ପିଆଜ ଦରରେ ଲାଗିବ ରୋକ, ଲାଗୁ ହେଲା ମହଜୁଦ ସୀମା

Published By : Prameya-News7 Bureau | October 24, 2020 IST

ନୂଆଦିଲ୍ଲୀ ୨୪।୧୦: ଆକାଶ ଛୁଇଁଛି ପିଆଜ ଦର । ରୋଷେଇଶାଳାରେ ପ୍ରଧାନ ପରିବା ଭାବେ ଗଣା ହେଉଥିବା ପିଆଜ ଦର ବିଭିନ୍ନ ସ୍ଥାନରେ ୭୫ ଟଙ୍କା ଉପରେ । ଦର ଅଣାୟତ୍ତ ହୋଇଥିବାବେଳେ ସ୍ଥିତି ସମ୍ଭାଳିବା ପାଇଁ ଅଣ୍ଟା ଭିଡିଛି କେନ୍ଦ୍ର । ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବଫର ଷ୍ଟକ୍‌ରୁ ପିଆଜ ନେବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାସହିତ ପିଆଜର ମହଜୁଦ ସୀମାକୁ ତତ୍କାଳ କାର୍ଯ୍ୟକାରୀ କରାଯାଇଛି ।

ଦରବୃଦ୍ଧି ଏବଂ କଳାବଜାରୀକୁ ରୋକିବା ପାଇଁ ପିଆଜର ମହଜୁଦ ସୀମାକୁ ଶୁକ୍ରବାରଠାରୁ କାର୍ଯ୍ୟକାରୀ କରାଯାଇଛି । ଡିସେମ୍ବର ୩୧ ଯାଏ ଏହା ବଳବତ୍ତର ରହିବ । ଖୁଚୁରା ବେପାରୀଙ୍କ ପାଇଁ ପିଆଜର ମହଜୁଦ ସୀମା ୨ ଟନ୍‌(୨୦ କୁଇଣ୍ଟାଲ) ଧାର୍ଯ୍ୟ କରାଯାଇଥିବାବେଳେ ପାଇକାରୀ ବେପାରୀଙ୍କ ପାଇଁ ଏହାକୁ ୨୫ ଟନ୍‌ ବା ୨୫୦ କୁଇଣ୍ଟାଲ ଧାର୍ଯ୍ୟ କରାଯାଇଛି ।

ଖାଉଟି ବ୍ୟାପାର ସଚିବ ଲୀନା ନନ୍ଦନ କହିଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିରେ ସରକାର ଗତ ମାସ ସଂସଦରେ ପାରିତ ହୋଇଥିବା ସଂଶୋଧିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ କାର୍ଯ୍ୟକାରୀ କରିଛନ୍ତି । ସ୍ଥିତି ଅସମ୍ଭାଳ ହୋଇଥିବାରୁ ଏହାକୁ ଲାଗୁ କରିବାକୁ ସରକାର ବାଧ୍ୟ ହୋଇଛନ୍ତି ।

 ସେ ଆହୁରି କହିଛନ୍ତି ଯେ, ଦର ନିୟନ୍ତ୍ରଣ କରିବା ପାଇଁ ଆମେ ସବୁ ପ୍ରକାର ପ୍ରୟାସ କରୁଛୁ । ରାଜ୍ୟଗୁଡିକରେ କିପରି ଦର ଖସିବ ତେଣୁ ଉପଲବ୍ଧତା ବଢ଼ାଇବା ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କେନ୍ଦ୍ରର ବଫର୍‌ ଷ୍ଟକ୍‌ରୁ ପିଆଜ ଉଠାଇବା ପାଇଁ କୁହାଯାଇଛି । କିଲୋପିଛା ୨୬ରୁ ୨୮ ଟଙ୍କାରେ ରାଜ୍ୟଗୁଡିକ ଏହାକୁ କେନ୍ଦ୍ରର ବଫର ଷ୍ଟକ୍‌ରୁ ସଂଗ୍ରହ କରିପାରିବେ । ଯେଉଁ ରାଜ୍ୟଗୁଡିକ ନିଜେ ଏହାକୁ ଉଠାଇବେ ସେମାନଙ୍କ ପାଇଁ ଏହି ଦର ଲାଗୁ ହେବ । କିନ୍ତୁ ଯେଉଁ ରାଜ୍ୟଗୁଡିକ ଏହାର ଡେଲିଭରି ଚାହିଁବେ ସେମାନଙ୍କ ନିକଟରେ ଏହାକୁ କିଲୋ ପିଛା ୩୦ ଟଙ୍କାରେ ପହଞ୍ଚାଇ ଦିଆଯିବ।

