ଗଞ୍ଜେଇ କାରବାର ରୋକିବାକୁ ଅପରେସନ୍ ଗ୍ରୀନ୍ ଅଭିଯାନ: ନିଆଁ ଲଗାଇ ନଷ୍ଟ କରାଯାଇଛି ୬୭ ଏକର ଚାଷ

Published By : Prameya-News7 Bureau | December 02, 2020 IST

ରାୟଗଡା ୦୨/୧୨ : ଦିନକୁ ଦିନ ରାୟଗଡା, ଗଜପତି , କୋରାପୁଟ ଆଦି  ଜିଲ୍ଲାରେ ଗଞ୍ଜେଇ କାରବାର ବଢି ଚାଲିଛି । ଏହାକୁ ରୋକିବା ପାଇଁ ଆରମ୍ଭ ହୋଇଛି ଅପରେସନ୍‌ । ଫଳରେ ଏହି ସବୁ ଜିଲ୍ଲାର  ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଶହ ଶହ ଏକର ବେଆଇନ୍‌ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି । ନଷ୍ଟ କରାଯାଉଥିବା ଏହି ଗଞ୍ଜେଇ ଚାଷର ମୂଲ୍ୟ କୋଟି କୋଟି ଟଙ୍କା ହେବ।..

ଆରମ୍ଭ ହୋଇଛି ଅପରେସନ୍ ଗ୍ରୀନ୍‌ । ରାୟଗଡା ଜିଲ୍ଲାରେ ଗଞ୍ଜେଇ ଚାଷ ଓ କାରବାର ବଢି ଚାଲିଥିବାରୁ ଜିଲ୍ଲାରେ ଆରମ୍ଭ ହୋଇଛି ଏଭଳି ଅଭିଯାନ ।  ବିଷମକଟକ SDPO ଙ୍କ ନେତୃତ୍ବରେ ଚନ୍ଦ୍ରପୁର ଅଞ୍ଚଳ ଓ ଗୁଣପୁର SDPO ଙ୍କ ନେତୃତ୍ବରେ ଗୁଡାରୀ ଓ ପଦ୍ମପୁର ଅଞ୍ଚଲରେ ପୋଲିସ୍, ଆବକାରୀ ଓ ବନବିଭାଗ ମିଳିତଭାବରେ ଚଢାଉ ଚଳାଇଛି  । ବେଆଇନ୍ ଭାବେ ଲାଗିଥିବା ଶହ ଶହ ଏକର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି ।  ଆଉ ଏ ହେଉଛି ଗଜପତି ମୋହନା ଗୁଇମେରା ଗାଁ ନିକଟର ଦୃଶ୍ୟ । ଏଠାରେ ଚଢାଉ କରାଯାଇ ପ୍ରାୟ ୬୭ ଏକର ସଂରକ୍ଷିତ ଜଙ୍ଗଲରେ ହୋଇଥିବା ଗଞ୍ଜେଇ ଚାଷକୁ ନିଆଁ ଲଗାଇ ନଷ୍ଟ କରାଯାଉଛି । ଯାହାର ମୂଲ୍ୟ ୧୩ କୋଟି ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ କହିଛି।

ତେବେ କିଏ ଓ କିପରି ଶହଶହ ଏକର ଜମିରେ ଏଭଳି ଗଞ୍ଜେଇ ଚାଷ କରିବାକୁ ସାହସ କରୁଛି ? ଭୌଗଳିକ ଦୃଷ୍ଟିରୁ ଦେଖିଲେ ରାୟଗଡା, କନ୍ଧମାଳ, ଗଜପତି, କୋରାପୁଟ, ମାଲକାନଗିରି ଜିଲ୍ଲାର କିଛି ଉପାନ୍ତ ଅଞ୍ଚଳ ଅଛି ଯାହାକି ଅତି ଘଞ୍ଚ । ପୂର୍ବରୁ ଏହା ମାଓବାଦୀଙ୍କ ଆଡ୍ଡା ସ୍ଥଳ ଥିଲା । ଯାହାର ଫାଇଦା ଉଠାଇ ଗଞ୍ଜେଇ ମାଫିଆ ମାନେ ଏଠାରେ ଗଞ୍ଜେଇ ଚାଷ କରିବାକୁ ଭଲ ସ୍ଥାନ ଭାବେ ବାଛି ନେଇଛନ୍ତି । କିଛି ବର୍ଷ ହେଲାଣି ନଭେମ୍ବର ଓ ଡିସେମ୍ବର ମାସରେ ଚାଷ ସମୟରେ ହଜାର ହଜାର ଏକର ଗଞ୍ଜେଇ ନଷ୍ଟ କରାଯାଉଛି । ଗଞ୍ଜେଇ ଚାଷ ଓ ବ୍ୟବସାୟ ପାଇଁ ଅନେକ କଡା ଆଇନ୍ ସତ୍ବେଏହି ଅଞ୍ଚଳରେ ଚାଷ ରୋକିବାରେ ସଫଳ ହୋଇପାରୁନି ଅବକାରୀ ଓ ପୋଲିସ୍ I ଏହା ପଛରେ  ଅନେକ କାରଣ ଥିବା କୁହାଯାଉଛି । ଅନେକ ସମୟରେ ଗଞ୍ଜେଇ ମାଫିଆଙ୍କ ସହ ପୋଲିସ ଓ ଅବକାରୀ ବିଭାଗର ମିଲି ଭଗତ ପାଇଁ ଏହି ବ୍ୟବସାୟ ବଢୁଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ଚଳିତ ବର୍ଷ  ହଜାରେ ଏକର ବେଆଇନ୍ ଗଞ୍ଜେଇ ଚାଷକୁ ନଷ୍ଟ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ରାୟଗଡା ଏସ୍‌ପି ।

ଗତ ୧୫ ଦିନ ମଧ୍ୟରେ ରାୟଗଡାରେ ୫୭୭ ଏକର ସ୍ଥାନରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଯାହାର ବଜାର ମୂଲ୍ୟ ୨୧୦ କୋଟି ଟଙ୍କା ହେବ।  ମାଲକାନଗିରି ଜିଲ୍ଲାରେ ୧୦୦ ଏକରରୁ ଅଧିକ ସ୍ଥାନରେ ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ବେଳେ କୋରାପୁଟରେ ୧୫୧ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.