ହୁ ହୁ ହୋଇ ବଢୁଛି ପିଆଜ ଦର - କିନ୍ତୁ ଦିଲ୍ଲୀରେ ୨୨ ଟଙ୍କାରେ କିଲେ

Published By : Prameya-News7 Bureau | September 24, 2019 IST

ଭୁବନେଶ୍ୱର ୨୪।୦୯ - ପିଆଜ ଦର ଆକାଶ ଛୁଆଁ ହେଲାଣି । ରାଜ୍ୟରେ ପିଆଜ ଦର ହୁହୁ ହୋଇ ବଢିଚାଲିଛି । ମାସକ ତଳେ ଏହା ୧୬ ରୁ ୧୮ ଟଙ୍କା ଭିତରେ ବିକ୍ରି ହେଉଥିଲା । ଏହା ଏବେ ୫୦ ଟପିଲାଣି । ବଢୁଥିବା ପିଆଜ ଦର ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ନାସିକ୍‌ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି । ଯାହାକୁ ନେଇ ଖାଉଟିଙ୍କ ଚିନ୍ତା ବଢିଯାଇଛି ।

{"id":162153,"width":560,"height":403}

ପିଆଜ କିଲୋ ୫୦ ଟପି ୬୦ ଧରିଲାଣି । ସିଧାସଳଖ ପଖାଳ କଂସାକୁ ମାଡ କରିଛି । ମାସକ ତଳେ ପିଆଜ ଥିଲା କିଲୋଗ୍ରାମ ପିଛା ୧୬ ରୁ ୧୮ ଟଙ୍କା ମଧ୍ୟରେ । ହେଲେ ହଠାତ୍ ତାହା ବଢି ପାଖାପାଖି ୩ ଗୁଣା ହେଲାଣି । ଯାହାକୁ ନେଇ ଚିନ୍ତାରେ ଖାଉଟି । କହିବାକୁ ଗଲେ ରୋଷେଇ ଘରୁ ଏକ ପ୍ରକାର ପିଆଜ ଗାଏବ ହେବା ଆରମ୍ଭ କଲାଣି । ଯେଉଁଠି ଲୋକେ କେଜିଏ ନେଉଥିଲେ ସେଠି ଏବେ ଅଢେଇଶହ ଗ୍ରାମରେ କାମ ଚଳାଉଛନ୍ତି । ଭୁବନେଶ୍ବର ହେଉ କି ବ୍ରହ୍ମପୁର ଅଥବା ବରଗଡ ସାରା ରାଜ୍ୟରେ ପିଆଜ ଏବେ ଲୋକଙ୍କ ଆଖିରୁ ଲୁହ ବାହାର କରୁଛି ।

{"id":162154,"width":578,"height":387}

କେବଳ ଓଡ଼ିଶା ନୁହେଁ ସାରା ଦେଶର ପିଆଜ ଗ୍ରାହକକୁ କନ୍ଦାଉଛି । କେଉଁଠି ୬୦ ତ ଆଉ କେଉଁଠି ୮୦ରେ ପହଞ୍ଚିଲାଣି ଦର । ବ୍ୟବସାୟୀଙ୍କ କହିବା କଥା ନାସିକ୍ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ହୋଇଛି । ବର୍ଷା ଯୋଗୁଁ ନାସିକ୍‌ରେ ପିଆଜ ଚାଷ ପ୍ରଭାବିତ ହୋଇଛି ଏବଂ ଉତ୍ପାଦନ କମିଛି । ସେପଟେ ଓଡ଼ିଶାରେ ଯେତିକି ପିଆଜ ଉତ୍ପାଦନ ହେଉଛି ତାକୁ ସଂରକ୍ଷଣର ବ୍ୟବସ୍ଥା ନଥିବାରୁ ବ୍ୟବସାୟୀ ସେଗୁଡିକୁ ବାହାର ରାଜ୍ୟକୁ ପଠାଇ ଦେଇଛନ୍ତି ।

{"id":162160,"width":570,"height":422}

ଆଗକୁ ପିଆଜ ଦର ରାଜ୍ୟରେ ଆହୁରି ବଢ଼ିବା ଆଶଙ୍କା ପ୍ରକାଶ ପାଇଛି। ସେପଟେ ଦେଶରେ ବଢ଼ିଥିବା ପିଆଜ ଦରକୁ ଦୃଷ୍ଟିରେ ରଖି କେଜ୍ରିୱାଲ ସରକାର ପକ୍ଷକ୍ଷେପ ନେଇଛନ୍ତି। ଦିଲ୍ଲୀରେ କିଲୋ ପ୍ରତି ୨୨ ଟଙ୍କାରେ ବିକ୍ରି ହୋଇଛି ପିଆଜ । ସ୍ବତନ୍ତ୍ର ଭାବେ ଗାଡ଼ିରେ ଜଣେ ବ୍ୟକ୍ତିଙ୍କୁ ଗୋଟିଏ କିଲୋ ପିଆଜ ବିକ୍ରି କରୁଛନ୍ତି ଦିଲ୍ଲୀ ସରକାର । ସେହିଭଳି ବ୍ୟବସ୍ଥା ଓଡ଼ିଶାରେ ମଧ୍ୟ ଲାଗୁ କରିବାକୁ ଲୋକେ ଦାବି କରିଛନ୍ତି । ସେହିଭଳି ପିଆଜ କଳବଜାରୀ ରୋକିବାକୁ ବିଭିନ୍ନ ଜିଲ୍ଲାପ୍ରଶାସନ ତୀକ୍ଷଣ ନଜର ରଖିଛି

{"id":162163,"width":557,"height":352}

ପିଆଜ ଦର ହୁହୁ ହୋଇ ବଢୁଥିବା ବେଳେ ଗୋଦାମରୁ ପିଆଜ ଚୋରି ହେବା ଭଳି ଖବର ଆସିଛି । ବିହାର ପାଟନାର ଏକ ଗୋଦାମରୁ ୩୨୮ ବସ୍ତା ଯାହାର ମୂଲ୍ୟ ପାଖାପାଖି ୮ ଲକ୍ଷ ଟଙ୍କାର ପିଆଜ ଚୋରି ହୋଇଛି । ଏହାର କିଛି ଘଣ୍ଟା ପରେ ମହାରାଷ୍ଟ୍ରର ନାସିକରୁ ମଧ୍ୟ ଲକ୍ଷାଧିକ ଟଙ୍କାର ପିଆଜ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ପିଆଜ ପାଇଁ ବି ଅତୀତରେ ବିଭିନ୍ନ ସରକାର ଗାଦିଚ୍ୟୁତ ହୋଇଛି । ଆଗକୁ ଏହି ପିଆଜ ବି ବିଭିନ୍ନ ସରକାରଙ୍କୁ ହଲାପଟା କରିବା ଜଳଜଳ ଦିଶିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.