କେବଳ ବମ୍ବେ କ୍ଲବ ବିରୋଧ କରିଥିଲା LPG ଅର୍ଥନୀତିକୁ, ଉଦ୍ୟୋଗପତିଙ୍କୁ ବୁଝାଇ ଦେଇଥିଲେ ମନମୋହନ

Published By : Prameya-News7 Bureau | July 24, 2021 IST

ନୂଆଦିଲ୍ଲୀ ୨୪।୭: ଠିକ୍‌ ୩୦ବର୍ଷ ପୂର୍ବେ ଆଜି ତାରିଖରେ ତତ୍କାଳୀନ ପି.ଭି.ନରସିମହା ରାଓ ସରକାର ଉଦାରିକରଣ ଲାଗି ନିଷ୍ପତ୍ତି ନେଇଥିଲେ।  କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସାରା ଦେଶରେ ସ୍ୱାଗତ କରାଯାଇଥିଲା। ହେଲେ ବମ୍ବେ କ୍ଲବ୍‌ ଏହା ବିରୋଧରେ ଛିଡା ହୋଇଥିଲା। କ୍ଲବର ସଦସ୍ୟମାନେ ସରକାରଙ୍କ ନିଷ୍ପତ୍ତିକୁ ସବୁଠୁ ଖରାପ ଓ ଦେଶକୁ ଦ୍ୱିତୀୟବାର ଇଂରେଜଙ୍କ ହାତକୁ ଟେକିଦେବା ଭଳି ନୀତି ବୋଲି କହିଥିଲେ।

ସରକାର ନିଜ ନିଷ୍ପତ୍ତି ଉପରେ ଆଗଉଥିବା ବେଳେ ୧୦ ନଭେମ୍ବର ୧୯୯୩ରେ ୮ଜଣ ଉଦ୍ୟୋଗପତିଙ୍କ ଏକ ସମୂହ ଦିଲ୍ଲୀରେ ତତ୍କାଳୀନ ଅର୍ଥମନ୍ତ୍ରୀ ଡ.ମନମୋହନ ସିଂହଙ୍କୁ ଭେଟି ସରକାରଙ୍କ ନିଷ୍ପତିର ପ୍ରଭାବକୁ ନେଇ ଏକ ପତ୍ର ଦେଇଥିଲେ। ବ୍ୟବସାୟୀଙ୍କ ସମୂହ ପତ୍ରରେ ବଜାର ପ୍ରତିଯୋଗୀତାକୁ ସ୍ୱାଗତ କରିଥିଲେ। ତେବେ ଏଥିରେ ଯେପରି ଭାରତୀୟ ବ୍ୟବସାୟୀଙ୍କୁ ପ୍ରାଥମିକତା ମିଳିପାରିବ ସେଥିଲାଗି ସରକାର କୌଣସି ବ୍ୟବସ୍ଥା କରନ୍ତୁ ବୋଲି ନିବେଦନ କରିଥିଲେ।

{"id":485252,"width":837,"height":548,"sizeSlug":"large","linkDestination":"none"}

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଉଦ୍ୟୋଗପତିଙ୍କ ଯେଉଁ ସମୂହ ଭେଟିଥିଲେ ସେଥିରେ ଲାଲା ଭରତ ରାମ, ଲଳିତ ମୋହନ ଥାପର, ହରିଶଙ୍କର ସିଂଘାଣିଆ, ଏମ.ଭି.ଅଋଣାଚଳମ, ବି.କେ.ମୋଦି, ସି.କେ. ବିରଳା, ରାହୁଲ ବଜାଜ ଓ ଜେ.ଗୋଦରେଜ ଆଦି ସାମିଲ ଥିଲେ। ବମ୍ବେ କ୍ଲବର ତର୍କକୁ ସରକାର ସେତେବେଳେ ଗୁରୁତ୍ୱର ସହ ବିଚାରକୁ ନେଇଥିଲେ। ଏଣୁ ୯୦ ଦଶକ ମଧ୍ୟଭାଗରେ  ସରକାର ଭାରତୀୟ କମ୍ପାନୀଙ୍କୁ ଇସ୍ୟୁଡ କ୍ୟାପିଟାଲର ୨୫ ପ୍ରତିଶତ ସହ ସମାନ ପ୍ରିଫରେନ୍ସ ସେୟାର ରଖିବାକୁ ଅନୁମତି ଦେଇଥିଲେ।

ସରକାରଙ୍କ ଏହି ଅନୁମତି ଭାରତୀୟ କମ୍ପାନୀଙ୍କ ଲାଗି ସେତେବେଳେ ବେଶ ଲାଭଜନକ ସାବ୍ୟସ୍ତ ହୋଇଥିଲା। ଅପରପକ୍ଷେ ଦେଶର ବ୍ୟବସାୟୀଙ୍କ ସୁରକ୍ଷା ଲାଗି ଏହା ପଦକ୍ଷେପ ବୋଲି ସରକାର କହିଥିଲେ। ହେଲେ ଏତିକିରେ ଅନ୍ତ ହୋଇ ନଥିଲା ସମସ୍ୟା। ଭାରତୀୟ ଉଦ୍ୟୋଗପତିମାନେ ପୁଣି ଅଭିଯୋଗ କରିବା ଆରମ୍ଭ କରିଦେଇଥିଲେ। ନିଜର ଉଦ୍ଦେଶ୍ୟ ପୂରଣ ହେବା ପରେ ବିଦେଶୀ ଅଂଶୀଦାର ପଳାଉଥିବାର କହିଥିଲେ।

{"id":485254,"width":841,"height":468,"sizeSlug":"large","linkDestination":"none"}

ଏଥିରେ ସରକାର ପୁଣି ସଂଶୋଧନ କରିଥିଲେ। ଏଥର କୌଣସି ବିଦେଶୀ କମ୍ପାନୀ ଭାରତୀୟ କମ୍ପାନୀଙ୍କ ସହ ଅଂଶୀଦାର ଥିଲେ ପାର୍ଟନରସିପ୍‌ ଭାଙ୍ଗିବା ସ୍ଥଳେ ଭାରତୀୟ କମ୍ପାନୀଙ୍କ ନୋ ଅବଜେକ୍ସନ ସାର୍ଟିଫିକେଟ ଅନିବାର୍ଯ୍ୟ କରିଥିଲେ। ବିନା ଏନଓସିରେ ବିଦେଶୀ କମ୍ପାନୀଙ୍କୁ ଭାରତୀୟ କମ୍ପାନୀଙ୍କ ଠାରୁ ପୃଥକ ହୋଇ ଦେଶରେ ଏକାକୀ କାରବାର ଲାଗି ଅନୁମତି ନଥିଲା।

ନୂଆ ବ୍ୟବସ୍ଥାରେ ବିଦେଶୀ ସଂସ୍ଥାଗତ ନିବେଶକ ଭାରତୀୟ ବଜାରକୁ ଡୋମିନେଟ୍‌ କରିବାର ମଧ୍ୟ ଆଶଙ୍କା ରହିଥିଲା। କାରଣ ଯେତେବେଳେ ବିଦେଶୀ ନିବେଶକ ସେୟାରରେ ନିବେଶ କରୁଥିଲେ ଅଚାନକ ସେନସେକ୍ସ ବଢୁଥିଲା ଓ ବିକିବା କାଳରେ ସୂଚକାଙ୍କ ଖସି ଯାଉଥିଲା। ଏଥିରୁ ଦେଶରେ ବିଦେଶୀ ପାଣ୍ଠିର ଆବଶ୍ୟକତା କେତେ ତାହା ସମସ୍ତେ ବୁଝି ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.