ବାଘୁଣୀ ‘ସୁନ୍ଦରୀ’କୁ ଧରିବା ପାଇଁ ରାତିରୁ ଆରମ୍ଭ ହୋଇଛି ଅପରେସନ

Published By : Prameya-News7 Bureau | September 27, 2018 IST

ଅନୁଗୋଳ ୨୭|୯: ଜନବସତିକୁ ଚାଲି ଆସିଥିବା ବାଘୁଣୀ ‘ସୁନ୍ଦରୀ’କୁ ଧରିବା ପାଇଁ ରାତିରୁ ଅପରେସନ ଆରମ୍ଭ ହୋଇଛି । ସାତକୋଶିଆ ଜଙ୍ଗଲରେ ୪ଟି ଟିମ ଉଦ୍ୟମ ଆରମ୍ଭ କରିଛନ୍ତି। ଆଠମଲ୍ଲିକ ବନଖଣ୍ଡ ହାତୀଧରା ଜଙ୍ଗଲରେ ଯନ୍ତା ବସାଇ ଜଗି ବସିଛି ବନ ବିଭାଗ । ସୁନ୍ଦରୀକୁ ଧରାଯାଇ କୋର ଏରିଆରେ ଛଡାଯିବ । ବାଘୁଣୀ ‘ସୁନ୍ଦରୀ’ ଜନବସତି ଆଡକୁ ମୁହାଁଉଥିବା ବେଳେ ସାତକୋଶିଆ ବନ ବିଭାଗକୁ ଚିନ୍ତାରେ ପକାଇଛି। କିଛି ଦିନ ପୂର୍ବେ ସୁନ୍ଦରୀ ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ପଞ୍ଚାୟତ ହାତୀବାରି ଗାଁ କିସନ ସାଏଙ୍କ ସ୍ତ୍ରୀ କୈଳାସୀ ସାଏଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଂଚଳବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଭଙ୍ଗାରୁଜା କରିବା ସହିତ ରେଞ୍ଜ ଅଫିସରେ ନିଆଁ ଲଗାଦେଇଥିଲେ ଏବଂ ସ୍ଥାନାନ୍ତର ନ କରାଗଲେ ବାଘୁଣୀକୁ ମାରିଦେବାକୁ ଧମକ ଦେଇଥିଲେ । ଏହା ପରେ ସୁନ୍ଦରୀ, ଗାଈ ଟାଣିନେଇଥିବା ଅଭିଯୋଗ ହୋଇଥିଲା । ସୁନ୍ଦରୀକୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଥିଲେ । ତେବେ ଆଗକୁ ଯେପରି ସୁନ୍ଦରୀ ଆକ୍ରମଣରେ କୌଣସି କ୍ଷୟକ୍ଷତି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସାତକୋଶିଆ ବନ ବିଭାଗ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.