AIIMS ହସ୍ପିଟାଲ OPD ସାମୟୀକ ବନ୍ଦ, ୨ ସପ୍ତାହ ପରେ ପରବର୍ତ୍ତି ନିଷ୍ପତ୍ତି

Published By : Prameya-News7 Bureau | September 02, 2020 IST

ନୂଆଦିଲ୍ଲୀ ୨।୯: କରୋନା ଭାଇରସର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ବାହ୍ୟ ରୋଗୀ ସେବା (ଓପିଡି)କୁ ସାମୟୀକ ବନ୍ଦ ଘୋଷଣା କରାଯାଇଛି।  ଏହି ଘୋଷଣା ତୁରନ୍ତ କାର୍ଯ୍ୟକାରୀ କରାଯାଇଥିବା ବେଳେ ୨ ସପ୍ତାହ ପର୍ଯ୍ୟନ୍ତ ଓପିଡି ବନ୍ଦ ରହିବ ବୋଲି କୁହାଯାଇଛି। 

ଏମ୍ସଙ୍କ ଚିକିତ୍ସା ଅଧିକ୍ଷକ ଡା. ଡି.କେ. ଶର୍ମା ବୁଧବାର ଏ ନେଇ ଆଦେଶ ଜାରି କରିଛନ୍ତି । ସେ କହିଛନ୍ତି ଯେ ଜରୁରିକାଳୀନ ଓ ଅର୍ଦ୍ଧଜରୁରୀ କାଳୀନ ପରିସ୍ଥିତିରେ ରୋଗୀଙ୍କ ନିମନ୍ତେ ପର୍ଯ୍ୟାପ୍ତ ବେଡ୍ ଉପଲବ୍ଧ କରାଇବାକୁ ଏପରି ନିଷ୍ପତ୍ତି ହୋଇଛି। ଏଥିରେ ଓପିଡି ସମେତ ଜେନେରାଲ ଓ ଘରୋଇ ୱାର୍ଡକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।

ଡ.ଶର୍ମାଙ୍କ ଘୋଷଣା ଅନୁସାରେ ଦେଶର ସମସ୍ତ ଏମ୍ସରେ  ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ଓପିଡି, ଜେନେରାଲ ଓ ଘରୋଇ ୱାର୍ଡ ବନ୍ଦ ରହିବ। ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି ଡ.ଶର୍ମା କହିଛନ୍ତି। ତେବେ ଏହି ସମୟରେ ଜେନେରାଲ ଓ ଘରୋଇ ୱାର୍ଡରେ ରହି ଚିକିତ୍ସିତ ହେଉଥିବା ଏମାର୍ଜେନ୍ସୀ ରୋଗୀଙ୍କ ଚିକିତ୍ସାରେ କୌଣସି ଅବହେଳା ହେବ ନାହିଁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.