ଆସନ୍ତାକାଲିଠୁ ରାଜ୍ୟରେ ଅନଲାଇନ୍‌ରେ ମିଳିବ ମଦ: ଏମଆରପି ଉପରେ ଲାଗିବ ୫୦ % କୋଭିଡ୍ ଟ୍ୟାକ୍ସ, ଓ୍ୱେବସାଇଟରେ ଉପଲବ୍ଧ ହେବ ପ୍ରଡକ୍ଟର ଦାମ୍

Published By : Prameya-News7 Bureau | May 23, 2020 IST

ଭୁବନେଶ୍ୱର, ୨୩|୦୫:   କାଲିଠୁ ରାଜ୍ୟରେ ଅନ୍‌ଲାଇନ୍‌ରେ ମିଳିବ ମଦ । ଏମଆରପି ଉପରେ ଲାଗିବ ୫୦ ପ୍ରତିଶତ କୋଭିଡ୍‌ ଟ୍ୟାକ୍ସ । ଏନେଇ ଆଜି ଅବକାରୀ ବିଭାଗ ନିର୍ଦେଶନାମା ଜାରି କରିଛି । ଉଭୟ ଅନଲାଇନ୍‌ ଓ ଅଫ୍‌ ଲାଇନ୍‌ ଲାଇସେନ୍ସପ୍ରାପ୍ତ ଦୋକାନୀ ଏହାକୁ ହୋମଡେଲିଭରି କରିବେ ।

{"id":274919,"width":748,"height":449,"sizeSlug":"large"}

ଲକ୍‌ଡାଉନ୍‌ ବେଳେ ମଦ ଦୋକାନ ବନ୍ଦ ରହିଛି । ଏମିତିରେ ନାଲିପାଣି ସଉକିଆଙ୍କ ମନ ଜମାରୁ ଭଲ ନଥିଲା । ଅନ୍ୟ ରାଜ୍ୟରେ ମଦ ଦୋକାନ ଖୋଲିବା ଦେଖି ଡହଳବିକଳ ହେଉଥିଲେ ।  ହେଲେ ଏବେ ସେମାନଙ୍କ ପାଇଁ ଆସିଯାଇଛି ଖୁସି ଖବର । କାଲିଠୁ ଅର୍ଡ଼ର ଦେଲେ ଘରେ ପହଞ୍ଚିଯିବ ବିଭିନ୍ନ ବ୍ରାଣ୍ଡର ମଦ ବୋତଲ । ଏଣିକି ରାଜ୍ୟରେ ଅନ୍‌ଲାଇନ୍‌ରେ ମିଳିବ ମଦ । ଲକ୍‌ଡାଉନ୍‌ ୪.୦ରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ ଲାଇସେନ୍ସପ୍ରାପ୍ତ ଦୋକାନୀ ହୋମ୍‌ ଡେଲିଭରି ଦେବେ । କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁଠି ହୋମ୍‌ ଡେଲିଭରିରେ ମଦ ମିଳିପାରିବ । ହେଲେ ଏଥି ପାଇଁ ଗ୍ରାହକଙ୍କୁ ଏମଆରପି ଉପରେ ଅଧିକ ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । କାରଣ ମଦ ଉପରେ ୫୦ ପ୍ରତିଶତ କୋଭିଡ୍‌ ଟ୍ୟାକ୍ସ ଲଗାଇଛନ୍ତି ରାଜ୍ୟ ସରକାର । ଯାହା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି । ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଲାଇସେନ୍ସ ପ୍ରାପ୍ତ ଦୋକାନରେ ଡିସପ୍ଲେ ବୋର୍ଡ଼ରେ ଫୋନ୍‌ ନମ୍ବର, ହ୍ବାଟସ୍‌ଆପ୍‌ ନମ୍ବର, ଇ-ମେଲ ଆଇଡି ରହିବ । ଏଥି ସହ OSBC ଓ୍ବେବସାଇଟ୍‌ osbc.co.inରେ ଜିଲ୍ଲାଓ୍ବାରୀ ତଥ୍ୟ ରହିବ । ସମସ୍ତ ପ୍ରକାର ପ୍ରଡକ୍ଟର ମୂଲ୍ୟ ମଧ୍ୟ ଓ୍ବେବ୍‌ସାଇଟ୍‌ରେ ରହିବ ।

{"id":274923,"width":751,"height":465,"sizeSlug":"large"}

ତେବେ ହଜାରେ ଟଙ୍କା ପର୍ଯ୍ୟନ୍ତ ମଦ ଅର୍ଡ଼ର କଲେ ଡେଲିଭରି ଚାର୍ଜ ୧୦୦ଟଙ୍କା ଦେବାକୁ ପଡ଼ିବ । ତା’ପରେ ପ୍ରତି ୫୦୦ଟଙ୍କାର ଅତିରିକ୍ତ ଅର୍ଡ଼ର ପାଇଁ ୨୫ଟଙ୍କା ଦେବାକୁ ହେବ । ହୋମ୍‌ ଡେଲିଭରି ଚାର୍ଜ ୩୦୦ଟଙ୍କାରୁ ଅଧିକ ହୋଇପାରିବ ନାହିଁ । ଅର୍ଡ଼ର କରିବାର ୬ଘଣ୍ଟା ଭିତରେ ଘରେ ପହଞ୍ଚିଯିବ ମଦ । ସକାଳ ୭ଟାରୁ ସଂଧ୍ୟା ୬ଟା ଭିତରେ ହୋମ୍‌ ଡେଲିଭରି ପାଇଁ ଅନୁମତି ଦିଆଯାଇଛି ।ଡେଲିଭରି ବୟ ଆଇକାର୍ଡ଼ ଦେଖାଇବା ସହ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ରକ୍ଷା କରିବେ ବୋଲି କୁହାଯାଇଛି । ଅନ୍‌ଲାଇନ୍‌ ମଦ ବିକ୍ରି ପାଇଁ ଅନୁମତିକୁ କିଛି ଜିଲ୍ଲାରେ ବିଦେଶୀ ମଦ ବ୍ୟବସାୟୀ ସଂଘ ସ୍ବାଗତ କରିଥିବା ବେଳେ ଅଫ୍‌ଲାଇନ୍‌ ମଦବିକ୍ରି ଅନୁମତି ପାଇଁ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.