ଦୀପାବଳିରେ କମିବ ପିଆଜ ଦର, ୧୫ ହଜାର ଟନ୍ ଆମଦାନୀ କରିବ ନାଫେଡ୍

Published By : Prameya-News7 Bureau | November 01, 2020 IST

ନୂଆଦିଲ୍ଲୀ,୧/୧୧: ଖାଉଟିଙ୍କୁ ମହଙ୍ଗା ମାଡ଼ରୁ ରିହାତି ଦେବା ଲାଗି ଦୀପାବଳି ପୂର୍ବରୁ ଆଉ ୨୫,୦୦୦ ଟନ୍‌ ପିଆଜ ଆସି ପହଞ୍ଚିବ । ସମବାୟ ସଂସ୍ଥା ନାଫେଡ୍‌ ଏହି ପରିମାଣର ପିଆଜ ଆମଦାନି କରିବ । ପ୍ରଥମ ଦଫାରେ ୧୫,୦୦୦ ଟନ୍‌ ପିଆଜ ଆମଦାନି ପାଇଁ ନାଫେଡ୍‌ ଶନିବାର ଆମଦାନିକାରୀଙ୍କ ଠାରୁ ବିଡ୍‌ ଆହ୍ୱାନ କରିଛି । ଘରୋଇ ବଜାରରେ ପିଆଜ ଦର ଯେମିତି କିଲୋଗ୍ରାମ ପିଛା ୫୦ ଟଙ୍କାକୁ ଖସେ, ସେଥିପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି।

ସୂଚନା ମୁତାବକ ନାଫେଡ୍‌ ପ୍ରଥମ ଦଫାରେ ନଭେମ୍ବର ସୁଦ୍ଧା ୧୫,୦୦୦ ଟନ୍‌ ପିଆଜ ଆଣିବାକୁ ଲକ୍ଷ୍ୟ ରଖିଛି । ବାକି ୧୦,୦୦୦ ଟନ୍‌ ଦୀପାବଳି ପୂର୍ବରୁ ହିଁ ଆସିବ । ପ୍ରଥମ ଦଫାରେ ୪୦ରୁ ୬୦ ମିଲିମିଟର ଆକାରର ପିଆଜ କିଣିବାକୁ ନାଫେଡ୍‌ ଚାହୁଁଛି । ଏହି ପିଆଜ ଦେଶକୁ ଆସିବା ପରେ ଘରୋଇ ବଜାରରେ ଏହାର ଦାମ କିଲୋଗ୍ରାମ ପିଛା ୫୦ ଟଙ୍କା ହେବ ବୋଲି ଆଶା କରାଯାଉଛି ।

