Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାହାଘରରେ ମାତ୍ର ୨୦ ଜଣଙ୍କୁ ଅନୁମତି: ଜାରି ହେଲା ନୂଆ କଟକଣା

29/04/2021 at 7:57 PM

ଶିମଲା ୨୯/୦୪ : ଦେଶରେ କରୋନା ମାମଲା ଲଗାତାର ବୃଦ୍ଧି ପାଉଛି। ସଂକ୍ରମଣ ରୋକିବାକୁ ଅନେକ ରାଜ୍ୟରେ କଟକଣା କଡାକଡି କରାଯାଇଛି। ହିମାଚଳ ପ୍ରଦେଶରେ ନୂଆ ପ୍ରତିବନ୍ଧକ ଲାଗୁ ହୋଇଛି। ବାହାଘର ସମାରୋହରେ ବର୍ତ୍ତମାନ ୨୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି। ଏହା ପୂର୍ବରୁ ବାହାଘର ସମାରୋହରେ ୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଥିଲା। ସାମୁହିକ ଭୋଜି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏହି କଟକଣା ମେ’ ୧୦ ଯାଏଁ ଜାରି ରହିବ। ରାଜ୍ୟରେ ସମସ୍ଥ ଶିକ୍ଷାନୁଷ୍ଠାନ ମଧ୍ୟ ମେ’ ୧୦ ତାରିଖ ଯାଏଁ ବନ୍ଦ ରହିବ। ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶରେ ମଧ୍ୟ ଆଗକୁ ଲକଡାଉନ ଜାରି କରାଯାଇପାରେ।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଆବାସରେ ହୋଇଥିବା ଉଚ୍ଚ ସ୍ଥରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ କରୋନା ସ୍ଥିତି ସମୀକ୍ଷା କରାଯାଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ବର୍ତ୍ତମାନ କୌଣସି ଜିନିଷର ଅଭାବ ନାହିଁ। ଅକ୍ସିଜେନ, ଔଷଧ, ଭ୍ୟାକସିନ, ପିପିଇ କିଟ ସମେତ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଛି। ହସ୍ପିଟାଲମାନଙ୍କରେ ବେଡ଼ କ୍ଷମତା ବଢ଼ାଇ ଦିଆଯାଇଛି। ପ୍ରାଇଭେଟ ହସ୍ପିଟାଲମାନଙ୍କରେ ୫୦ ପ୍ରତିଶତ ବେଡ଼ କରୋନା ରୋଗୀଙ୍କ ପାଇଁ ବ୍ୟବହୃତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ସୁଦ୍ଧା ୧୬ ଲକ୍ଷରୁ ଅଧିକ ଲୋକଙ୍କୁ ଭ୍ୟାକସିନ ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ ୨.୫୫ ଲକ୍ଷ ଡୋଜ ଷ୍ଟକ ଅଛି।

   Related Posts