କରୋନା ଭାଇରସ ମହାମାରୀ ମୁକାବିଲା ଲାଗି କେବଳ ଟିକା ଯଥେଷ୍ଟ ନୁହେଁ: WHO ମୁଖ୍ୟ

Published By : Prameya-News7 Bureau | November 16, 2020 IST

ଜେନେଭା ୧୬।୧୧:  ସାରା ବିଶ୍ୱକୁ ବ୍ୟାପିଯାଇଥିବା କରୋନା ଭାଇରସ ମହାମାରୀ ରୋକିବା ଲାଗି କେବଳ ଭାକ୍ସିନ ଯଥେଷ୍ଟ ହେବନି। ଏହା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)  ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ ଗେବ୍ରେଏସ୍ଏସ୍। ଏହି ମହାମାରୀ ଉପୁଜିବାର ମାସକ ମଧ୍ୟରେ ବ୍ୟାପିଯାଇଥିଲା। ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୫୪ ନିୟୁତ ଲୋକେ ସଂକ୍ରମିତ ହୋଇଥିବା ବେଳେ ୧.୩ ନିୟୁତରୁ ଅଧିକ ଲୋକ ପ୍ରାଣ ହରାଇଲେଣି। 

ସେ କହିଛନ୍ତି ଯେ ସଂକ୍ରମଣ ରୋକିବା ଲାଗି ଆମର ଉପଯୋଗରେ ଆସୁଥିବା ଅନ୍ୟ ସାମଗ୍ରୀ ଭଳି ଟିକା ମଧ୍ୟ ଏକ ଉପାୟ। ହେଲେ ଏହା ମହାମାରୀକୁ ନିଜେ ରୋକିଦେଇ ପାରିବନି। ଶନିବାର ସୁଦ୍ଧା ଡବ୍ଲୁଏଚଓରେ ୬୬୦,୯୦୫ କରୋନା ଭାଇରସ କେସ୍‌ ରିପୋର୍ଟ ହୋଇଛି।  ଏହି ସଂଖ୍ୟା ନିଜକୁ ନିଜେ ଏକ ୱାଟରମାର୍କ ବୋଲି କହିଛନ୍ତି ଟେଡ୍ରୋସ୍ ।

ନଭେମ୍ବର ୭ ତାରିଖରେ ଜାତିସଂଘ ସ୍ୱାସ୍ଥ୍ୟ ସଂସ୍ଥାନକୁ ୬୧୪, ୦୧୩ଟି ଦୈନିକ ମାମଲାର ରିପୋର୍ଟ ହୋଇଥିଲା। ଶୁକ୍ରବାର ଏହି ସଂଖ୍ୟା ୬୪୫,୪୧୦କୁ ଛୁଇଁଥିବା ବେଳେ ଦୈନିକ ସଂକ୍ରମଣର ସମସ୍ତ ରେକର୍ଡ ଭାଙ୍ଗିଛି। ଏଥିରେ ଟିକା ଆସିବା ଆଶ୍ୱସ୍ତକର ନିଶ୍ଚିତ। ତେବେ ଏହାର ସୁଷମ ବିତରଣ କରାନଗଲେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ। ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ଓ ଉଚ୍ଚ ସମ୍ବେଦନଶୀଳ ଗୋଷ୍ଠୀଙ୍କ ଟିକାକରଣ ଦ୍ୱାରା ମୃତ୍ୟୁ ହାର ହ୍ରାସ କରାଯାଇ ପାରିବ ବୋଲି ସେ କହିଛନ୍ତି।

ତେବେ ଟିକା ଆସିଗଲା ବୋଲି ଭୂତାଣୁକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ଟଡ୍ରୋସ୍‌ କହିଛନ୍ତି। ପୂର୍ବ ଭଳି ସଂକ୍ରମଣ ପ୍ରତି ନଜର  ରଖାଯିବା ସହ ଲୋକଙ୍କ ପରୀକ୍ଷଣ, ଆଇସୋଲେସନ କରିବାକୁ ପଡିବ। ସେହିପରି ଆଗଭଳି କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇ ଲୋକଙ୍କୁ ଲୋକଙ୍କଠାରୁ ପୃଥକ କରିବାର ପ୍ରକ୍ରିୟା ମଧ୍ୟ ଜାରି ରଖାଯିବା ଦରକାର। ନଚେତ ବିଶ୍ୱ କୋଭିଡ ସ୍ଥିତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସେ ସତର୍କ କରାଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.