ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ : ଜଣେ ଆତଙ୍କୀ ନିହତ, ଅପରେସନ୍ ଜାରି

Published By : Prameya-News7 Bureau | June 02, 2020 IST

ପୁଲଓ୍ବାମା ୨।୬: ଜମ୍ମୁକାଶ୍ମୀରରେ ମଙ୍ଗଳବାର ଦିନ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ପୁଲଓ୍ବାମା ଜିଲ୍ଲା ତ୍ରାଲ ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିବା ଜଣାପଡିଛି । ଏଠାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡିଛି ।

ଏହା ପୂର୍ବରୁ ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଅପରେସନରେ ୧୩ ଆତଙ୍କବାଦୀ ନିପାତ ହୋଇଥିଲେ । ଜମ୍ମୁକାଶ୍ମୀରର ନୌସେରା ସେକ୍ଟରରେ ଏଲଓସି ନିକଟରେ ଅନୁପ୍ରବେଶ ଉଦ୍ୟମ କରୁଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୋମବାର ଦିନ ସୁରକ୍ଷାକର୍ମୀ ନିପାତ କରିଥିଲେ । ସେହିଭଳି ମେ'୨୮ରୁ ଅନୁପ୍ରବେଶ ପଣ୍ଡ କରିବାକୁ ଆରମ୍ଭ ହୋଇଥିବା ଅଭିଯାନରେ ଏପର୍ଯ୍ୟନ୍ତ ୪ ଦିନରେ ୧୩ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।

ସେନାର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ମେ' ୨୮ରେ ଆତଙ୍କବାଦୀ ଅନୁପ୍ରବେଶ ବିରୋଧରେ ଅଭିଯାନ ଆରମ୍ଭ ହୋଇଥିଲା । ଫଳରେ ସୁରକ୍ଷାକର୍ମୀ ପୁଞ୍ଛ ଜିଲ୍ଲାର ମେଣ୍ଢର ସେକ୍ଟରରେ ଏଲଓସି ନିକଟରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୧୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଏହା ପୂର୍ବରୁ ସେନାବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ସୋମବାର ଦିନ ନୌସେରା ସେକ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଜମ୍ମୁକାଶ୍ମୀର ନୌସେରା ସେକ୍ଟରରେ ଭାରତ-ପାକିସ୍ତାନ ସୀମାରେ ସୋମବାର ଦିନ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଏହି ଅନୁପ୍ରବେଶକୁ ଭାରତୀୟ ସେନା ପଣ୍ଡ କରିବା ସହ ୩ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.