ଅନଲାଇନରୁ ଗାର୍ଲଫ୍ରେଣ୍ଡ ଅର୍ଡର କରିଥିଲେ ଯୁବକ, ଡେଟିଂ ସାଇଟରେ ୯୫ ହଜାର ଦେଇ ବୁକ୍ କଲେ, କିନ୍ତୁ...

Published By : Prameya-News7 Bureau | June 04, 2021 IST

କଟକ,୦୪/୦୬: ଟଙ୍କା ଦିଅ, ନିଜ ପସନ୍ଦ ଝିଅଙ୍କ ସହ ବଂଧୁ ହୁଅ, ଡେଟିଂ ଚାଟିଂ କର । ଏପରିକି ହୋମ୍‌ ଡେଲିଭରି ସୁବିଧା ବି ଅଛି । ଅର୍ଥାତ୍‌ ଉକ୍ତ ଗାର୍ଲଫ୍ରେଣ୍ଡ୍‌ଙ୍କୁ ନିଜ ଘରକୁ ମଧ୍ୟ ନେଇପାରିବ । ଏକ ଡେଟିଂ ୱେବ୍‌ସାଇଟ୍‌ରେ ଏଭଳି ଲୋଭନୀୟ ଅଫର୍‌ ଦେଖି ଫସିଛନ୍ତି ଜଣେ ଯୁବକ ।

ୱେବ୍‌ସାଇଟ୍‌ରୁ ନିଜ ମନପସନ୍ଦର ଗାର୍ଲଫେଣ୍ଡ୍‌ଙ୍କୁ ବାଛି ତାଙ୍କୁ ଘରକୁ ନେବାକୁ ଅନ୍‌ଲାଇନ୍‌ରେ ଅର୍ଡର କରିବା ଭିତରେ ୯୫ ହଜାର ହରେଇଛନ୍ତି ଯୁବକ ଜଣକ। ସାଇବର ଠକମାନେ ୯୫ ହଜାର ଟଙ୍କା ନେଇ ଆଉ ଧରାଛୁଆଁ ଦେଲେ ନାହିଁ । ୱେବ୍‌ସାଇଟ୍‌ ବନ୍ଦ ଓ ଫୋନ୍‌ ବି ସୁଇଚ୍‌ ଅଫ୍‌ । ଏଭଳି ସ୍ଥିତିରେ ମୋଟା ଅଙ୍କ ହରାଇଥିବା ଯୁବକ ଜଣକ ଶେଷରେ ପୁଲିସର ଦ୍ୱାରସ୍ଥ ହୋଇ ହସ୍ତକ୍ଷେପ ଲୋଡିଛନ୍ତି । ଏନେଇ ବିଡ଼ାନାସୀ ଥାନାରେ ଏତଲା ମଧ୍ୟ ଦାଏର କରିଛନ୍ତି । ଘଟଣାଟି ସହରରେ ବେଶ ରୋଚକ ଚର୍ଚ୍ଚା ସୃଷ୍ଟି କରିଛି ।

