ରାଷ୍ଟ୍ରପତି ଭବନରେ କରୋନା : ସଫେଇ କର୍ମଚାରୀଙ୍କ ବୋହୂ କୋଭିଡ-୧୯ ପଜିଟିଭ, କ୍ବାରେଣ୍ଟାଇନ୍‌ରେ ୧୨୫ ପରିବାର

Published By : Prameya-News7 Bureau | April 21, 2020 IST

ନୂଆଦିଲ୍ଲୀ ୨୧।୪: ଦେଶର ସବୁଠୁ ସୁରକ୍ଷିତ ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ରାଷ୍ଟ୍ରପତି ଭବନ । କରୋନା ସଙ୍କଟ ଏବେ ରାଷ୍ଟ୍ରପତି ଭବନରେ ପହଞ୍ଚିସାରିଲାଣି । ରାଷ୍ଟ୍ରପତି ଭବନରେ କାମ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ବୋହୂ କରୋନା ପଜିଟିଭ୍ ବୋଲି ଜଣାପଡିଛି । ସେ ତାଙ୍କ ପରିବାର ସହ ରାଷ୍ଟ୍ରପତି ଭବନ କ୍ୟାମ୍ପସରେ ରହୁଛନ୍ତି । ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଷ୍ଟ୍ରପତି ଭବନ କ୍ୟାମ୍ପସରେ ରହୁଥିବା ୧୨୫ ପରିବାରକୁ ହୋମ୍ କ୍ବାରେଣ୍ଟାଇନରେ ରଖାଯାଇଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ସଫେଇ କର୍ମଚାରୀଙ୍କ ବୋହୂଙ୍କ ମାଙ୍କର କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ହୋଇଥିଲା । ଗାଁରେ ସଂପୃକ୍ତ ମହିଳାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲେ । ସେଥିରେ ସଫେଇ କର୍ମଚାରୀଙ୍କ ପୂରା ପରିବାର ସାମିଲ୍ ହୋଇଥିଲେ । ଏହାପରେ ସମଗ୍ର ପରିବାରକୁ ଆଇସୋଲେସନରେ ପଠାଯାଇଥିଲା । ସମଗ୍ର ପରିବାରର କରୋନା ପରୀକ୍ଷା କରାଯାଇଥିଲା । ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିବା ବେଳେ ବୋହୂଙ୍କ ରିପୋର୍ଟ ପଜିଟିଭ ଆସିଛି ।

ଏହାପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଷ୍ଟ୍ରପତି ଭବନ କ୍ୟାମ୍ପସରେ ଥିବା ୧୨୫ ପରିବାରକୁ କ୍ବାରେଣ୍ଟାଇନ୍ କରାଯାଇଛି । ଏଥିମଧ୍ୟରୁ ୨୫ ପରିବାରର ସେହି ବ୍ଲକ୍ ରେ ରୁହନ୍ତି । ଯେଉଁଠାରେ କରୋନା ସଂକ୍ରମିତ ବୋହୂଙ୍କ ପରିବାରଲୋକ ରୁହନ୍ତି । ଏହି ୨୫ ପରିବାରକୁ ଘରୁ ବାହାରକୁ ବାହରିବାକୁ ଅନୁମତି ଦିଆଯାଇନାହିଁ । ସେମାନଙ୍କ ଖାଇବା ରାଷ୍ଟ୍ରପତି ଭବନରୁ ଆସୁଛି ।

ଏହା ବ୍ୟତୀତ ଅନ୍ୟ ପରିବାରଲୋକଙ୍କ କେବଳ ରାସନ ଦୋକାନ ଯିବାକୁ ଅନୁମତି ଦିଆଯାଇଛି । କିନ୍ତୁ ସେମାନଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପରିବାରର ସହ ପ୍ରଥମେ ସଂସ୍ପର୍ଶରେ ଆସିଥିବା ପରିବାରର ମଧ୍ୟ କରୋନା ପରୀକ୍ଷଣ କରାଯାଇଛି । ସେମାନଙ୍କର ରିପୋର୍ଟ ନେଗେଟିଭ ଆସିଛି । ବର୍ତ୍ତମାନ ସମୟରେ ସ୍ବାସ୍ଥ୍ୟ ବିଭାଗ କୌଣସି ରିସ୍କ ନେବାକୁ ଚାହୁଁନାହିଁ । ତେଣୁ ସମସ୍ତଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି ।

ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ମୋଟ୍ ୫୯୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ୬୦୧କୁ ବୃଦ୍ଧି ପାଇଛି । ସେହିଭଳି ଏହି ମହାମାରୀ କବଳରୁ ୩୨୫୨ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.