କେବଳ ଗୋଟିଏ ଟୀକା ହିଁ ବିଶ୍ବକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିପାରିବ : ମିଳିତ ଜାତିସଂଘ

Published By : Prameya-News7 Bureau | April 16, 2020 IST

ନ୍ୟୁୟର୍କ ୧୬।୪: କରୋନା ମହାମାରୀ ବିଶ୍ବବ୍ୟାପୀ ସଙ୍କଟର କାରଣ ହୋଇଛି । ବିଶ୍ବବ୍ୟାପୀ ଏପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଲୋକ ଏହି ମହାମାରୀର ଶିକାର ହୋଇଥିବା ବେଳେ ୧ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ ବିଶ୍ବର ଅଧାରୁ ଅଧିକ ଦେଶ ଲକ୍ ଡାଉନ୍ ରେ ରହିଛି । ଏମିତି ସ୍ଥିତିରେ ମିଳିତ ଜାତିସଂଘ ପକ୍ଷରୁ କୁହାଯାଇଛି ଯେ କେବଳ ଗୋଟିଏ ଟୀକା ହିଁ ବିଶ୍ବକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିପାରିବ ।

କରୋନା ଭାଇରସ୍ ପ୍ରସଙ୍ଗରେ ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ, କରୋନା ଭାଇରସ୍ ସଙ୍କଟ ବଢୁଛି । ଏଭଳି ପରିସ୍ଥିତିରେ ଯଦି ବିଶ୍ବ ସ୍ବାଭାବିକ ଅବସ୍ଥାକୁ ଫେରି ଆସିବ, ତେବେ ତାହା କେବଳ ଟୀକା କାରଣରୁ ଆସିପାରିବ । ଯଦି କରୋନା ଭାଇରସ୍ ପାଇଁ ଶୀଘ୍ର ଔଷଧ ପ୍ରସ୍ତୁତ ହୁଏ, ତେବେ ଏହା ବିଶ୍ବ ପାଇଁ ଭଲ ହେବ ।

ମିଳିତ ଜାତିସଂଘ ମୁଖ୍ୟ କହିଛନ୍ତି ଯେ, ସେ ଆଶା କରିଛନ୍ତି ଯେ ଚଳିତ ବର୍ଷ ଶେଷ ପୂର୍ବରୁ ବିଶ୍ବକୁ କରୋନା ଭାଇରସ୍ ସହ ଲଢିବା ପାଇଁ ଏକ ଚମତ୍କାର ଟୀକା ମିଳିଯିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଫ୍ରିକୀୟ ଦେଶମାନଙ୍କୁ ସମ୍ବୋଧିତ କରୁଥିବାବେଳେ ଆଣ୍ଟୋନିଓ ଗୁଟେରସ୍ ଏହା କହିଛନ୍ତି ।

ଗୁଟେରସ୍ ଅପିଲ୍ କରିଛନ୍ତି ଯେ କରୋନା ଭାଇରସ୍ ବିରୋଧରେ ଟୀକା ପ୍ରସ୍ତୁତ କରିବାରେ ବିଶ୍ବକୁ ଏକଜୁଟ ହେବାକୁ ପଡିବ । ସମସ୍ତ ଦେଶ ମିଳିତ ଭାବରେ କାର୍ଯ୍ୟ କରିବା ଉଚିତ୍ । ମାର୍ଚ୍ଚ ୨୫ ରେ ମିଳିତ ଜାତିସଂଘ ଦ୍ବାରା ୨ ବିଲିୟନ ଡଲାର ସଂଗ୍ରହ କରିବାକୁ ଏକ ଅପିଲ୍ କରାଯାଇଥିଲା । ଯାହା ଦ୍ବାରା କରୋନା ମହାମାରୀର ମୁକାବିଲା ହୋଇପାରିବ । କିନ୍ତୁ ଏପର୍ଯ୍ୟନ୍ତ ଏହାର ମାତ୍ର ୨୦ ପ୍ରତିଶତ ସଂଗ୍ରହ କରାଯାଇଛି । ଆଫ୍ରିକୀୟ ଦେଶମାନଙ୍କରେ କରୋନା ଭାଇରସ୍ ପରୀକ୍ଷା ସୁବିଧା କମ୍, ତେଣୁ ମିଳିତ ଜାତିସଂଘ ଏହି ପ୍ରସଙ୍ଗରେ ସାହାଯ୍ୟ କରୁଛି ।

ସୂଚନାଯୋଗ୍ୟ ଯେ, ସାରା ବିଶ୍ବରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ୍ ଦ୍ବାରା ୨,୦୬୪,୮୧୫ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୭,୦୭୮ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ୫୧୨୦୯୨ ଜଣ କରୋନା କବଳରୁ ସୁସ୍ଥ ହୋଇ ଫେରିଛନ୍ତି । ଭାରତରେ ଏପର୍ଯ୍ୟନ୍ତ କରୋନା ଭାଇରସ୍ ଦ୍ବାରା ୧୨,୩୮୦ ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ୧୪୯୮ଜଣ କରୋନା କବଳରୁ ସୁସ୍ଥ ହୋଇ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.