କଟକ ଏସ.ସିବି ମେଡିକାଲରେ ବନ୍ଦ ହୋଇପାରେ ଓପନହାର୍ଟ ସର୍ଜରୀ ବିଭାଗ
28/10/2019 at 3:05 PM

କଟକ ୨୮/୧୦: କଟକ ଏସ.ସିବି ମେଡିକାଲରେ ବନ୍ଦ ହୋଇପାରେ ଓପନହାର୍ଟ ସର୍ଜରୀ ବିଭାଗ । ରାଜ୍ୟରେ ଗୋଟିଏ ମାତ୍ର ସରକାରୀ କଲେଜ ଭାବେ ବହୁ ଗରିବ ଓ ଦୂର ଦୂରାନ୍ତରୁ ରୋଗୀ ଆସି ଏଠାରେ ଓପନହାର୍ଟ ସର୍ଜରୀ କରିଥାନ୍ତି । କିନ୍ତୁ ଏସି.ସିବି.କାର୍ଡିଓଲୋଜି ବିଭାଗରେ ଡାକ୍ତର ଅଭାବରୁ ଏବେ ସମସ୍ୟା ଦେଇ ଗତି କରୁଛି ଓପନ ହାର୍ଟ ସର୍ଜରୀ ବିଭାଗ । କେତବେଳେ ରୋଗୀଙ୍କୁ ଫେରିବାକୁ ପଡୁଛି ତ କେତେବେଳେ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି । ତେଣୁ ସମସ୍ୟାର ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି ।

କଟକ ଏସ.ସି.ବି ମେଡିକାଲରେ ଓପନହାର୍ଟ ସର୍ଜରୀ ବିଭାଗ ବନ୍ଦ ହୋଇପାରେ । ଡାକ୍ତର ଅଭାବ କାରଣରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟରେ ଥିବା ୭ଟି ମେଡିକାଲ କଲେଜ ଓ ହସ୍ପିଟାଲ ମଧ୍ୟରୁ ଏସସିବି ଗୋଟିଏ ମାତ୍ର ମେଡିକାଲ କଲେଜ ଯେଉଁଠି ଓପନହାର୍ଟ ସର୍ଜରୀ କରାଯାଇଥାଏ । ସେଥିପାଇଁ ବହୁ ଆଶା ନେଇ ଏଠାକୁ ଆସନ୍ତି ରୋଗୀ । କିନ୍ତୁ ଡାକ୍ତର ଅଭାବ କାରଣରୁ ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାହାକୁ ଫେରିଯିବାକୁ ପଡୁଛି ତ ଆଉ କାହାକୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି । ତେଣୁ ଏଭଳି ସମସ୍ୟାର ସମାଧାନ ପାଇଁ ରୋଗୀଙ୍କ ସମ୍ପର୍କୀୟମାନେ ଦାବି କରିଛନ୍ତି ।

ଏମସିଆଇ ଗାଇଡଲାଇନ ଅନୁସାରେ କଟକ ଏସ.ସି.ବି ମେଡିକାଲ ଓପନହାର୍ଟ ସର୍ଜରୀ ବିଭାଗରେ ୮ ଜଣ ଡାକ୍ତର ରହିବା କଥା । ହେଲେ ଏଠାରେ ଥିଲେ ମାତ୍ର ୪ ଜଣ ଡାକ୍ତର । ସେଥି ମଧ୍ୟରୁ ଗତ ୧୫ ଦିନ ତଳେ ଦୁଇ ଜଣ ଡାକ୍ତରଙ୍କୁ ବଦଳି କରାଯାଇଛି । ଏବେ ମାତ୍ର ଦୁଇଜଣ ଡାକ୍ତର ଓପନହାର୍ଟ ସର୍ଜରୀ କରୁଛନ୍ତି । ପୂର୍ବରୁ ସପ୍ତାହକୁ ୫ ରୁ ୬ଟି ଓପନହାର୍ଟ ସର୍ଜରୀ ହେଉଥିବା ବେଳେ ଏବେ ମାତ୍ର ଦୁଇରୁ ତିନୋଟି ସର୍ଜରୀ ହେଉଥିବା କହିଛନ୍ତି ବିଭାଗର ଏଚଓଡି । ଡାକ୍ତର ଅଭାବରୁ ରୋଗୀ ହଇରାଣ ହେଉଥିବା କଥାକୁ ଏଚଓଡି ସ୍ବୀକାର କରିଥିବା ବେଳେ ଏନେଇ ସରକାରଙ୍କୁ ଅବଗତ କରାଯାଇଥିବା କହିଛନ୍ତି ।

ଡାକ୍ତର ନିଯୁକ୍ତି ହୋଇପାରିଲେ ଏସସିବିକୁ ଆସୁଥିବା ବହୁ ଗରିବ ଗରୁବା ତଥା ହୃଦରୋଗୀ ଉପକୃତ ହୋଇପାରନ୍ତେ ।
