ଶସ୍ତା କ୍ରୁଡ ଯୋଗୁ ବଢିଲା ସଂକଟ, ସେସ୍ ଓ ରୟାଲ୍ଟି ଛାଡ ଲାଗି ONGCର ଦାବି
22/04/2020 at 5:41 PM

ନୂଆଦିଲ୍ଲୀ : ଲଗାତାର ଅଶୋଧିତ ତୈଳ ମୂଲ୍ୟ ହ୍ରାସ ଯୋଗୁ ସରକାରୀ ଉପକ୍ରମ ଅଏଲ ଏଣ୍ଡ ନ୍ୟାଚୁରାଲ ଗ୍ୟାସ୍ (ଓଏନଜିସି) ସେସ୍ ଓ ରୟାଲ୍ଟି ଛାଡ ଲାଗି ଦାବି କରିଥିବା ବୁଧବାର ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଅଶୋଧିତ ତୈଳର ଅନ୍ତର୍ଜାତୀୟ ମୂଲ୍ୟ ଏତେ ହ୍ରାସ ହୋଇଛି ଯେ ଏବେ ସେଥିରୁ ନିବେଶ ବାହାର କରିବା ବି କଷ୍ଟକର ହୋଇପଡିଛି।

କ୍ରୁଡ ଅଏଲର ଅନ୍ତରାଷ୍ଟ୍ରୀୟ ମୂଲ୍ୟ ଦୁଇ ଦଶକ ପୂର୍ବର ସର୍ବନିମ୍ନ ଦରରୁ ବି କମି ଯାଇଛି। ଯଦିଓ ଉପଭୋକ୍ତାଙ୍କ ଲାଗି ଏହା ଏକ ଖୁସି ଖବର ତେବେ ଏଥିଯୋଗୁ ଉତ୍ପାଦକଙ୍କ ଉପରେ ଆର୍ଥିକ ଚାପ ପଡୁଛି। ସୂତ୍ରଙ୍କ ଅନୁସାରେ ଓଏନଜିସି ସରକାରଙ୍କୁ ଦେଇଥିବା ରିପୋର୍ଟରେ ଏପ୍ରିଲ ମାସରେ ବାରଲ ପିଛା ପାଖାପାଖି୨୨ ଡଲାର ପାଇଥିବା ସୂଚିତ କରିଛନ୍ତି। ଯାହା କର୍ପୋରେସନର ପରିଚାଳନା ଖର୍ଚ୍ଚଠାରୁ ମଧ୍ୟ କମ୍।

କେବଳ ଅଶୋଧିତ ତୈଳ ନୁହେଁ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ମଧ୍ୟ ଗୁରୁତର ସଂକଟ ଉପୁଜିଛି। ଏବେ ପ୍ରତି ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟର ମୂଲ୍ୟ ୨.୩୯ ଡଲାର ହୋଇଯାଇଛି। ଗତ ଦଶକ ପୂର୍ବର ସର୍ବନିମ୍ନ ମୂଲ୍ୟରୁ ବି ଏହା ଅନେକ କମ୍। ଫଳରେ କର୍ପୋରେସନ ଏଥିଲାଗି ବାର୍ଷିକ ୬ ହଜାର କୋଟି ଟଙ୍କାରୁ ବି ଅଧିକ କ୍ଷତିରେ ପଡିଛି। ଏଣୁ ଅୟେଲ ବାରଲ ପିଛା ଦର ଯଦି ୪୫ ଡଲାରରୁ କମି ଯାଏ ଏପରିସ୍ଥିତିରେ ଉତ୍ପାଦକଙ୍କୁ ସରକାର ସେସ୍ ଓ ଉପକର ରିହାତି ଦେବା ଦରକାର। ଏହା ଛଡା ଦେଶର ଉପକୂଳ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ତୈଳ ଓ ଗ୍ୟାସ୍ ଲାଗି ରୟାଲ୍ଟି ଛାଡ କରିବା ଦରକାର।

ଏଥିଲାଗି ଓଏନଜିସି ଏବଂ ଅଏଲ ଇଣ୍ଡିଆ ଲିଃ ରାଜ୍ୟସରକାରଙ୍କୁ ୨୦ ପ୍ରତିଶତ ରୟାଲ୍ଟି ଦେଉଛନ୍ତି। ସେହିପରି କେନ୍ଦ୍ର ସରକାର ମଧ୍ୟ ୧୦ରୁ ୧୨.୫ ପ୍ରତିଶତ ପର୍ଯ୍ୟନ୍ତ ରୟାଲ୍ଟି ଅସୁଲ କରୁଛନ୍ତି। ଏଣୁ ଉପୁଜିଥିବା ପରିସ୍ଥିତିରେ ଓଏନଜିସି ସରକାରଙ୍କୁ ରୟାଲ୍ଟି ଛାଡ ଲାଗି ଦାବି କରିଛନ୍ତି। ସେହିପରି ଅଏଲ ଏବଂ ଗ୍ୟାସ୍ ସରପ୍ଲସ୍ ଦେଶମାନେ ଆପଣାଉଥିବା ନୀତି ଆଧାରରେ ନୀତି ପ୍ରସ୍ତୁତ କରିବା ଲାଗି ଦାବି କରିଛି ଓଏନଜିସି।