ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର

Published By : Prameya-News7 Bureau | April 11, 2021 IST

କଟକ ୧୧।୦୪: ପୋଲିସର ଅପରେସନ୍ ହାଇଦର। ଫେରାର ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବାକୁ ପୋଲିସର ତନାଘନା ଜାରି। ଡିଜିଙ୍କ କ୍ୟାମ୍ପ ଅଫିସରେ ବରିଷ୍ଠ ପୋଲିସ ଅଫିସରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି ଅଭୟ। ବୈଠକରେ ଏଡିଜି- ଲ ଆଣ୍ଡ ଅର୍ଡର, ଆଇଜି ଇଣ୍ଟେଲିଜେନ୍ସ, ସ୍ପେଶାଲ ସ୍କ୍ୱାର୍ଡ ଓ ବହୁ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ଥିଲେ ।

ହାଇଦରକୁ ଧରିବା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ହାଇଦରର ଲୋକେସନ୍ ଟ୍ରେସିଂ କରାଯାଉଛି । ହାଇଦରକୁ ଧରିବାକୁ ରାଜ୍ୟରେ ନାକାବନ୍ଦୀ ସହିତ ସିସିଟିଭି ଫୁଟେଜ୍ ଖୋଳତାଡ଼ କରାଯାଉଛି। ଫେରାର ହାଇଦରକୁ ଗିରଫ କରିବାରୁ ବର୍ଡର ସିଲ୍ କରିବାକୁ ସବୁ ଜିଲ୍ଲା ଏସ୍ ପି, ଏସ୍ ଟିଏଫ୍ , କମିଶନରେଟ୍ ପୋଲିସର ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୫ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି। ଭୁବନେଶ୍ବର ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ଲୋକଙ୍କୁ ହାଇଦରର ଫଟୋ ଦେଖାଇ ଖୋଜୁଛି ପୋଲିସ। ଜିଆରପି ଓ କମିଶନରେଟ୍ ପୋଲିସ ପକ୍ଷରୁ ଲୋକଙ୍କୁ ହାଇଦରର ଫଟୋ ଦେଖାଇ ଲୋକଙ୍କୁ ପଚରା ଯାଉଛି। ହାଇଦର ଏକ ଧଳା ରଙ୍ଗର ଗାଡ଼ିରେ ଖସି ଯାଇଥିବା ଜଣାପଡ଼ିଛି। ସେନେଇ ମଧ୍ୟ ତଦନ୍ତ କରାଯାଉଛି।

ସେପଟେ ହାଇଦରର ସୁରକ୍ଷା ଦାୟିତ୍ବରେ ମୁତୟନ ସୁରକ୍ଷାକର୍ମୀଙ୍କୁ ପଚରାଉଚରା କରାଯାଉଛି। ଏହାସହ ନର୍ସଙ୍କ ଷ୍ଟେଟମେଣ୍ଟ ରେକର୍ଡ କରାଯାଇ ତଦନ୍ତ ଚାଲୁଛି। ବୁର୍ଲା ଏବଂ ଏସସିବିରେ ଥିବା ବେଳେ ହାଇଦରକୁ ଭେଟିଥିବା ସମସ୍ତ ବ୍ୟକ୍ତିଙ୍କ ସମ୍ବନ୍ଧରେ ମେଡିକାଲ ସିସିଟିଭିରୁ ପୋଲିସକୁ ମିଳିଛି ସୂଚନା । ସେମାନଙ୍କ ଉପରେ ନଜର ରଖିଛି ପୋଲିସ ।

ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ। ଡାକ୍ତରଙ୍କ ପରାମର୍ଶରେ ଜେଲରୁ ଆସି ବୁର୍ଲା ମେଡିକାଲରେ ଆଡମିଟ୍ ହୋଇଥିବା ହାଇଦରକୁ କାହିଁକି କଟକ ଏସସିବି ପଠାଗଲା ? ମାର୍ଚ୍ଚ ୨୩ ରେ କଟକ ରେଫର ହୋଇଥିବା ହାଇଦର ୧୮ ଦିନ ପର୍ଯ୍ୟନ୍ତ ଏସସିବିରେ କରୁଥିଲା କଣ ? ଯଦି ତାର ସ୍ୱାସ୍ଥ୍ୟ ଠିକ ଥିଲା ତେବେ ତାକୁ କାହିଁକି ଜେଲ ପଠାଯାଇନଥିଲା? ଏମିତି ଅନେକ ପ୍ରଶ୍ନ ଉଠାଇଛନ୍ତି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ। ତେବେ ଫେରାର ଗ୍ୟାଙ୍ଗଷ୍ଟରକୁ ଖୁବଶୀଘ୍ର ଗିରଫ କରାଯିବା ନେଇ ଆଶାବାଦୀ ଅଛନ୍ତି ଏଡିଜି- ଲ ଆଣ୍ଡ ଅର୍ଡର ଯଶୋବନ୍ତ ଜେଠୱା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.