ନାଫେଡ୍‌ ଆହ୍ୱାନ କରିଥିବା ବିଡ୍‌ ମୁତାବକ ଆମଦାନିକାରୀଙ୍କୁ ଅତିକମ୍‌ରେ ୨,୦୦୦ ଟନ୍‌ ପିଆଜ କିଣିବାକୁ ପଡ଼ିବ । ଏମାନଙ୍କୁ ୫୦୦ ଟନ୍‌ ଲଟ୍‌ ହିସାବରେ ପିଆଜ ଉପଲବ୍ଧ କରାଯିବ । ନଭେମ୍ବର ୪ ସୁଦ୍ଧା ବିଡ୍‌ ଆବେଦନ କରିବାକୁ ହେବ ଏବଂ ସେହିଦିନ ବିଡ୍‌ ଖୋଲାଯିବ । କାଣ୍ଡଲା ଏବଂ ଜବାହରଲାଲ ନେହରୁ ବନ୍ଦର ଦ୍ୱାରା ହିଁ ପିଆଜ ଆସି ପହଞ୍ଚିବ।
ଏ ପ୍ରସଙ୍ଗରେ ନାଫେଡ୍‌ର ଅତିରିକ୍ତ ପରିଚାଳନା ନିର୍ଦ୍ଦେଶକ ଏସ୍‌.କେ. ସିଂହ କହିଛନ୍ତି, ଆମେ ୧୫,୦୦୦ ଟନ୍‌ ଲାଲ ପିଆଜ ଆମଦାନି ପାଇଁ ବିଡ୍‌ ଆହ୍ୱାନ କରିଛୁ । ଘରୋଇ ବଜାରରେ ପିଆଜ ଉପଲବ୍ଧତା ବଢ଼ାଇବା ପାଇଁ ଏହା ସହାୟକ ହେବ । ବିଡ୍‌ରେ ଭାଗ ନେଉଥିବା ସଂସ୍ଥାଙ୍କୁ ତାଜା, ଭଲ ଭାବେ ଶୁଖିଥିବା ଏବଂ ରୋଗରହିତ ପିଆଜ ହିଁ ଉପଲବ୍ଧ କରାଇବାକୁ ପଡ଼ିବ ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ କି ଗତ ୧ ସପ୍ତାହ ହେବ ପିଆଜ ଦର ସ୍ଥିର ରହିଛି । ଘରୋଇ ବଜାରରେ ଏହାର ହାରାହାରି ଦର କିଲୋଗ୍ରାମ ପିଛା ୬୫ ଟଙ୍କା ରହିଛି । ସେପ୍ଟେମ୍ବର ୧୪ରେ ରପ୍ତାନି ଉପରେ କଟକଣା ଲାଗୁ କରାଯାଇଛି । ଅକ୍ଟୋବର ୨୧ରୁ ଆମଦାନି ନିୟମ କୋହଳ କରାଯାଇଛି । ଏ ପର୍ଯ୍ୟନ୍ତ ୭,୦୦୦ ଟନ୍‌ ପିଆଜ ଆସିଛି । ଦୀପାବଳି ପୂର୍ବରୁ ୨୫,୦୦୦ ଟନ୍‌ ଆସିବ ।

ଏହାଛଡ଼ା ଖୁଚୁରା ବଜାରରେ ଉପଲବ୍ଧତା ବଢ଼ାଇବା ପାଇଁ ଅକ୍ଟୋବର ୨୩ରେ ମହଜୁଦ ସୀମା ଲାଗୁ କରାଯାଇଥିଲା । ପାଇକାରୀ ବେପାରୀଙ୍କ ପାଇଁ ସର୍ବାଧିକ ମହଜୁଦ ସୀମା ୨୫ ଟନ୍‌ ଏବଂ ଖୁଚୁରା ବେପାରୀଙ୍କ ପାଇଁ ୨ ଟନ୍‌ ଧାର୍ଯ୍ୟ କରାଯାଇଥିଲା । ଅକ୍ଟୋବର ୨୯ରୁ ପିଆଜ ମଞ୍ଜିର ରପ୍ତାନି ଉପରେ ରୋକ ଲଗାଯାଇଥିଲା ।

ଅପରପକ୍ଷରେ ଖୁଚୁରା ବଜାରରେ ଆଳୁ ଦର ହ୍ରାସ ପାଇଁ କେନ୍ଦ୍ର ସରକାର ଭୁଟାନରୁ ଆଳୁ କିଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା ଏହି ଅତ୍ୟାବଶ୍ୟକ ପରିବାର ଆମଦାନି ନିୟମ କୋହଳ କରାଯାଇଛି । ପୂର୍ବରୁ ଆଳୁ ଆମଦାନି ଉପରେ ୩୦% ଶୁଳ୍କ ଲାଗୁଥିଲା । ଏବେ ଏହାକୁ ୧୦%କୁ ହ୍ରାସ କରାଯାଇଛି । ୨୦୨୧ ଜାନୁଆରୀ ପର୍ଯ୍ୟନ୍ତ ୧୦ ଲକ୍ଷ ଟନ୍‌ ଆଳୁ ୧୦% ଶୁଳ୍କରେ ହିଁ ଆମଦାନି କରାଯିବ । ଭୁଟାନରୁ ଶୀଘ୍ର ୩୦,୦୦୦ ଟନ୍‌ ଆଳୁ ଆସି ପହଞ୍ଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.