କରୋନା ଆକ୍ରାନ୍ତ ମହିଳା ୫୦୦୦ ଲୋକଙ୍କୁ କଲେ ସଂକ୍ରମିତ, ସାରା ଦେଶରେ ବ୍ୟାପିଲା ଭାଇରସ୍

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ ୨୪।୩: କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ବରେ ଏବେ ହାହାକାର ସ୍ଥିତି ଉପୁଜିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କରୋନା ଭାଇରସ୍ ର ସଂକ୍ରମଣକୁ ଆନ୍ତର୍ଜାତିକ ମହାମାରୀ ଘୋଷଣା କରିସାରିଛି । ଏହି ଭାଇରସ୍ ସଂକ୍ରମଣ ଯୋଗୁଁ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଏହି ବିପଜ୍ଜନକ ରୋଗକୁ ସଂକ୍ରମିତ ହେବାରୁ ରୋକିବାକୁ ଲୋକମାନେ ମଧ୍ୟ ଆଗକୁ ଆସୁଛନ୍ତି । ସେହିଭଳି କିଛି ଲୋକଙ୍କ ଦାୟିତ୍ବହୀନତାରୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏଭଳି ଏକ ମାମଲା ସାଉଥ କୋରିଆରେ ଦେଖିବାକୁ ମିଳିଛି । ଜଣେ ଯୁବତୀଙ୍କ ଦାୟିତ୍ବହୀନତା ଯୋଗୁଁ ହଜାର ହଜାର ଲୋକ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି ।

ଦକ୍ଷିଣ କୋରିଆର ବୈଜ୍ଞାନିକମାନେ କରୋନା ଭାଇରସ୍ ସଂକ୍ରମଣ ନେଇ ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି ଯେ, ଜଣେ ମହିଳାଙ୍କ ଅବହେଳା ହେତୁ ହଜାର ହଜାର ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି।

ଜଣେ ସଂକ୍ରମିତ ମହିଳା ସକାଳେ ପ୍ରାର୍ଥନା କରିବା ପାଇଁ ଦକ୍ଷିଣ କୋରିଆର ଏକ ଚର୍ଚ୍ଚକୁ ଯାଇଥିଲେ। ତାପରେ କରୋନା ଭାଇରସରେ ପ୍ରାୟ ୧୨୦୦ ଲୋକ ସଂକ୍ରମିତ ହୋଇଥିଲେ । ଏହାପରେ ମହିଳା ଜଣଙ୍କ ଫେବୃଆରୀ ୬ ରେ ଡାକ୍ତରଖାନାରେ ପହଞ୍ଚିଥିଲେ। ମହିଳା ଜଣଙ୍କ ସାମାନ୍ୟ ଜ୍ବରରେ ପୀଡିତ ହୋଇଥିବା ବେଳେ ତାଙ୍କୁ ଅଣଦେଖା କରାଯାଇଥିଲା। ଏହାପରେ ଡାକ୍ତରଖାନାର ୧୧୯ ଜଣ ସଂକ୍ରମିତ ହୋଇଥିଲେ ।

ଏଠାରେ ହିଁ ଏହି ସଂକ୍ରମଣ ବନ୍ଦ ହୋଇନଥିଲା । ଫେବୃଆରୀ ୧୪ ତାରିଖରେ ଏହି ମହିଳା କ୍ବିନ୍ ଭେଲ ହୋଟେଲରେ ଖାଇବାକୁ ଯାଇଥିଲେ । ଏଠାରେ ମଧ୍ୟ ବହୁତ ଲୋକ ସଂକ୍ରମଣର ଶିକାର ହୋଇଥିଲେ । ଏଭଳି କରି ଏହି ଭାଇରସ୍ ସମଗ୍ର ଦକ୍ଷିଣ କୋରିଆରେ ବ୍ୟାପିଗଲା ଏବଂ କେହି ଜାଣିପାରିଲେ ନାହିଁ ।

ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଯେଉଁ ମହିଳାଙ୍କର କରୋନା ସଂକ୍ରମଣ ହୋଇଥିଲା ସେହି ମହିଳାଙ୍କଠାରେ ସଂକ୍ରମଣ ଚିହ୍ନଟ ହୋଇପାରିଲା ନାହିଁ । ଯେଉଁଥିପାଇଁ ସେ ସାଧାରଣ ଲୋକଙ୍କ ମଧ୍ୟରେ ବୁଲୁଥିଲେ । ଏହି ସମୟ ମଧ୍ୟରେ, ଏହି ମହିଳାଙ୍କ ଦ୍ବାରା ୫୦୦୦ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିଛି । କେବଳ ଏତିକି ନୁହେଁ, ଏହି ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ ସଂକ୍ରମିତ ହୋଇ ଅନେକ ଲୋକ ପ୍ରାଣ ହରାଇଛନ୍ତି ।

ସଂକ୍ରମିତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବେଡ୍ ସଂଖ୍ୟା ୩୧ ଥିଲା । ପରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଥିଲା ଏବଂ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା। ସିଓଲ ମହାନଗର ନିଗମ ସରକାର ଏହା ବିରୋଧରେ ଏକ ଇଚ୍ଛାକୃତ ହତ୍ୟା ଅଭିଯୋଗ ଆଣିଛନ୍ତି। ତେଣୁ ଲୋକଙ୍କୁ ଅଧିକରୁ ଅଧିକ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଯାହାଦ୍ବାରା ଏହି ସଂକ୍ରମଣ ବନ୍ଦ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.