କାଶ୍ମୀରରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ଜଣେ ଆତଙ୍କୀ ନିହତ
17/04/2020 at 10:16 AM

ଶ୍ରୀନଗର, ୧୭|୦୪: ଜମ୍ମୁ-କାଶ୍ମୀରର ସୋପିଆନରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏଥିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆହୁରି ମଧ୍ୟ ଏହି ସ୍ଥାନରେ ଅନେକ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯଉଛି । ସୁରକ୍ଷାକର୍ମୀମାନେ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ରଖିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ସୂଚନାନୁସାରେ,ଆତଙ୍କବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ସୋପିଆନ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଯବାନମାନେ ଆତଙ୍କବାଦୀ ଲୁଚି ରହିଥିବା ଅଞ୍ଚଳକୁ ଘେରାବନ୍ଦୀ କରି କମ୍ବିଂ ଆରମ୍ଭ କରିଥିଲେ । ଏହି ସମୟରେ କିଛି ଆତଙ୍କବାଦୀ ୟବାନଙ୍କ ଉପରକୁ ଗୁଳିମାଡ କରିଥିଲା । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି ।
ଏହା ପୂର୍ବରୁ ଗୁରୁବାର ସେନାର ଇଞ୍ଜିନିୟରିଂ ରେଜିମେଣ୍ଟ ବାଲାକୋଟ ଓ କୃଷ୍ଣା ଘାଟିରେ ଅନେକ ଘର ପାଖରେ ପଡିଥିବା ମୋର୍ଟାରକୁ ନିଷ୍କ୍ରିୟ କରିଦେଇଥିଲା ।