ପିଆଜ ଦର ଶୁଣି କାନମୁଣ୍ଡା ଆଉଁଷି ଘରକୁ ଫେରୁଛନ୍ତି ଖାଉଟି: ସକାଳେ ୭୦ ହେଲେ ସନ୍ଧ୍ୟାକୁ ୮୦, ସେଞ୍ଚୁରୀକୁ ରହିଲା ଅପେକ୍ଷା

Published By : Prameya-News7 Bureau | October 22, 2020 IST

ଭୁବନେଶ୍ୱର ୨୨/୧୦ : ଅକ୍ଟୋବର ଆରମ୍ଭରୁ ଯୋଉ ପିଆଜ ୪୦ଟଙ୍କାରେ ବିକ୍ରି ହେଉଥିଲା ୨ସପ୍ତାହ ପରେ ତାହା ଏବେ ୨ଗୁଣା ହୋଇଛି । ପିଆଜ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ପ୍ରତିବର୍ଷ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ଖାସ୍‌ କରି ନାସିକ୍‌ରେ ପୁରୁଣା ପିଆଜ ସରିଆସୁଥିବା ବେଳେ ନୂଆ ପିଆଜ ବାହାରିନି। ସେପଟେ ବେଙ୍ଗାଳୁରୁରେ ବର୍ଷା ଯୋଗୁଁ ଆସିପାରୁନି ପିଆଜ । ଫଳରେ ଓଡ଼ିଶା ବଜାରରେ ଦର ବଢ଼ୁଛି । ଆଉ ଦୋକାନୀଙ୍କ ଠାରୁ ଦର ଶୁଣିବା ପରେ କାନମୁଣ୍ଡା ଆଉଁସି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି ଖାଉଟି ।

ବଜାରରେ ବେଲଗାମ୍‌ ପିଆଜ ଦର ।କେଉଁଠି ୭୦ ତ କେଉଁଠି ୮୦ । ରାଜ୍ୟ ଯୋଗାଣ ବିଭାଗର କୁମ୍ଭକର୍ଣ୍ଣ ନିଦ ଦେଖି  ୮୦-୯୦ ପର୍ଯ୍ୟନ୍ତ ଦର ବଢ଼ାଇ ଦେଲେଣି ଖୁଚୁରା ବେପାରୀ । ସ୍ଥିତି ଏମିତି ହୋଇଥିଲା ଯେ ଗଲା ବୁଧବାର ସକାଳେ ପିଆଜ ୭୦ଟଙ୍କାରେ ବିକ୍ରି ହେଉଥିବା ବେଳେ ସଂଧ୍ୟା ବେଳକୁ ୮୦ ଛୁଇଁଥିଲା ।  ପିଆଜ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ପ୍ରତିବର୍ଷ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ଏବେ ଆନ୍ଧ୍ର ପ୍ରଦେଶରେ ପିଆଜ ଅମଳର ସମୟ । ହେଲେ ବର୍ଷା ଯୋଗୁଁ ସେଠାରେ ଚାଷୀ ପିଆଜ ଅମଳ କରିପାରୁନାହାନ୍ତି । କିଛି ଚାଷୀ ଯେତିକି ଅମଳ କରିଥିଲେ ତାହା ଲଗାଣ ବର୍ଷା ଲାଗି ସଂରକ୍ଷଣ ହୋଇନପାରି ନଷ୍ଟ ହୋଇଯାଇଛି । କର୍ଣ୍ଣାଟକରେ ମଧ୍ୟ ସମାନ ଅବସ୍ଥା । ଏବେ କେବଳ ମହାରାଷ୍ଟ୍ରର ନାସିକ୍‌ ଉପରେ ନିର୍ଭର କରିବାକୁ ପଡ଼ୁଛି । ନାସିକ୍‌ ଏବଂ ଲାସନ୍‌ଗାଓଁ ମଣ୍ଡିରେ ପିଆଜ କ୍ବିଣ୍ଟାଲ ୬ହଜାରରୁ ୮ହଜାର ଟଙ୍କା ରହିଛି । ତେଣୁ ଆଗାମୀ  ଦୁଇ ଚାରି ଦିନ ଭିତରେ ଓଡ଼ିଶାରେ ପିଆଜ ଦର ଯେ, ସେଞ୍ଚୁରୀ ନମାରିବ ତାହା ଅସମ୍ଭବ ନୁହେଁ ।

ବଜାରରେ ହୁ ହୁ ହୋଇ ବଢ଼ୁଛି ପିଆଜ ଦର । ପଖାଳ କଂସା ପାଖକୁ ପିଆଜ ଟିକେ ନପାଇ ନିରାଶ ହେଉଛନ୍ତି ଗରିବଗୁରୁବା । ମଧ୍ୟବିତ୍ତଙ୍କ ଟେନ୍‌ସନ ମଧ୍ୟ କିଛି କମ୍‌ ନାହିଁ । ହେଲେ କୁମ୍ଭକର୍ଣ୍ଣ ନିଦରେ ଶୋଇଛି ଯୋଗାଣ ବିଭାଗ । ବୋଧ ହୁଏ ଆଇପିଏଲ୍‌ ମ୍ୟାଚ୍‌ରେ କ୍ରିସ୍‌ ଗେଲ୍ଙ୍କ ଭଳି  ପିଆଜ କେବେ ସେଞ୍ଚୁରି ମାରୁଛି ତାକୁ ହିଁ ଅପେକ୍ଷା କରିଛି ଯୋଗାଣ ବିଭାଗ ।

ଓଡ଼ିଶାରେ ଯେତିକି ପିଆଜ ଉତ୍ପାଦନ ହେଉଛି ତାହାର ଠିକ୍‌ ଭାବେ ସଂରକ୍ଷଣ ବ୍ୟବସ୍ଥା କରାଗଲେ ହୁଏତ ଓଡ଼ିଶାକୁ ପଡ଼ିଶା ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ । କିନ୍ତୁ ବର୍ଷ ବର୍ଷ ଧରି ଏ ଦିଗରେ ସରକାରଙ୍କ ତତ୍ପରତା ଦେଖିବାକୁ ମିଳୁନି । ଯାହାର ପରିଣାମ ଭୋଗିବାକୁ ପଡ଼ୁଛି ସାଧାରଣ ଲୋକଙ୍କୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.