ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ମଧ୍ୟ ହୋଇପାରେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | January 19, 2019 IST

ଭୁବନେଶ୍ବର ୧୯/୧: ନବ କିଶୋର ଦାସ,ଯୋଗେଶ ସିଂଙ୍କ ପରେ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ବିରୋଧରେ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ଆଧାରରେ ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ କଂଗ୍ରେସ୍ ଭିତିରିଆ ସୂତ୍ରରୁ ଜଣାପଡ଼ିଛି ଯେ, କେବଳ କୃଷ୍ଣଚନ୍ଦ୍ର ସଗରିଆ ନୁହଁନ୍ତି ,ତାଙ୍କ ସହ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଯେଉଁ ଅଭିଯୋଗ କୃଷ୍ଣ ସଗରିଆଙ୍କ ବିରୋଧରେ ରହିଛି , ସମାନ ଅଭିଯୋଗ ଶ୍ରୀକାନ୍ତଙ୍କ ବିରୋଧରେ ରହିଛି। କଂଗ୍ରେସର ବୈଠକ ଚାଲିଥିବାବେଳେ ସଗରିଆ ସମାନ୍ତରାଳ ସଭାର ଆୟୋଜନ କରିଥିଲେ। ଏହି ସଭା ପାଇଁ ପିସିସି ସଭାପତିଙ୍କ ଅନୁମୋଦନ ନିଆଯାଇନଥିଲା କି ପିସିସି ସଭାପତିଙ୍କୁ ଆମନ୍ତ୍ରଣ କରାଯାଇନଥିଲା। ତେବେ ଏହି ସଭାରେ ଶ୍ରୀକାନ୍ତ ଯୋଗ ଦେଇଥିଲେ। ସଭାରେ ଶ୍ରୀକାନ୍ତ ପିସିସି ସଭାପତିଙ୍କୁ ଆକ୍ଷେପ କରି ମଧ୍ୟ ବିଭିନ୍ନ ଟିପ୍ପଣୀ ଦେଇଥିଲେ। ଶ୍ରୀକାନ୍ତଙ୍କ ବଡ଼ ଲାଙ୍ଗୁଏଜକୁ ବିଚାରକୁ ନେଲେ ଠିକ୍ ବୁଝାପଡ଼ୁଛି ଯେ, ସେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବକୁ ମାନିବାକୁ ନାରାଜ।

କୃଷ୍ଣ ସଗରିଆ ଉଶୃଙ୍ଖଳ ହେବା ପଛରେ ଶ୍ରୀକାନ୍ତ ଜେନାଙ୍କ ହାତ ରହିଥିବା ମଧ୍ୟ ବିଭିନ୍ନ ସମୟରେ ଆଲୋଚନା ହୋଇଛି। ଶ୍ରୀକାନ୍ତ ଜେନା ଓ ନିରଞ୍ଜନଙ୍କ ମଧ୍ୟରେ କଥା କଟାକଟି  ରାଜନୈତିକ ସମୀକ୍ଷକଙ୍କୁ ଆଲୋଚନା ପାଇଁ ତଥ୍ୟ ଯୋଗାଇ ଆସିଛି।

ଆସନ୍ତା ୨୫ ତାରିଖରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ବର ତମାଣ୍ଡୋଠାରେ ରାହୁଲ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ରାହୁଲଙ୍କ ଏହି ଗସ୍ତକୁ ରାଜନୈତିକ ସମୀକ୍ଷକ ବେଶ୍ ଗୁରୁତ୍ବ ଦେଉଛନ୍ତି। ତେବେ ଠିକ୍ ଏହି ସମୟରେ ଓଡ଼ିଶା ପ୍ରଦେଶ କଂଗ୍ରେସରେ ସୃଷ୍ଟି ହୋଇଥିବା ହଲଚଲ ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ବିଚାର କରାଯାଉଛି।

ଗତକାଲି ଯୋଗେଶ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବେଳେ ହିଁ କୃଷ୍ଣ ସଗରିଆଙ୍କ ବିରୋଧରେ ଶୃଙ୍ଖଳା କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ କୃଷ୍ଣ ସଗରିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଶ୍ରୀକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଥା ଉଠିବା ଯୋଗୁଁ ବିଚାର ବିମର୍ଶ ପାଇଁ ଏହାକୁ ଅଟକାଇ ଦିଆଯାଇଛି। ଶ୍ରୀକାନ୍ତଙ୍କ ସମ୍ପର୍କରେ ଖୋଦ୍ ନିରଞ୍ଜନ ଏଆଇସିସି ସହିତ ଆଲୋଚନା କରୁଛନ୍ତି। ଦିନେ ଦୁଇଦିନ ମଧ୍ୟରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.