ଆଶାରେ ରହିଗଲା ମଦ ପିଇବା, ଅର୍ଡର କରିବା ବେଳେ ଗୋଲ୍‌ ହୋଇଗଲା ୮୦ହଜାର ଟଙ୍କା

Published By : Prameya-News7 Bureau | June 03, 2020 IST

ଭୁବନେଶ୍ୱର ୦୩।୦୬:  ମହଙ୍ଗା ପଡିଲା ମଦ ନିଶା । ଗୋଲ୍‌ ହୋଇଗଲା ହଜାର ହଜାର ଟଙ୍କା । ୨ମାସ ଧରି ଶୋଷିଲା ଥିଲେ, ଆଶା ଥିଲା ଅନ୍‌ଲାଇନ୍‌ ଜରିଆରେ ମଦ ଅର୍ଡର କରି ପିଇବେ । କିନ୍ତୁ ଆଶା ଆଶାରେ ରହିଗଲା । ଅନ୍‌ଲାଇନ୍‌ରେ ମଦ ଅର୍ଡର ଜାଗାରେ କଟିଗଲା ଟଙ୍କା । ଖାଲି ହୋଇଗଲା ବ୍ୟାଙ୍କ ଆକାଉଣ୍ଟ ।

ଅନଲାଇନରେ ମଦ ବିକ୍ରି ପାଇଁ ସରକାର ଏବଂ ମଦ ବ୍ୟବସାୟୀ ସଂଘ ରାଜି ହେବା ପରେ ଏବେ ମାଳମାଳ ଠକେଇ ଅଭିଯୋଗ ବି ଆସିବାରେ ଲାଗିଛି । ଅନଲାଇନରେ ମଦ  କିଣିବାକୁ ପ୍ରୟାସ କରି ହଟହଟା ହୋଇଛନ୍ତି ଅନେକ ଯୁବକ । ପୁଣି ମଦ କିଣାରେ ଅନଲାଇନ୍‌ରେ ଠକେଇ ଅଭିଯୋଗ ଆସିଛି । ଏ ନେଇ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ପଟିଆର ଜଣେ ଯୁବକ । ତାଙ୍କ ନାଁ ସୌମ୍ୟ ରଞ୍ଜନ ମିଶ୍ର । ମଦ କିଣିବାକୁ ଯାଇ ତାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ ତଦନ୍ତ ଜାରି ରଖିଛି ।

କିଛି ଦିନ ତଳେ ନିଆଳିର ଜଣେ ଯୁବକ ମଦ କିଣିବାକୁ ଯାଇ ଆକାଉଣ୍ଟରୁ ଗୋଲ୍ ହୋଇଯାଇଥିଲା ୩୬ ହଜାର ଟଙ୍କା । ସେ କିଛି ଟ୍ରାନଜାକ୍ସନ ଡିଟେଲ ଦେଇଥିଲେ ଯେଉଁଥିରୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ତାଙ୍କର ଦୁଇଟି ଆକାଉଣ୍ଟରୁ ଟଙ୍କା ଯାଇଥିବା ସେ ଅଭିଯୋଗ କରିଥିଲେ । ଫେସବୁକରୁ ଭୁବନେଶ୍ବର କଟକ ରୋଡ୍‌ରେ ଏକ ନାମୀ ମଦ ଦୋକାନ ନାଁରେ ଏକ ନମ୍ବର ପାଇଥିଲେ ରାଜେନ୍ଦ୍ର ସାହୁ । ହ୍ବାଟସ ଆପରେ ମେସେଜ ପରେ ମଦ ପାଇଁ ବୁକିଂ କରିଥିଲେ । ଆଡଭାନ୍‌ସରେ ପ୍ରଥମେ ଦେଇଥିଲେ ୯୫୦ ଟଙ୍କା । ଏହାପରେ ତାଙ୍କ ନିକଟକୁ ଆସିଥିଲା ଏକ ସ୍କାନ କୋଡ୍ । ଆଉ ଏଥିରେ ସ୍କାନ କରିବା ଲାଗି ସେପଟୁ ଆସିଥିଲା ମେସେଜ୍ ‌। ଏହା ଭିତରେ ଗୋଟିଏ ପରେ ଗୋଟିଏ ଟ୍ରାନ୍‌ଜାକ୍ସନରେ ତାଙ୍କ ଆକାଉଣ୍ଟରୁ ଚାଲିଯାଇଥିଲା ୩୬ ହଜାର ଟଙ୍କା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.