ପୁଲିସ ଦେଇଥିବା ସୂଚନା ମୁତାବକ, ବିଡ଼ାନାସୀ ଥାନା ଅଞ୍ଚଳର ଉକ୍ତ ଯୁବକ ସପ୍ତାହକ ତଳେ ଇଣ୍ଟରନେଟ୍‌ରେ ଏକ ଡେଟିଂ ୱେବ୍‌ସାଇଟ୍‌ ଖୋଜୁଥିଲେ। ପସନ୍ଦ ମୁତାବକ ଏକ ୱେବ୍‌ସାଇଟ୍‌ ମଧ୍ୟ ସେ ପାଇଲେ । ଏହା ପରେ ଉକ୍ତ ୱେବ୍‌ସାଇଟ୍‌ରୁ ବିଭିନ୍ନ ତଥ୍ୟ ଦେଖିଲେ । ସେଥିରେ ଝିଅମାନଙ୍କ ସହିତ ଡେଟିଂ କରିବା ପାଇଁ ସୂଚନା ଦିଆଯାଇଥାଏ । ଏହା ପରେ ଯୁବକ ଜଣକ ଏକ ଝିଅର ଫଟୋ ପସନ୍ଦ କରି ନିଜର ଗାର୍ଲଫ୍ରେଣ୍ଡ ଭାବେ ତା ସହିତ ଡେଟିଂ କରିବା ପାଇଁ ଅପ୍ସନ୍‌ ମଧ୍ୟ ଚୟନ କଲେ । ଏହା ପରେ ଅପସନ୍‌ ଆସିଲା କି ଯୁବତୀଙ୍କୁ ହୋଟେଲ୍‌, ପାର୍କ କିମ୍ବା ନିଜ ଘରକୁ ମଧ୍ୟ ନେଇପାରିବେ । ଗାର୍ଲଫ୍ରେଣ୍ଡ ପାଇବା ଲୋଭରେ ଭୋଳ ଯୁବକଜଣକ ସଂପୃକ୍ତ ଯୁବତୀଙ୍କୁ ଘରକୁ ଆଣିବା ପାଇଁ ସ୍ଥିର କଲେ । ଯୁବକଙ୍କ ପସନ୍ଦ ଓ ଇଚ୍ଛା ଜାଣିବା ପରେ ୱେବ୍‌ସାଇଟ୍‌ ପକ୍ଷରୁ ତାଙ୍କୁ ୯୫ହଜାର ଟଙ୍କା ଫି’ଦେବାକୁ କୁହାଗଲା । ଫି’ରେ ରାଜି ହୋଇ ଯୁବକ ଜଣକ ନିଜ ଏଟିଏମ୍‌ କାର୍ଡ ବ୍ୟବହାର କରି ଅନ୍‌ଲାଇନ୍‌ ଯୋଗେ ତୁରନ୍ତ ୯୫ ହଜାର ଟଙ୍କା ପୈଠ କରିଦେଲେ । ଯୁବତୀ ଆସିବାକୁ ଥିବା ନିଜ ଠିକଣା ମଧ୍ୟ ଯୁବକ ଜଣକ ଦେଲେ । ଏହା ପରେ ୱେବ୍‌ସାଇଟ୍‌ରେ ସବ୍‌ମିଟ୍‌ ବଟନ୍‌ କ୍ଲିକ୍‌ କଲେ ।

ସୂଚନା ଆସିଲା କି ନିର୍ଦ୍ଦିଷ୍ଟ ସମୟରେ ଯୁବତୀ ଜଣକ ଅର୍ଥାତ୍‌ ତଥାକଥିତ ଗାର୍ଲଫ୍ରେଣ୍ଡ୍‌ ଜଣକ ଉପଯୁକ୍ତ ଠିକଣାରେ ପହଞ୍ଚିଯିବ । ଏହା ପରେ ଯୁବକ ଜଣକ ଅପେକ୍ଷା କରି ବସିରହିଲେ । ମାତ୍ର ଦିନ ବିତିଲା ପରେ ବି ଗାର୍ଲଫ୍ରେଣ୍ଡ୍‌ ଆସିଲେ ନାହିଁ । ଏହା ପରେ ଯୁବକ ଜଣକ ସେହି ୱେବ୍‌ସାଇଟ୍‌ରେ ଦିଆଯାଇଥିବା ଫୋନ୍‌କୁ କଲ୍‌ କରିବାରୁ ତାହା ବନ୍ଦ ଥିଲା । ଏପରିକି ୱେବ୍‌ସାଇଟ୍‌ର ସମସ୍ତ ଅପ୍ସନ୍‌ ମଧ୍ୟ କାମ କରୁନଥିଲା । ଏଭଳି ସ୍ଥିତିରେ ସେ ଠକାମିର ଶିକାର ହୋଇଥିବା ବୁଝି ସେ ବିଡ଼ାନାସୀ ଥାନାରେ ଏତଲା ଦାଏର କରିଛନ୍ତି । ପୁଲିସ ଆଇଟି ଓ ଆଇପିସିର ବିଭିନ୍ନ ଧାରାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ଜଣେ ଯୁବକ ବାନ୍ଧବୀ ପାଇବା ପାଇଁ ଯୁବତୀଙ୍କୁ ଅନ୍‌ଲାଇନ୍‌ରେ ଅର୍ଡର କରିବା କଥା ଜାଣି ପୁଲିସ ବି ଆବାକାବା ହୋଇଯାଇଛି । ଏନେଇ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.