ଅପହରଣ ହୋଇଥିବା ଅଢେଇ ମାସର ଶିଶୁ ପୁତ୍ର ଉଦ୍ଧାର, ମହିଳା ସହାୟିକା ଗିରଫ

Published By : Prameya-News7 Bureau | August 21, 2019 IST

ପାରାଦୀପ ୨୧|୮:  ଗତ ୧୭ରେ ପାରାଦୀପ ଲକପଡାରୁ ଚୋରି ହୋଇଥିବା ଅଢେଇ ମାସର ଶିଶୁ ପୁତ୍ର ଉଦ୍ଧାର ହୋଇଛି । ଅପହରଣ ଅଭିଯୋଗରେ ଘରର ମହିଳା ସହାୟିକା ମାନିନୀ ସାହୁ ଗିରଫ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

{"id":146827}

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତିତିରା ଗାଁର ଶତ୍ରୁଘ୍ନ ସାମଲ ପରିବାର ସହ ପାରାଦୀପରେ ରହୁଥିବା ସଂପର୍କୀୟ ଭିଣୋଇ କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କ ଘରକୁ ବୁଲିବାକୁ ଯାଇଥିଲେ । ସମସ୍ତେ ଏକାଠି ବସି ମଧ୍ୟାହ୍ନ ଭୋଜନ କରୁଥିବାବେଳେ ହଠାତ୍ ଶତ୍ରୁଘ୍ନଙ୍କର ପୁଅ କାନ୍ଦିଥିଲା । ସେହି ସମୟରେ ଘରେ କାମ କରୁଥିବା ମାନିନୀ ଶିଶୁ ପୁତ୍ରକୁ ଖେଳାଇବା ବାହାନାରେ ବାହାରକୁ ନେଇ କୁଆଡେ ଫେରାର ହୋଇଯାଇଥିଲା । ପରିବାର ଲୋକ ବହୁ ଖୋଜାଖୋଜି ପରେ ମାନିନୀ କି ଶିଶୁ ପୁତ୍ରର କୌଣସି ପତ୍ତା ପାଇନଥିଲେ । ଏନେଇ ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶତ୍ରୁଘ୍ନ । ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିବାରେ ପରେ ବିଳମ୍ବିତ ରାତିରେ ଶିଶୁ ପୁତ୍ର ଓ ମାନିନୀର ପତ୍ତା ମିଳିଥିଲା । ପୋଲିସ ଶିଶୁ ପୁତ୍ରକୁ ଉଦ୍ଧାର କରିବା ସହ ମାନିନୀକୁ ଗିରଫ କରିଛି । ସେ କେଉଁ ଉଦ୍ଦେଶ୍ୟରେ ଚୋରି କରିଥିଲା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.