ଏହି ଦେଶରେ କରୋନାରେ ମାତ୍ର ୧୯ଜଣଙ୍କ ମୃତ୍ୟୁ, ପ୍ରଧାନମନ୍ତ୍ରୀ କହିଲେ ଆମେ କରୋନା ଯୁଦ୍ଧରେ ଜିତିଛୁ

Published By : Prameya-News7 Bureau | April 27, 2020 IST

ଓ୍ବିଲିଙ୍ଗଟନ୍ ୨୭।୪: ସାରା ବିଶ୍ବରେ ଏବେ କରୋନାକୁ ନେଇ ଚିନ୍ତିତ । କିଛି ଦେଶ ଲାଗି ପଡିଛନ୍ତି ଏହାର ଟୀକା ପ୍ରସ୍ତୁତ କରିବାରେ ମାତ୍ର କେହି ବି ଏ ପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି । କେବଳ ଲକ୍ ଡାଉନ୍ ଏବଂ ସାମାଜିକ ଦୂରତା ମାଧ୍ୟମରେ ଏହି ସଂକ୍ରମଣକୁ ରୋକିବାକୁ ସବୁ ଦେଶ ପ୍ରୟାସ ଜାରି ରଖିଛନ୍ତି । ତେବେ ଏହି ସମୟରେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡନ କହିଛନ୍ତି ଯେ କରୋନା ସଂକ୍ରମଣକୁ ରୋକିବାରେ ତାଙ୍କ ଦେଶ ଏକ ବିଜୟ ହାସଲ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡରେ କେବଳ ୧୪୬୯ ଜଣ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ୧୯ ଜଣଙ୍କର ମୃତ୍ୟୁ ଘଟିଛି ।

ସୋମବାର ପ୍ରଧାନମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ନ୍ୟୁଜିଲ୍ୟାଣ୍ଡରେ ଲକ୍ ଡାଉନ୍ ରୁ ଛାଡ୍ ମିଳିବ । ନ୍ୟୁଜିଲ୍ୟାଣ୍ଡରେ ଲକ୍ ଡାଉନ୍ ର ଆଲର୍ଟ ଲେଭଲ-୪ରୁ ଆଲର୍ଟ ଲେଭଲ-୩କୁ ଯିବାକୁ ଘୋଷଣା କରାଯାଇଛି । ବର୍ତ୍ତମାନ କିଛି ବ୍ୟବସାୟ, ହୋମ୍ ଡେଲିଭରି ଫୁଡ୍ ଆଉଟଲେଟ୍ ଏବଂ ବିଦ୍ୟାଳୟ ଖୋଲାଯାଇପାରିବ । ତଥାପି ଅଧିକାଂଶ ଲୋକଙ୍କୁ ଏବେ ମଧ୍ୟ ପ୍ରତିବନ୍ଧକ ମଧ୍ୟରେ ରହିବାକୁ ପଡିବ । ପ୍ରଧାନମନ୍ତ୍ରୀ ଆର୍ଡନ କହିଛନ୍ତି ନ୍ୟୁଜିଲ୍ୟାଣ୍ଡରେ କରୋନା ଭାଇରସ୍ ବିସ୍ତାର ହୋଇନାହିଁ । ଆମେ ଏହି ଯୁଦ୍ଧରେ ଜିତିଲୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କେତେ ଦିନ ପର୍ଯ୍ୟନ୍ତ ଆମେ ଭାଇରସ୍ କୁ ସଂପୂର୍ଣ୍ଣ ଭାବେ ବିଲୋପ କରି ସାଧାରଣ ଜୀବନକୁ ଫେରିବୁ ତାହା ସ୍ଥିର ହୋଇନାହିଁ । ସମସ୍ତେ ସାମାଜିକ ସମ୍ପର୍କକୁ ଫେରିବାକୁ ଚାହୁଁଛନ୍ତି ବୋଲି ଆର୍ଡନ କହିଛନ୍ତି । ମାତ୍ର ଭରସାର ସହ ଏହା କରିବା ପାଇଁ ଆମକୁ ଧୀରେ ଧୀରେ ଏବଂ ସତର୍କତାର ସହିତ ଆଗକୁ ବଢିବାକୁ ପଡିବ । ଆମେ ଏପର୍ଯ୍ୟନ୍ତ ଯାହା ହାସଲ କରିଛୁ ତାକୁ ହରାଇବାକୁ ଚାହୁଁନାହୁଁ । ତେଣୁ ଆମେ ବର୍ତ୍ତମାନ ଲକ୍ ଡାଉନ୍ ର ୩ ସ୍ତରରେ ରହିବୁ । ଆଡର୍ନ କହିଛନ୍ତି ଯେ ଆମେ ଅର୍ଥନୈନିକ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ କରିଛୁ । କିନ୍ତୁ ଆମେ ଲୋକଙ୍କ ସାମାଜିକ ଜୀବନରୁ ଏହି ପ୍ରତିବନ୍ଧକ ହଟାଉ ନାହୁଁ ।

ଦେଶର ସ୍ବାସ୍ଥ୍ୟ ମହାନିର୍ଦ୍ଦେଶକ ଆଶଲି ବ୍ଲୁମଫିଲ୍ଡ କହିଛନ୍ତି ଯେ, ସଂକ୍ରମିତ ଲୋକଙ୍କ କମ୍ ସଂଖ୍ୟା ଆମକୁ ଆତ୍ମବିଶ୍ବାସ ପ୍ରଦାନ କରୁଛି ଯେ ଆମେ ଭାଇରସ୍ ବିଲୋପ କରିବାର ଲକ୍ଷ୍ୟ ହାସଲ କରିଛୁ । ଏହାର ଅର୍ଥ ନୁହେଁ ଯେ ମାମଲା ସଂଖ୍ୟା ଶୂନ୍ୟ, କିନ୍ତୁ ଆମେ ଜାଣୁ ଯେ ଲୋକମାନେ କିପରି ସଂକ୍ରମିତ ହେଉଛନ୍ତି । ସେ କହିଛନ୍ତି ଆମର ଲକ୍ଷ୍ୟ ହେଉଛି ବିଲୋପ । କିନ୍ତୁ ପୁଣି ଥରେ ମୁଁ କହୁଛି ଏହାର ଅର୍ଥ ହେଉଛି ଯେ ସଂକ୍ରମିତ ସଂଖ୍ୟାକୁ ଆମେ ଅଳ୍ପ ସଂଖ୍ୟାରେ ରଖିବା । ଏହାଦ୍ବାରା ଆମେ ନୂତନ ମାମଲାଗୁଡିକର ସଠିକ୍ ଅନୁସନ୍ଧାନ କରିବାକୁ ସମର୍ଥ ହେବା ।

ସୂଚନାଯୋଗ୍ୟ ଯେ, ନ୍ୟୁଜିଲ୍ୟାଣ୍ଡର ଜନସଂଖ୍ୟା ପ୍ରାୟ ୫୦ ଲକ୍ଷ ଅଟେ । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ କେବଳ ଗୋଟିଏ ସଂକ୍ରମଣର ରିପୋର୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.