 ଆସାମ, ଆନ୍ଧ୍ର ପ୍ରଦେଶ, ବିହାର, ଚଣ୍ଡିଗଡ, ହରିୟାଣା, ତେଲେଙ୍ଗାନା ଏବଂ ତାମିଲନାଡୁ ଏହି ପ୍ରସ୍ତାବରେ ଆଗ୍ରହ ଦେଖାଇଛନ୍ତି ଏବଂ ବଫର ଷ୍ଟକ୍‌ରୁ ମୋଟ ୮,୦୦୦ ଟନ୍‌ ପିଆଜ ନେଉଥିବା ଖାଉଟି ବ୍ୟାପାର ସଚିବ କହିଛନ୍ତି । ଅନ୍ୟ ରାଜ୍ୟଗୁଡିକର ଉତ୍ତର ପାଇଁ କେନ୍ଦ୍ର ଅପେକ୍ଷା କରିଥିବା ସେ କହିଛନ୍ତି । ମହାରାଷ୍ଟ୍ରର ନାସିକ୍‌ରେ ମହଜୁଦ ଥିବା ବଫର ଷ୍ଟକ୍‌ରୁ ରାଜ୍ୟଗୁଡିକୁ ପିଆଜ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ, ନାଫେଡ୍‌ ଦେଶବ୍ୟାପୀ ଥିବା ପାଇକାରୀ ମଣ୍ଡିଗୁଡିକରେ ବିପୁଳ ମାତ୍ରାରେ ପିଆଜ ପହଞ୍ଚାଉଥିବା ଖାଉଟି ବ୍ୟାପାର ସଚିବ କହିଛନ୍ତି । ୨୦୧୯-୨୦ ରବି ଋତୁରେ ପ୍ରସ୍ତୁତ ହୋଇଥିବା ୧,୦୦,୦୦୦ ଟନ୍‌ ବଫର ଷ୍ଟକ୍‌ରୁ କେନ୍ଦ୍ର ସରକାର ୩୦,୦୦୦ ଟନ୍‌ ଖୋଲା ବଜାରକୁ ଛାଡିଥିବା ଜଣାଯାଇଛି । ଖୁବ୍‌ଶୀଘ୍ର ଖରିଫ ପିଆଜ ମଣ୍ଡିଗୁଡିକରେ ପହଞ୍ଚିବ ଏବଂ ୩୭ ଲକ୍ଷ ଟନ୍‌ର ଖରିଫ ଫସଲ ଆସିବା ପରେ ଯୋଗାଣ ବଢ଼ିବ ଏବଂ ସ୍ଥିତି ଆୟତ୍ତକୁ ଆସିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି । ସରକାର ମଧ୍ୟ ପିଆଜ ଆମଦାନି କରିବା ପାଇଁ ବିଚାର କରୁଛନ୍ତି ଏବଂ ଡିସେମ୍ବର ୧୫ ଯାଏ ପିଆଜ ଆମଦାନି କଟକଣାକୁ କୋହଳ କରିଥିବା ଜଣାଯାଇଛି । ଘରୋଇ ବଜାରରେ ଉପଲବ୍ଧତା ବଢ଼ାଇବା ପାଇଁ ସେପ୍ଟେମ୍ବର ୧୪ରେ ସରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇଛନ୍ତି । ଖାଉଟି ବ୍ୟାପାର ମନ୍ତ୍ରାଳୟ ତଥ୍ୟ ଅନୁସାରେ ମୁମ୍ବାଇରେ ପିଆଜ ଦର କିଲୋ ପିଛା ୮୬ ଟଙ୍କା ଥିବାବେଳେ ଚେନ୍ନାଇରେ ୮୩ ଟଙ୍କା, କୋଲକାତାରେ ୭୦ ଟଙ୍କା ଏବଂ ଦିଲ୍ଲୀରେ ୫୫ ଟଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.