ସୀମା ଆରପଟେ ଭାରତୀୟ ସେନା, ସେପଟେ ଅନଲାଇନରେ ଆତଙ୍କୀଙ୍କୁ ନିଯୁକ୍ତ କରୁଛି ଆଇଏସଆଇ ସହ ପାକିସ୍ତାନୀ ଉଗ୍ରବାଦୀ

Published By : Prameya-News7 Bureau | January 04, 2021 IST

ନୂଆଦିଲ୍ଲୀ, ୦୪୦୧ସାଙ୍ଘାତିକ ଷଡଯନ୍ତ୍ର ରଚୁଛି ପାକିସ୍ତାନ । ଭାରତୀୟ ଯୁବକଙ୍କୁ ପଥଭ୍ରଷ୍ଟ ପାଇଁ ଅପପ୍ରୟାସ କରୁଛି ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇ । ଭାରତୀୟ ସେନାବାହିନୀ ପାଇଁ ସିଧାସଳଖ ଭାବେ କାଶ୍ମୀର ଯୁବକଙ୍କୁ ଆତଙ୍କବାଦୀ ସଙ୍ଗଠନରେ ସାମିଲ କରିପାରୁ ନାହିଁ ପାକ୍ । ତେଣୁ ଏଥିପାଇଁ ନୂଆ ଉପାୟ ଆପଣାଇଛି ଏହି ଆତଙ୍କବାଦୀ ଦେଶ । ଆତଙ୍କବାଦୀ ସଙ୍ଗଠନ ଓ ଆଇଏସଆଇ ଏବେ ଇଣ୍ଟରନେଟ୍ ଓ ମୋବାଇଲ୍ ଜରିଆରେ ଯୁବକଙ୍କୁ ସଙ୍ଗଠନରେ ଭର୍ତ୍ତି କରୁଛନ୍ତି ।

ଗୁଇନ୍ଦା ରିପୋର୍ଟ ଓ ଟେକନିକାଲ ସର୍ଭିଲାନ୍ସର ସୂତ୍ରାନୁସାରେ, ଯୁବକଙ୍କୁ ଉତ୍ତେଜିତ କରିବା ସହ ଭାରତ ବିରୋଧୀ ମନୋଭାବ ସୃଷ୍ଟି କରାଯାଉଛି । ଏହାସହ ଆଇଏସଆଇ ଜାଲ୍ ଭିଡିଓ କରି ମିଛ ପ୍ରତିଶ୍ରୁତି ଦେଉଛି । ଏପରି ମିଛ ଭିଡିଓ ଜାରି କରାଯାଉଛି ଯେଉଁଥିରେ ସୁରକ୍ଷାକର୍ମୀ କାଶ୍ମୀରବାସୀଙ୍କୁ ଅତ୍ୟାଚାର କରୁଛନ୍ତି ।

ଏହାପୂର୍ବରୁ ଆତଙ୍କବାଦୀମାନେ ଯୁବକଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନା କରୁଥିଲେ  । ଯେବେଠୁ ଏହି ଷଡଯନ୍ତ୍ରକୁ ସୁରକ୍ଷାକର୍ମୀ ଭଣ୍ଡୁର କରିଥିଲେ ସେବେଠୁ ଆତଙ୍କବାଦୀମାନେ ମୋବାଇଲ ଓ ଇଣ୍ଟରନେଟରେ ଯୁବକଙ୍କୁ ସଙ୍ଗଠନରେ ସାମିଲ କରୁଛନ୍ତି । ୨୦୨୦ରେ ୨୪ରୁ ଅଧିକ ଆତଙ୍କବାଦୀଙ୍କ ଏପରି ଷଡଯନ୍ତ୍ରକୁ ପଣ୍ଡ କରିଥିଲା ସେନା ।  ୪୦ରୁ ଅଧିକ ଆତଙ୍କୀ ସମର୍ଥକଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ଜେରା ବେଳେ ସାଇବର୍ ରିକ୍ୟୁରମେଣ୍ଟ ବା ନିଯୁକ୍ତି ବାବଦରେ ଜଣା ପଡିଥିଲା ।

ସେନାର ଜଣେ ଅଧିକାରୀଙ୍କ ସୂଚନାନୁସାରେ, କିଛି ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଅନେକ କିଛି ଗୁମର ଖୋଲିଥିଲେ । ସେମାନେ କହିଥିଲେ ଯେ, ଫେସବୁକ ଜରିଆରେ ଆତଙ୍କବାଦୀ ସଙ୍ଗଠନ ସେମାନଙ୍କ ସହ ସମ୍ପର୍କ ପ୍ରତିଷ୍ଠା କରିଥିଲେ । ପରେ ସେମାନଙ୍କୁ ଖାଲିଦ ଓ ମହମ୍ମଦ ଅବ୍ବାସଙ୍କ ନିକଟକୁ ପଠାଇଥିଲେ । ସେଠାରେ ସେମାନଙ୍କୁ ଫେସବୁକ୍, ୟୁଟ୍ୟୁବ୍ ଜରିଆରେ ତାଲିମ ପ୍ରଦାନ କରାଯାଇଥିଲା । ସେହିପରି କାଶ୍ମୀର ଘାଟିରେ ଆଇଏସଆଇର ଅନେକ ସ୍ଲିପର ସେଲ୍ ଥିବା ମଧ୍ୟ ଜଣାପଡିଛି । ଏପରି ପ୍ରାୟ ୪୦ ଆତଙ୍କବାଦୀ ଗିରଫ ହୋଇଥିଲେ ଯେଉଁମାନେ ଆକ୍ରମଣ ପାଇଁ ସୀମା ଆରପଟ ସଙ୍ଗଠନର ନିର୍ଦ୍ଦେଶକୁ ଅପେକ୍ଷା କରି ରହିଥିଲେ ।

ଏବେ ଆତଙ୍କବାଦୀଙ୍କ ପାଇଁ ଅସ୍ତ୍ରଶସ୍ତ୍ରର ଅଭାବ ପରିଲକ୍ଷିତ ହେଉଛି । ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ସଙ୍ଗଠନ ସୀମା ପାର୍ କରି ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ପ୍ରୟାସ କରୁଥିବା ମଧ୍ୟ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.