁଆରି ପ୍ରଥମ ସପ୍ତାହରେ ଖବର ପ୍ରକାଶ ପାଇଥିଲା।ଚାରିଆଡୁ ଚାପ ପଡ଼ିବା ପରେ ଶେଷରେ ସରକାର ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରି ନିଜ ପାଖରେ ଏହାକୁ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଓପିଜିସିରେ ରାଜ୍ୟ ସରକାରଙ୍କ ୫୧ ପ୍ରତିଶତ ଓ ଏଇଏସ୍ ହାତରେ ୪୯ ପ୍ରତିଶତ ଅଂଶଧନ ଥିଲା।ସରକାରଙ୍କ ନିଷ୍ପତ୍ତିରେ ଖୁସି ପ୍ରକଟ କରିଛନ୍ତି କର୍ମଚାରୀ ସଂଘ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.