ଅନଲାଇନରେ ମିଳିବ ମଦ, ଜଣେ ଗ୍ରାହକକୁ ୫ ଲିଟର୍, ଏପରି ସରକାରୀ ନିଷ୍ପତ୍ତି ପଛରେ କ’ଣ ରହସ୍ୟ

Published By : Prameya-News7 Bureau | May 05, 2020 IST

ରାୟପୁର, ୦୫|୦୫: ଛତିଶଗଡ ସରକାର ମଦ ବିକ୍ରି ପାଇଁ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଲୋକଙ୍କ ଘରେ କିପରି ମଦ ପହଁଚି ପାରିବ ସେଥିପାଇଁ ସରକାର ନୂଆ ସେବା ଆରମ୍ଭ କରିଛନ୍ତି । ଏବେ ଏହି ରାଜ୍ୟରେ ଅନଲାଇନରେ ଲୋକମାନେ ମଦ କିଣିପାରିବ । ଏଥିପାଇଁ ଓ୍ୱେବସାଇଟ୍ ମଧ୍ୟ ତିଆରି ହୋଇଛି ।

ରାଜ୍ୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଛତିଶଗଡ ସରକାର ସୋମବାର ମେ ୪ରୁ ସାମାଜିକ ଦୂରତା ରକ୍ଷା କରିବା ସର୍ତ୍ତରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ । କିନ୍ତୁ ମଦ ଦୋକାନ ଆଗରେ ଭୀଡକୁ ପୋଲିସ କିମ୍ବା ଦୋକାନ କର୍ମଚାରୀ ନିୟନ୍ତ୍ରଣ କରିପାରି ନଥିଲେ । ତେବେ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ତଥା ସାମାଜିକ ଦୂରତା ରକ୍ଷା କରିବା ଉଦ୍ଦେଶ୍ୟରେ ଏବେ ଘରେ ଡେଲିଭରୀ ବୟଙ୍କ ଦ୍ୱାରା ମଦ ପହଁଚାଯିବ । ଏହି ବ୍ୟବସ୍ଥା ଏବେ ଗ୍ରୀନ୍ ଜୋନରେ ଆରମ୍ଭ ହୋଇଛି ।

ସେ ଆହୁରି କହିଛନ୍ତି ଯେ, ଓ୍ୱେବସାଇଟରେ ମଦ ବୁକ୍ କରିହେବ । ଏପରିକି ଗୁଗୁଲ୍ ପ୍ଲେ-ଷ୍ଟୋରରେ ମଧ୍ୟ ଆପ୍ ଡାଉନଲୋଡ୍ କରିହେବ । ଗ୍ରାହକଙ୍କୁ ନିଜର ଆଧାର ନମ୍ବର, ମୋବାଇଲ ନମ୍ବର ଦେବାକୁ ପଡିବ । ପରେ ଓଟିପି ଆସିବା ପରେ ବୁକିଂ କନଫର୍ମ ହେବ । ଏହି ଆପ୍ ନିକଟରେ ଥିବା ବିଭିନ୍ନ ଦେଶୀ, ବିଦେଶୀ ମଦ ଦୋକାନର ଠିକଣା ଦେବ । ଏଠାରୁ ଗ୍ରାହକ ଅନଲାଇନ୍ ବୁକିଂ କରିପାରିବେ । ତେବେ କୌଣସି ଗ୍ରାହକ ଥରକେ ୫ ଲିଟର୍ ମଦ ହିଁ ଅର୍ଡର କରିପାରିବେ । ଗ୍ରାହକଙ୍କୁ ୧୨୦ ଟଙ୍କା ଯାଏଁ ଡେଲିଭରୀ ଚାର୍ଜ ମଧ୍ୟ ଦେବାକୁ ପଡିବ ।

ତେବେ ବିରୋଧି ଦଳ ବିଜେପି ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି । ବିରୋଧି ଦଳ ନେତା ଧରମଲାଲ୍ କୌଶିକ ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ସରକାର ମଦ ବନ୍ଦ କଥା କହି କ୍ଷମତାକୁ ଆସିଥିଲେ । ଏବେ ନିଜେ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.