ପିଆଜ ୧୨୦…୧୪୦ ତଥାପି ଲାଗୁନି ବ୍ରେକ୍
4/12/2019 at 6:41 PM

ଭୁବନେଶ୍ବର ୪/୧୨: ମାର୍କେଟ୍ରେ ୧୨୦ ଟପିଛି ପିଆଜ ଦର । ମନଇଚ୍ଛା ଦର କଷୁଛନ୍ତି ବେପାରୀ । ହେଲେ ହାତଟେକି ଦେଇଛି ଯୋଗାଣ ବିଭାଗ । ସେପଟେ ସରକାରୀ ଆଦର୍ଶ ଖୁଚୁରା କେନ୍ଦ୍ରରେ ଲୋକଙ୍କୁ ୮୦ଟଙ୍କା ଦରରେ ପିଆଜ ଯୋଗାଇବାକୁ ଘୋଷଣା ହୋଇଥିଲେ ମଧ୍ୟ ସରକାରୀ ଦୋକାନରେ ଆବଶ୍ୟକ ପରିମାଣର ପିଆଜ ନାହିଁ ।

୮୦ରୁ ୧୦୦ । ଏବେ ପୁଣି ୧୨୦ରୁ ୧୪୦ ପର୍ଯ୍ୟନ୍ତ କଥା ଗଲାଣି । ପିଆଜ ମହଜୁଦ୍କାରୀଙ୍କ ଉପରେ ବାରମ୍ବାର କାର୍ଯ୍ୟାନୁଷ୍ଠାନ ପାଇଁ ଘୋଷଣା ହେଉଥିଲେ ମଧ୍ୟ ଆକ୍ସନ ଜିରୋ । ଯାହା ପିଆଜ କଳାବଜାରୀଙ୍କୁ ଅଧିକ ମୁନାଫା କମାଇବାକୁ ସୁଯୋଗ ଦେଇଛି । ଏଣେ ମାର୍କେଟରୁ ଆବଶ୍ୟକ ପରିମାଣର ପିଆଜ କିଣି ନପାରି ଅସନ୍ତୁଷ୍ଟ ହେଉଛନ୍ତି ଗ୍ରାହକ । ମାଲକାନଗିରିରେ ପିଆଜ କିଲୋ ପ୍ରତି ୬୦ଟଙ୍କାରେ ବିକ୍ରି ହେଉଥିବା ବେଳେ କଟକ-ଭୁବନେଶ୍ବରରେ ପିଆଜ ଡବଲ ରେଟ୍ରେ ବିକ୍ରି ହେବାକୁ ନେଇ ସଂଦେହ ସୃଷ୍ଟି କରିଛି ।

କିଏ କହୁଛି ଇଜିପ୍ଟରୁ ପିଆଜ ଆସୁଛି, ଆଉ କିଏ କହୁଛି ତୁର୍କୀରୁ । ହେଲେ ଅବସ୍ଥାରେ କୌଣସି ସୁଧାର ଆସୁନି । ବରଂ ଦିନକୁ ଦିନ ଦର ବଢ଼ିବାରେ ଲାଗିଛି । ଯାହାକୁ ଦେଖି ଗରିବଗୁରୁବା ନିଜ ପଖାଳ କଂସାର ସାଥୀ ପିଆଜକୁ ଏବେ ପର କରିବାକୁ ବାଧ୍ୟ ହୋଇଛନ୍ତି । ମୈତ୍ରୀ ଦୋକାନ, ସରକାରୀ ଆଦର୍ଶ ଖୁଚୁରା କେନ୍ଦ୍ରରେ ଲୋକଙ୍କୁ କମ୍ ଦରରେ ପିଆଜ ଯୋଗାଇଦେବାକୁ ଯୋଗାଣ ମନ୍ତ୍ରୀଙ୍କ ଘୋଷଣା ପରେ ମଧ୍ୟ ଆବଶ୍ୟକ ପରିମାଣର ପିଆଜ ନଥିବାରୁ ଲୋକେ ନିରାଶ ହୋଇଛନ୍ତି । ଏଭଳି ପରିସ୍ଥିତିକୁ ନେଇ ବେପାରୀ ଆଉ ହର୍ଟିକଲଚର ପ୍ରଫେସର କ’ଣ କହୁଛନ୍ତି ଦେଖନ୍ତୁ ।

ପିଆଜ ଚାଷ ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ଥିଲେ ମଧ୍ୟ ଆବଶ୍ୟକ ସଂରକ୍ଷଣ ବ୍ୟବସ୍ଥା ଅଭାବରୁ ଉତ୍ପାଦିତ ପିଆଜକୁ ସାରାବର୍ଷ ପାଇଁ ସଂରକ୍ଷିତ ରଖାଯାଇପାରୁନାହିଁ । କାଲି ଯୋଉ ପିଆଜକୁ ବାହାର ରାଜ୍ୟର ବେପାରୀ ଓଡ଼ିଶାରୁ ଟଙ୍କେ ୨୦ ପଇସାରେ କିଣି ନେଉଥିଲେ ଆଜି ସେଇ ପିଆଜକୁ ୧୨୦ଟଙ୍କାରେ କିଣୁଛନ୍ତି ରାଜ୍ୟବାସୀ ।
